ମୁମ୍ବାଇ: କୃଷି ଆଇନକୁ ସମର୍ଥନ କରୁଥିବା ବଲିଉଡ ଅଭିନେତ୍ରୀ କଙ୍ଗନା ରାଣାୱତ ଏହା ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ପୁଣିଥରେ ଆତଙ୍କବାଦୀ କହିଛନ୍ତି। କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କୁ ଯିଏ ବି ସାମାନ୍ୟତମ ସମର୍ଥନ କରୁଛନ୍ତି, ତାଙ୍କୁ କଙ୍ଗନା ସୋଶାଲ ମିଡିଆରେ ନିଜ ଇଚ୍ଛା ଅନୁସାରେ ଜବାବ ଦେଉଛନ୍ତି।
ଏପରି କି ସେ ବିବାଦୀୟ ମନ୍ତବ୍ୟ ଦେବାକୁ ମଧ୍ୟ ପଛାଉ ନାହାନ୍ତି। ଏହିକ୍ରମରେ କ୍ରିକେଟର ରୋହିତ ଶର୍ମା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଗୋଟିଏ ଟ୍ୱିଟ କରିଥିଲେ। ଏଥିରେ ଉତକ୍ଷିପ୍ତ ହୋଇ କଙ୍ଗାନା ତାଙ୍କ ବିରୋଧରେ ଧୋବାର କୁକୁର ଭଳି ଶବ୍ଦ ବ୍ୟବହାର କରିବାକୁ ପଛାଇ ନାହାନ୍ତି।
ତେବେ ରୋହିତଙ୍କ ବିରୋଧରେ ଅଭଦ୍ର ଓ ବିବାଦୀୟ ବୟାନ ଦେଇଥିବାରୁ ଟ୍ୱିଟର କଙ୍ଗନାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। କଙ୍ଗନାଙ୍କ ଉକ୍ତ ଟ୍ୱିଟକୁ ଟ୍ୱିଟର ପକ୍ଷରୁ ହଟାଇ ଦିଆଯାଇଛି। କଙ୍ଗନାଙ୍କ ଟ୍ୱିଟ କମ୍ପାନୀ ପକ୍ଷରୁ ପ୍ରସ୍ତୁତ ଗାଇଡଲାଇନକୁ ଉଲ୍ଲଙ୍ଘନ କରୁଥିବା ମଧ୍ୟ ଟ୍ୱିଟର ମୁଖପାତ୍ର କହିଛନ୍ତି।
ବୁଧବାର ରୋହିତ ଶର୍ମା ଚାଷୀ ଆନ୍ଦୋଳନ ପ୍ରସଙ୍ଗରେ ଟ୍ୱିଟ କରି ଭାରତ ଏକାଠି ଅଛି ବୋଲି ହାଶଟ୍ୟାଗ ବ୍ୟବହାର କରିଥିଲେ। ସେ କହିଥିଲେ, ଯେତେବେଳେ ଆମେ ସମସ୍ତେ ଏକାଠି ରହିଥାଉ ସେତେବେଳେ ଭାରତ ଅଧିକ ସଶକ୍ତ ହୋଇଥାଏ। ବର୍ତ୍ତମାନ ସମୟରେ ସମାଧାନ ହିଁ ଏକମାତ୍ର ବାଟ। ଆମ ଦେଶର ଭଲ ପାଇଁ ଚାଷୀମାନେ ସର୍ବଦା ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଛନ୍ତି।
ମୋର ବିଶ୍ୱାସ ଯେ ସମସ୍ତେ ଏକାଠି ହୋଇ ସମସ୍ୟାର ସମାଧାନ ପାଇଁ ନିଜର ଭୂମିକା ଠିକ ଭାବେ ସମ୍ପାଦନ କରିବେ। #IndiaTogether।
ତେବେ କଙ୍ଗନା ତୁରନ୍ତ ଏହା ଉପରେ ପ୍ରତିକ୍ରିୟା ଦେଇଥିଲେ। ସେ ରୋହିତଙ୍କ ଟ୍ୱିଟକୁ ଟ୍ୟାଗ କରି ଲେଖିଥିଲେ ଯେ “କାହିଁକି ଏଭଳି ସମସ୍ତ କ୍ରିକେଟରମାନେ ଧୋବାର କୁକୁର ନା ଘରର ନା ଦ୍ୱାରର ଭଳି ଶବ୍ଦ କରୁଛନ୍ତି। ଚାଷୀଙ୍କ ଭଲ ପାଇଁ ପ୍ରସ୍ତୁତ ହୋଇଥିବା କୃଷି ଆଇନକୁ କାହିଁକି ଚାଷୀମାନେ ବିରୋଧ କରିବେ? ଏମାନେ ଚାଷୀ ନୁହନ୍ତି ବରଂ ଆତଙ୍କବାଦୀମାନେ, ଯେଉଁମାନେ ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି। ଏହା କୁହନ୍ତୁନା ଏତେ ଡର କ’ଣ ପାଇଁ?”
ଏହାକୁ ନେଇ ବିବାଦ ଉପୁଜିବାରୁ ଟ୍ୱିଟର କଙ୍ଗାନାଙ୍କ ଏହି ଟ୍ୱିଟକୁ ହଟାଇ ଦେଇଛି। ଏଥିସହ କଙ୍ଗନା ଚାଷୀଙ୍କୁ ଦେଶର କ୍ୟାନସନ ବୋଲି କହିବା ଓ ସେମାନଙ୍କୁ ବିଦା କରିବା ଦରକାର ବୋଲି କରିଥିବା ଟ୍ୱିଟକୁ ମଧ୍ୟ ହଟାଇ ଦେଇଛି। ଦୀର୍ଘ ୮୦ରୁ ଅଧିକ ଦିନ ଧରି ଦିଲ୍ଲୀରେ ଚାଷୀମାନେ କରୁଥିବା ଆନ୍ଦୋଳନ କରୁଛନ୍ତି। ଏହାକୁ ସମର୍ଥନ କରି କିଛି ବିଦେଶୀ ସେଲେବ୍ରିଟି ଟ୍ୱିଟ କରିବା ପରେ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଅନେକ ରାଜନେତା ଓ ଭାରତୀୟ ସେଲେବ୍ରିଟି ଏହାକୁ ବିରୋଧ କରି ସୋଶାଲ ମିଡିଆରେ ମତଦେବା ମଧ୍ୟ ଆରମ୍ଭ କରିଛନ୍ତି।
The post ରୋହିତଙ୍କ ବିରୋଧରେ ବିବାଦୀୟ ଟ୍ୱିଟ କରିବା କଙ୍ଗନାଙ୍କୁ ମହଙ୍ଗା ପଡ଼ିଲା appeared first on Odisha Reporter.
from Odisha Reporter https://ift.tt/3pRgzyT
No comments:
Post a Comment