ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଇତିବୃତ୍ତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 18, 2021

ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଇତିବୃତ୍ତ

ପୁସ୍ତକ: ମହାତ୍ମା ଗାନ୍ଧୀ- ସାମ୍ବାଦିକ ଓ ସମ୍ପାଦକ

ସମ୍ପାଦନା: ଡ. ମୃଣାଳ ଚାଟାର୍ଜୀ ଓ ସ୍ନେହାଶିଷ ସୁର

ପ୍ରକାଶକ: ଶେଫାଳୀ କମ୍ୟୁନିକେଶନ, ପୃଷ୍ଠା: ୩୧୨, ମୂଲ୍ୟ: ୩୫୦ ଟଙ୍କା। ପ୍ରଥମ ପ୍ରକାଶ: ଜାନୁଆରୀ ୨୦୨୧

ସମୀକ୍ଷା: ସୌମ୍ୟ ରଞ୍ଜନ ବିହାରା

ମୋହନଦାସ କରମଚାନ୍ଦ ଗାନ୍ଧୀଙ୍କୁ ମହାତ୍ମା ଗାନ୍ଧୀରେ ପରିଣତ କରିବାରେ ସାମ୍ବାଦିକତା ସହ ତାଙ୍କ ଘନିଷ୍ଠତାର ବଡ଼ ଭୂମିକା ଥିଲା। ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ବିଭିନ୍ନ ଅଧ୍ୟାୟକୁ ନେଇ ପ୍ରକାଶିତ ଏହି ସଙ୍କଳନରେ ମୋଟ ୨୮ଟି ନିବନ୍ଧ ସ୍ଥାନ ପାଇଛି। ଗାନ୍ଧିଜୀଙ୍କ ଯୋଗାଯୋଗ ରଣନୀତି, ସାମ୍ବାଦିକତା ଜୀବନ, ସମ୍ପାଦନାର ପ୍ରଭାବ ଆଦି ବିଭିନ୍ନ ଦିଗ ଉପରେ ଏଥିରେ ବିଶେଷ ଆଲୋଚନା ହୋଇଛି।

ଗଣ ଆନ୍ଦୋଳନରେ ସମ୍ବାଦପତ୍ର ଯେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିପାରିବ ତାହା ସେ ଦକ୍ଷିଣ ଆଫ୍ରିକାରେ ରହଣି ଭିତରେ ଅନୁଭବ କରନ୍ତି। ଏଣୁ ସେ ‘ଇଣ୍ଡିଆନ୍‍ ଓପିନିୟନ’ ନାମରେ ଏକ ଖବରକାଗଜ ଆରମ୍ଭ କରନ୍ତି। ପ୍ରଥମ ସଂସ୍କରଣରେ ସେ ଲେଖନ୍ତି, “… ଦକ୍ଷିଣ ଆଫ୍ରିକାରେ ରହୁଥିବା ଭାରତୀୟମାନେ ରାଜନୈତିକ ସମିତି (ବଡି ପଲିଟିକ୍‍)ର ଏକ ଅଂଶ ଭାବେ ବିବେଚିତ। ଏବଂ ଏକ ଖବରକାଗଜ ସେମାନଙ୍କ ସ୍ୱର ଉତ୍ତୋଳନ କରିବା ସହ ଏଥିପାଇଁ ନିଜକୁ ଉତ୍ସର୍ଗ କରିବା ଉଚିତ। ବସ୍ତୁତଃ ଆମେ ଭାବୁଛୁ, ଏହାଦ୍ୱାରା ଏକ ଦୀର୍ଘକାଳୀନ ଚାହିଦାକୁ ଯୋଗାଇପାରିବା।”

‘ଇଣ୍ଡିଆନ୍‍ ଓପିନିୟନ’ ଥିଲା ଏକ ସାପ୍ତାହିକ ଦ୍ୱି-ଭାଷୀ ଖବରକାଗଜ। ଇଂରାଜୀ ଓ ଗୁଜରାତୀରେ ଏହା ପ୍ରକାଶ ପାଉଥିଲା। ମଝିରେ ମଝିରେ ହିନ୍ଦୀ ଓ ତାମିଲ୍‍ ବିଭାଗ ମଧ୍ୟ ରହୁଥିଲା। ଭାରତ ଫେରିବା ପରେ ଗାନ୍ଧୀ ସତ୍ୟାଗ୍ରହ ନାମକ ଏକ କାଗଜ ପ୍ରକାଶ କରିଥିଲେ। ତେବେ ତାହା ପଂଜୀକୃତ ହୋଇନଥିଲା। ପରେ ସେ ‘ବମ୍ବେ କ୍ରୋନିକଲ୍‍’ର ପ୍ରକାଶକଙ୍କ ଦ୍ୱାରା ପ୍ରକାଶିତ ଖବରକାଗଜ ‘ୟଙ୍ଗ୍‍ ଇଣ୍ଡିଆ’ର ସମ୍ପାଦନା ଦାୟିତ୍ୱ ନିଅନ୍ତି। ଏହା ସହିତ ଗୁଜରାଟୀ ‘ନବଜୀବନ’ର ସମ୍ପାଦନା ଦାୟିତ୍ୱ ମଧ୍ୟ ତୁଲାନ୍ତି। ପରବର୍ତ୍ତୀ ସମୟରେ ‘ନବଜୀବନ’ ହିନ୍ଦୀ ଭାଷାରେ ପ୍ରକାଶିତ ହେଲା।

ଗାନ୍ଧୀ ଉଭୟ ଭାରତ ଓ ବିଦେଶ ମାଟିରେ ନିଜର ନିଖୁଣ ଯୋଗାଯୋଗକାରୀର ଛାପ ଛାଡ଼ିଦେଇଯାଇଛନ୍ତି। ଏନେଇ ମହାତ୍ମା ଗାନ୍ଧୀଙ୍କ ଅଣନାତି ତୁଷାର ଅରୁଣ ଗାନ୍ଧୀ ପୁସ୍ତକର ପ୍ରଥମ ନିବନ୍ଧରେ ଆଲୋଚନା କରିଛନ୍ତି।

ସୁଲେଖକ ସୁବୀର ଘୋଷ ନିଜ ନିବନ୍ଧରେ ଲେଖିଛନ୍ତି, ସେତେବେଳେ କୌଣସି ଗଣମାଧ୍ୟମ ନଥିଲା, ତଥାପି ସେ ଜନତାଙ୍କ ସହ ଯୋଗାଯୋଗ କରିପାରୁଥିଲେ। ତାଙ୍କ ଯୋଗାଯୋଗର ଶକ୍ତି ଶକ୍ତିଶାଳୀ ବ୍ରିଟିଶ ସାମ୍ରାଜ୍ୟର ଭିତ୍ତିକୁ ଦୋହଲାଇ ଦେଇଥିଲା। ସ୍ନେହାଶିଷ ସୁର ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ପ୍ରାରମ୍ଭିକ ଦିନ ଉପରେ ଏକ ତଥ୍ୟଭିତ୍ତିକ ନିବନ୍ଧ ଲେଖିଛନ୍ତି। ସେ ଏଥିରେ ଗାନ୍ଧୀଙ୍କ ମୁକ୍ତ ସାମ୍ବାଦିକତା ସମ୍ପର୍କରେ ଚିତ୍ରଣ କରିଛନ୍ତି। ବି.ପି. ସଞ୍ଜୟଙ୍କ ନିବନ୍ଧ ମଧ୍ୟ ଅନେକ ଗୁରୁତ୍ୱ ବହନ କରେ। ସାମ୍ବାଦିକତା ମାଧ୍ୟମରେ ଗାନ୍ଧୀ କିପରି ଉଭୟ ମିଶନ୍‍ ଓ ସେବାର ଦୁଇଟି ଲକ୍ଷ୍ୟ ରଖିଥିଲେ, ତାହା ବର୍ଣ୍ଣନା କରିଛନ୍ତି। ପ୍ରଫେସର ଡି.ଭି. ଆର୍‍. ମୂର୍ତ୍ତିଙ୍କ ନିବନ୍ଧ ‘ଗାନ୍ଧୀ, ଶାନ୍ତି ଓ ସାମ୍ବାଦିକତା’ ପାଠକଙ୍କୁ ଏକ ଭିନ୍ନ ଚିନ୍ତନ ଦେବ ନିଶ୍ଚୟ। ଏଥିରେ ସେ ଗାନ୍ଧୀବାଦୀ ସାମ୍ବାଦିକତାର ଚାରୋଟି ମୂଲ୍ୟବୋଧ ସଂସ୍କୃତି, ଶାନ୍ତି, ସାର୍ବଜନୀନ ଜୀବନରେ ସାଧୁତା ଓ ଉନ୍ନୟନ ଆଦି ଉପରେ ଆଲୋକପାତ କରିବା ସହ ବର୍ତ୍ତମାନର ଗଣମାଧ୍ୟମ ସହ ଏକ ତୁଳନାତ୍ମକ ଆଲୋଚନା କରିଛନ୍ତି। ଏଥିସହିତ ବି.ଏନ୍‍. ପଟ୍ଟନାୟକଙ୍କ ଲେଖା ଗାନ୍ଧୀଙ୍କ ଯୋଗାଯୋଗ ରଣନୀତି ବୁଝାଇବାରେ ବେଶ୍‍ ସହାୟକ ହୋଇପାରିଛି। ସ୍ୱପନ୍‍ ମୁଖୋପାଧ୍ୟାୟଙ୍କ ‘ହିନ୍ଦ୍‍ ସ୍ୱରାଜ: ମହାତ୍ମା ଗାନ୍ଧୀଙ୍କ ବାଇବେଲ୍‍’ ଏକ ଅନନ୍ୟ ନିବନ୍ଧ। ଏଥିରେ ଲେଖକ ଗାନ୍ଧୀଙ୍କ ‘ସ୍ୱରାଜ’କୁ ବାଇବେଲ୍‍ ସହ ତୁଳନା କରିଛନ୍ତି।

ଚେତନାଶୂନ୍ୟ ଓ ଆତ୍ମଘାତୀ ହିଂସା ଭୋଗୁଥିବା ବର୍ତ୍ତମାନର ସଂଘର୍ଷମୟ ବିଶ୍ୱକୁ ଏହି ବାଇବେଲ୍‍ ହିଁ ମାର୍ଗଦର୍ଶନ କରାଇପାରିବ ବୋଲି ସେ ଯୁକ୍ତି ବାଢ଼ିଛନ୍ତି। ଲେଖକ ଅମିତ ପାଠକ ଗାନ୍ଧୀଙ୍କୁ ନୈତିକ ସାମ୍ବାଦିକତାର ଜଣେ ପ୍ରହରୀ ଭାବେ ଉପସ୍ଥାପନ କରି ସବିଶେଷ ତଥ୍ୟ ରଖିଛନ୍ତି। ଡ. ବାବାଜୀଚରଣ ପଟ୍ଟନାୟକ ନିଜ ନିବନ୍ଧରେ ହିନ୍ଦୀ ଭାଷା ଓ ମାତୃଭାଷାକୁ ନେଇ ଗାନ୍ଧୀଙ୍କ କେତୋଟି ମତ ଅତିସୁନ୍ଦରଭାବେ ଉପସ୍ଥାପନ କରିଛନ୍ତି। ରାଷ୍ଟ୍ରହିତ ଉଦ୍ଦେଶ୍ୟରେ ସେ କିପରି ହିନ୍ଦୀ ଓ ଆଞ୍ଚଳିକ ଭାଷାକୁ ଗୁରୁତ୍ୱ ଦେଉଥିଲେ, ତା’ର କେତୋଟି ଉଦାହରଣ ରଖିଛନ୍ତି ସେ। ଜୟନ୍ତ କର ଶର୍ମାଙ୍କ ନିବନ୍ଧ ‘ଗାନ୍ଧୀ-ସାମ୍ବାଦିକତାର ପ୍ରାସଙ୍ଗିକତା’ ବେଶ୍‍ ତଥ୍ୟଭିତ୍ତିକ ଓ ପ୍ରେରଣାଦାୟୀ ହୋଇଛି।

ସେହିଭଳି ଚମ୍ପାରନ ଆନ୍ଦୋଳନ କିପରି ଗାନ୍ଧୀଙ୍କ ସାମ୍ବାଦିକତା ଜୀବନରେ ନୂଆ ମୋଡ଼ ଆଣିଥିଲା, ସେ ବିଷୟରେ ବିସ୍ତୃତଭାବେ ଆଲୋଚନା କରିଛନ୍ତି ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଓ ସମ୍ବିତ ପାଲ। ଆରିଷ୍ଟଟଲଙ୍କ ଭାଷାତତ୍ତ୍ୱ ଅନୁସାରେ ଗାନ୍ଧୀଙ୍କ ଯୋଗାଯୋଗ ଓ ସାମ୍ବାଦିକତାର ଏକ ତୁଳନାତ୍ମକ ଆକଳନ କରିବାର ଚେଷ୍ଟା କରିଛନ୍ତି ଡ. କେ. ଜନ୍‍ ବାବୁ। ଡ. ମୃଣାଳ ଚାଟାର୍ଜୀ ଓ ସମ୍ବିତ ପାଲ ଗାନ୍ଧୀରୁ ମହାତ୍ମାକୁ ରୂପାନ୍ତର ହେବାରେ ସାମ୍ବାଦିକତାର କି’ ଭୂମିକା ଥିଲା, ତା’ର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଛନ୍ତି।

ଗାନ୍ଧୀଙ୍କ ଉପରେ ଓଡ଼ିଆ ଭାଷାରେ କିଛି ବହି ଲେଖାଯାଇଛି ସତ, କିନ୍ତୁ ସାମ୍ବାଦିକତା କିପରି ଗାନ୍ଧିଜୀଙ୍କ ଜୀବନର ମୋଡ଼ ବଦଳେଇଥିଲା ଏବଂ ଦେଶର ସ୍ୱାଧୀନତା ସଂଗ୍ରାମରେ ଏହା କିପରି ଏକ ପ୍ରମୁଖ ଭୂମିକା ନେଇଥିଲା, ସେ ବିଷୟରେ ଭଲ ବହିର ଅଭାବ ଥିଲା। ସେ ଅଭାବକୁ ଏ ସଂକଳନ ପୂର୍ଣ୍ଣ କରିଛି।

ମୂଳ ଇଂରାଜୀ ନିବନ୍ଧଗୁଡ଼ିକୁ ଓଡ଼ିଆରେ ଅନୁବାଦ କରିଛନ୍ତି ପଦ୍ମଲୋଚନ ପ୍ରଧାନ। କପି-ଏଡିଟିଂ କରିଛନ୍ତି ଡ. ଜ୍ୟୋତି ପ୍ରକାଶ ମହାପାତ୍ର ଏବଂ ସୌମ୍ୟ ରଞ୍ଜନ ବିହାରା। ପୁସ୍ତକର ସୁନ୍ଦର ପ୍ରଚ୍ଛଦଟି ପ୍ରସ୍ତୁତ କରିଛନ୍ତି ଜିତେନ୍ଦ୍ର ପତି।

ମହାତ୍ମା ଗାନ୍ଧୀଙ୍କୁ ଜଣେ ସାମ୍ବାଦିକ, ସମ୍ପାଦକ ଏବଂ ସାମଗ୍ରିକ ଭାବେ ଜଣେ ଅସାଧାରଣ ଯୋଗାଯୋଗକାରୀ ଭାବେ ଜାଣିବାରେ, ବୁଝିବାରେ ଏବଂ ଅନୁଭବ କରିବାରେ ବହିଟି ନିଶ୍ଚୟ ଉପଯୋଗୀ ହେବ।

The post ଗାନ୍ଧିଜୀଙ୍କ ସାମ୍ବାଦିକତା ଜୀବନର ଇତିବୃତ୍ତ appeared first on Odisha Reporter.



from Odisha Reporter https://ift.tt/3bf4VaV

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages