ଭଦ୍ରକ(ପାର୍ଥ ସାରଥୀ ନାୟକ): ଗଣିତ ପାଠ ବୁଝି ପାରିଲେ ଭାରି ମଜା, ବୁଝି ନ ପାରିଲେ ପୁରା ଅଡୁଆ । ଅଡ଼ୁଆ ଗଣିତକୁ ବି ସହଜ, ସରଳ ଉପାୟରେ ପଢାଇପାରିଲେ ତାହାଠୁ ସହଜ ଆଉ କିଛି ଲାଗେନି। ଏମିତି ନିଆରା ଢଙ୍ଗରେ ଗଣିତ ପାଠକୁ ସରଳ ଭାବେ ବୁଝାଇବା ସହ ପିଲାଙ୍କ ଦ୍ୱାରା ଆଦୃତ କରିପାରିଛନ୍ତି ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ପଟ୍ଟନାୟକ ।
୨୭ ବର୍ଷର ଶିକ୍ଷକତା ପରେ ନିତ୍ୟାନନ୍ଦ ସାର୍ ଏବେ ଅବସର ନେଇ ଘରେ ଅଛନ୍ତି। ହେଲେ ଛାଡିନି ପାଠ ପଢାଇବାର ନିଶା । ପୂର୍ବରୁ ସ୍କୁଲରେ ସେ ଗଣିତ, ବିଜ୍ଞାନ ସହ ଇଂରାଜୀ ପଢାଇ ଆସୁଥିଲେ । ତେବେ ଗଣିତ ଶିକ୍ଷକ ଭାବେ ସେ ବେଶ୍ ଜଣାଶୁଣା । ଗଣିତ ପାଠ ପ୍ରତି ପିଲାଙ୍କ ମନରେ ଆଗ୍ରହ ସୃଷ୍ଟି କରିବା ନିତ୍ୟାନନ୍ଦଙ୍କ ଏକମାତ୍ର ଲକ୍ଷ୍ୟ ।
କାଚ ଚୁଡିରେ ବୃତ୍ତର ପରିଧି, ପରିସୀମା ଓ ଜ୍ୟାର ପରିକଳ୍ପନା ବାଡିରେ ରେଖା, ସରଳରେଖା ପୁଣି କାର୍ଡବୋର୍ଡ, ଅବ୍ୟବହୃତ ପେପର୍ କପ୍, ସୋଲ ସ୍ପୋକ, ଧୂପ ଖୋଳ, ଅଣ୍ଡାଖୋଳ, ଝାଡୁକୁ ବ୍ୟବହାର କରି ଗଣିତ ପାଠକୁ ସରଳ ଭାଷାରେ ପିଲାଙ୍କୁ ବୁଝାଉଛନ୍ତି ନିତ୍ୟାନନ୍ଦ ସାର୍। ଅଳିଆ ଆବର୍ଜନା ଓ ଅଦରକାରୀ ପଦାର୍ଥ ଦ୍ୱାରା ତ୍ରିଭୁଜ, ଚତୁର୍ଭୁଜ, ବୃତ୍ତ ଚିତ୍ର ସାଙ୍ଗକୁ ତାର ସରଳ ସୂତ୍ର ପିଲାମାନଙ୍କୁ ବୁଝାଇବା ଲାଗି ଏଭଳି ଅଭିନବ ଉଦ୍ୟମ ଚଳାଇଛନ୍ତି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଚଉଁର ମୁକୁନ୍ଦପୁର ଗାଁର ବାସିନ୍ଦା ନିତ୍ୟାନନ୍ଦ ପଟ୍ଟନାୟକ ।
ଅବ୍ୟବହୃତ ପଦାର୍ଥକୁ ବ୍ୟବହାର କରି ୫୦ରୁ ଅଧିକ ପ୍ରକଳ୍ପ ତିଆରି କରି ପ୍ରଥମରୁ ନବମ ଶ୍ରେଣୀ ପିଲାଙ୍କୁ ମାଗଣାରେ ଗଣିତ ଶିକ୍ଷା ଦେଇ ଡାଉଟ୍ କ୍ଲିଅର କରୁଛନ୍ତି ନିତ୍ୟାନନ୍ଦ ସାର୍ । ସକାଳ ୭ରୁ ୯ ଟା ପର୍ଯ୍ୟନ୍ତ ଓ ସନ୍ଧ୍ୟା ୪ଟାରୁ ୭ଟା ପର୍ଯ୍ୟନ୍ତ ଦିନରେ ଦୁଇ ଥର ପିଲାଙ୍କୁ ସମ୍ପୂର୍ଣ୍ଣ ମାଗଣାରେ ପାଠ ପଢାଉଛନ୍ତି ।
କରୋନା ସମୟରେ ସ୍କୁଲ ବନ୍ଦ ଥିବା ବେଳେ ପିଲାମାନଙ୍କୁ ଗଣିତ ପାଠରେ ନିପୁଣ କରିବାରେ ଲାଗି ପଡିଛନ୍ତି ନିତ୍ୟାନନ୍ଦ । ନିଜ ଗାଁରେ ଛୋଟ ଛୋଟ ପିଲାଙ୍କୁ ଗଣିତ ପ୍ରତି ଆଗ୍ରହ କରାଇବା ଲକ୍ଷ୍ୟରେ ବିଭିନ୍ନ ଅବ୍ୟବହୃତ ପଦାର୍ଥକୁ ବ୍ୟବହାର କରି ୫୦ରୁ ଅଧିକ ପ୍ରକଳ୍ପରେ ଆରମ୍ଭ କରିଛନ୍ତି ଗଣିତ କର୍ମଶାଳା
ଏ ସମ୍ପର୍କରେ ଛାତ୍ର ସାଇ ରଞ୍ଜନ ଜେନା କହିଛନ୍ତି, ସାର୍ଙ୍କ ଉଦ୍ୟମ ଯୋଗୁ ଆମେ ଗଣିତ ବିଷୟରେ ବହୁତ କିଛି ଜାଣିପାରୁଛୁ। ଏହାଦ୍ୱାରା ଛୋଟ ପିଲାଙ୍କର ମଧ୍ୟ ଏଥିପ୍ରତି ଆଗ୍ରହ ବଢ଼ୁଛି।
ଏନେଇ ନିତ୍ୟାନନ୍ଦ ପଟ୍ଟନାୟକ କହିଛନ୍ତି, ଗଣିତକୁ ସହଜ, ସରଳ ଭାଷାରେ ବୁଝାଇପାରୁଛି। ଏପରିକି ଆବର୍ଜନାକୁ ମଧ୍ୟ ବ୍ୟବହାର କରୁଛି। ସକାଳେ, ସନ୍ଧ୍ୟାରେ ପିଲାଙ୍କୁ ମାଗଣାରେ ପଢ଼ାଇ ବେଶ୍ ଖୁସି ଲାଗୁଛି ।
ଏଭଳି ଗଣିତ ଶିକ୍ଷା ପାଇଁ ନିତ୍ୟାନନ୍ଦ ବହୁବାର ପୃରସ୍କୃତ ହୋଇଥିବା ବେଳେ ସେ ଆସ ଖେଳିବା ଗଣିତ ଖେଳ ଓ ମହାପୁରୁଷ ଜୀବନୀ ଉପରେ ମଧ୍ୟ ବହି ଲେଖିଛନ୍ତି । ନିତ୍ୟାନନ୍ଦ ସାରଙ୍କ ଏଭଳି ଚେଷ୍ଟା ପାଇଁ ଚାରିଆଡୁ ପ୍ରଶଂସା ମିଳୁଛି।
ମୁକୁନ୍ଦପୁର ସରପଞ୍ଚ କୀର୍ତ୍ତନ ରାଉତ କହିଛନ୍ତି, ୨ ଖଣ୍ଡ ସରଳ ଗଣିତ ଉପରେ ସାର୍ ଲେଖିଥିବା ବହି ଦ୍ୱାରା ପିଲା ବହୁତ ଉପକୃତ ହୋଇପାରିଛନ୍ତି।
ରାଜ୍ୟସ୍ତରୀୟ ଗଣିତ ଗବେଷକ ସରୋଜ କୁମାର ଦାସ କହିଛନ୍ତି, ବିଭିନ୍ନ ଆବର୍ଜନାକୁ ନେଇ ଶିକ୍ଷଣୀୟ ଉପକରଣ ତିଆରି କରିପାରୁଛନ୍ତି ନିତ୍ୟାନନ୍ଦ ସାର୍। ସବୁଗୁଡ଼ିକ ବିଷୟ, ପ୍ରସଙ୍ଗ ଉପଯୋଗୀ ହୋଇପାରୁଛି।
The post ଅବୁଝା ଗଣିତକୁ ସରଳ ଭାଷାରେ ବୁଝାଉଛନ୍ତି ନିତ୍ୟାନନ୍ଦ ସାର୍ appeared first on Odisha Reporter.
from Odisha Reporter https://ift.tt/2NmCJdP
No comments:
Post a Comment