ଗାନ୍ଧୀବାଦର ମୁଖାପିନ୍ଧା ମଣିଷମାନେ କିଏ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, February 19, 2021

ଗାନ୍ଧୀବାଦର ମୁଖାପିନ୍ଧା ମଣିଷମାନେ କିଏ?

  • ମାୟାଧର ନାୟକ

ସାଂପ୍ରତିକ ସମୟ ଏକ ତ୍ରିବିଧ ଚରିତ୍ରାତ୍ମକ କାଳଖଣ୍ଡ। ନୈତିକ ଚରିତ୍ର, ରାଜନୈତିକ ଚରିତ୍ର ଓ ଅର୍ଥନୈତିକ ଚରିତ୍ର ଦୃଷ୍ଟିରୁ ସାଂପ୍ରତିକ ସମୟ ଏକପ୍ରକାର ଶୂନ୍ୟକାଳର ସଂଶୟ। ଏହି ସମୟରେ ଗାନ୍ଧୀଦର୍ଶନର ବିଚାରଣା ଅନେକଙ୍କ ପାଇଁ ଇଷ୍ଟସୁମରଣା ପରି ଶୁଭଙ୍କର ନିଶ୍ଚୟ। ନୈତିକ-ରାଜନୈତିକ-ଅର୍ଥନୈତିକ – ଏହି ତ୍ରୟୀଚେତନାର ସମନ୍ୱୟ ହେଉଛି ଗାନ୍ଧୀଦର୍ଶନ। ଏବେ ଦେଖାଯାଉଛି ଯେ ଏହିପରି ଏକ ବ୍ୟାପକ ମାନବିକ ଦର୍ଶନର ମହାପ୍ରବାହକୁ ‘ଗାନ୍ଧୀବାଦ’ କହି ନ୍ୟସ୍ତସ୍ୱାର୍ଥ ରାଜନୈତିକ ମତଲବୀମାନେ ଗୋଟିଏ କୁହୁଡିର କୁଣ୍ଡଳୀ ସୃଷ୍ଟି କରିଦେଇ ଦେଶବାସୀଙ୍କୁ ଭୁଆଁ ବୁଲାଇଆସୁଛନ୍ତି।

ଗାନ୍ଧୀବାଦକୁ ଗାନ୍ଧୀଟୋପିରୁ ଖଦି ଖଦଡ଼ ପର୍ଯ୍ୟନ୍ତ ଲମ୍ବାଇଦେଇ ସେମାନେ ପ୍ରକୃତରେ ଛୋଟ କରିଦେଇଛନ୍ତି ଗାନ୍ଧୀଦର୍ଶନର ବିଚାର ଓ ମୂଲ୍ୟବୋଧକୁ। ନହେଲେ ଖୋଦ୍ ଗାନ୍ଧୀ ବି କେବେ ଗାନ୍ଧୀବାଦୀ ନଥିଲେ – ‘ମୁଁ ଯାହା କହୁଛି କର, ଯାହା କରୁଛି କରନାହିଁ’ ଭଳି ପ୍ରସିଦ୍ଧ ବାକ୍ୟରୁ ଏହା ପ୍ରତିପାଦିତ। ଗାନ୍ଧୀ ସତ୍ୟବାଦୀ ଥିଲେ, ମାତ୍ର ଆଜିର ଗାନ୍ଧୀବାଦୀମାନେ କ’ଣ ଗୋଟିଏ ଗୋଟିଏ ପ୍ରକାଣ୍ଡ ମିଥ୍ୟାଚାରୀ ନୁହନ୍ତି? ଗାନ୍ଧୀ ତ କହୁଥିଲେ – ‘ମୋ ଡାଏରି ସମସ୍ତଙ୍କ ପାଇଁ ଖୋଲା’, ହେଲେ ଏବର ଗାନ୍ଧୀବାଦୀମାନଙ୍କ କବାଟଗୁଡ଼ାକ ଖାଲି କାହିଁକି ଝରକାଗୁଡ଼ାକ ବି ବିଲ୍‌କୁଲ୍ ବନ୍ଦ – ଦୁଃସ୍ଥଦୁର୍ଗତ ଦଳିତ ବର୍ଗ ପାଇଁ। ବରଂ ଜାତି ଉଦ୍ଦେଶ୍ୟରେ ଗାନ୍ଧୀ ଏଇ ସୁବିଧାଭୋଗୀ ଗାନ୍ଧୀବାଦୀମାନଙ୍କ ହାତରେ ଗୋଟାଏ ସୁନ୍ଦର ଭୀଷଣର ଚିଠା ପାଲଟିସାରିଛନ୍ତି କେବେଠୁ।

ଆମେ ସାଂପ୍ରତିକ ସମୟର ନୈତିକ ବିଚ୍ୟୁତି, ରାଜନୈତିକ ବିଭ୍ରାନ୍ତି ଓ ଅର୍ଥନୈତିକ ବିପର୍ଯ୍ୟୟ କଥା ଭାବିବସିଲେ ଗାନ୍ଧୀଦର୍ଶନର ବିଚାରଧାରା ଆମ ପାଇଁ ତାର ପ୍ରାସଙ୍ଗିକତା ପ୍ରତିପାଦନ କରୁଛି ନିଶ୍ଚୟ। ଗାନ୍ଧୀଙ୍କ ନୈତିକ ତତ୍ତ୍ୱର କେନ୍ଦ୍ରବିନ୍ଦୁରେ ଧର୍ମ ନୁହେଁ, ଈଶ୍ୱର ହିଁ ଅସଲ ଅସ୍ତିତ୍ୱ, ଯେଉଁ ଈଶ୍ୱର ‘ସମସ୍ତଙ୍କୁ ସମ୍ମତି’ ଦେବାର ବିଶ୍ୱାସ ବାଂଟିଯାଇଛନ୍ତି ସେ। ଆଜି ଧର୍ମକୁ ନେଇ ହଣାକଟାବେଳେ ଗାନ୍ଧୀଙ୍କର ସେ ‘ଈଶ୍ୱର’ କେଉଁଠି? ସେ ଆଉ ନୂଆଖାଲିରେ ନାହାନ୍ତି କି ନୂଆଦିଲ୍ଲୀରେ ନାହାନ୍ତି – ସେ ଅଛନ୍ତି ଆଦିବାସୀପଲ୍ଲୀରେ, ନହେଲେ ଗରିବର ଗଡ଼ଜାତରେ। ସେ ଈଶ୍ୱରଙ୍କୁ ଆମେ ଆମ ଜଳ ଜମି ଜଙ୍ଗଲରୁ ହଟାଇଦେଇ ପଠାଇଦେଇଛୁ ଅପହଂଚ ଅପନ୍ତରାକୁ। ‘ସମସ୍ତଙ୍କୁ ସମ୍ମତି’ ମିଳିବାର ଆଶା ତେଣୁ ଅଧୁରା।

ଗାନ୍ଧୀଙ୍କ ଈଶ୍ୱର ମଣିଷର ଈଶ୍ୱର, ଧର୍ମଗୁରୁମାନଙ୍କ ଇତର କିଙ୍କର ନୁହନ୍ତି – ଏ କଥା କ’ଣ ଆଉ ଅଛପା? ଗାନ୍ଧୀବାଦୀମାନେ ଯଦି ଗାନ୍ଧୀଙ୍କ ‘ଈଶ୍ୱର’ଙ୍କୁ ବି ଅଳ୍ପଟିକିଏ ବୁଝିଥାନ୍ତେ, ତାହେଲେ ଗରିବଙ୍କ ତଣ୍ଟିଚିପା ପଇସାରେ କୁବେର ହୋଇସାରିଥିବା ଥୋକେ ଦେଶଦ୍ରୋହୀଙ୍କ କଳାଧନର ଫର୍ଦ୍ଦ ଫିଟାଇବାକୁ କ’ଣ ଆଜି ପର୍ଯ୍ୟନ୍ତ ପଛାଉଥାନ୍ତେ ? କଳାଧନର ଭାରତରେ ସଫେଦ୍ କେବଳ ଝୁଟ୍ – ସବୁ ହରିଳୁଟ୍ – ଗାନ୍ଧୀବାଦୀଏ ଖଦି ପିନ୍ଧି ନୀରବଦର୍ଶକ!

ମନେପଡେ, ଦେଶ ବିଭାଜନ ପାଇଁ ମୋଟେ ମଙ୍ଗୁନଥିବା ଗାନ୍ଧୀ ପରିସ୍ଥିତିର ଚାପରେ ମାନିନେବାକୁ ବାଧ୍ୟ ହେଲେ ଦ୍ୱିଖଣ୍ଡିତ ଭାରତବର୍ଷର ରାଜନୈତିକ ରାଜିନାମାକୁ। ମାତ୍ର ମନେପକାନ୍ତୁ ପାକିସ୍ତାନ ପରି ନୂତନ ରାଷ୍ଟ୍ର ତଥା ନବଜାତକ ଦେଶ ପାଇଁ ସେ ଭାରତର ରାଜକୋଷରୁ ବିପୁଳ ବିତ ଯୋଗାଇଦୋବକୁ କିପରି ଅଡିବସିଲେ, ଯାହା ଉଗ୍ରପନ୍ଥୀ ହିନ୍ଦୁମାନଙ୍କୁ କ୍ରୁଦ୍ଧ ଓ କ୍ଷୁବ୍ଧ କରାଇଥିଲା ଶେଷକୁ, ଯାହାର ଏକପ୍ରକାର ଘୋର ଦୁର୍ଭାଗ୍ୟଜନକ ପରିଣାମ ବି ଥିଲା ଗଡ୍‌ସେର ଗୁଳି! ମାତ୍ର ଗାନ୍ଧୀ ଥିଲେ ବିଶ୍ୱାସ, ବିବେକ ଓ ବିଚାରର ମୂର୍ତ୍ତ ବିଗ୍ରହ। ରାଜନୀତି ହେଉ କି ଅର୍ଥନୀତି – ସବୁ କ୍ଷେତ୍ରରେ ନୈତିକତା ହିଁ ତାଙ୍କ ପାଇଁ ଥିଲା ମୂଳଭିତ୍ତି।

ସାଂପ୍ରତିକ ସମୟର ନୈତିକ ଅଧଃପତନ କ୍ଷେତ୍ରରେ ଗାନ୍ଧୀଙ୍କୁ ଇଷ୍ଟ ପରି ସୁମରଣା କରିବାର ସମୟ ପୁଣି ପହଂଚିଛି। ଏ ନୈତିକ ଭିତ୍ତିକୁ ସୁଦୃଢ ନକଲେ ଭାରତବର୍ଷର ରାଜନୀତି ଓ ଅର୍ଥନୀତିର ଭବିଷ୍ୟତ କେବଳ ବିତ୍ତଶାଳୀ ପୁଞ୍ଜିପତି ଶ୍ରେଣୀ ଦ୍ୱାରା ସଂପୂର୍ଣ୍ଣମାତ୍ରାରେ କବଳିତ ହେବାକୁ ଆଉ ଡେରି ନାହିଁ ବେଶୀ। ବିଶ୍ୱାସ କରିବାର କଥା ଯେ ଏ ରାଜନୈତିକ ଦଳଶାଳୀ ଓ ଅର୍ଥନୈତିକ ବଳଶାଳୀ ଚରିତ୍ରମାନଙ୍କ ଦ୍ୱାରା ଦେଶର ଖଡା ବି ଖଣ୍ଡେ ଶିଝିବାର ନାହିଁ! ଏ କ୍ଷେତ୍ରରେ ଦେଶର ଗରିବମାନେ ଗାନ୍ଧୀଙ୍କ ମନ୍ତ୍ର ମନେପକାନ୍ତୁ, କିନ୍ତୁ ଗାନ୍ଧୀବାଦୀ ମଣିମା ମନ୍ତ୍ରୀମାନଙ୍କୁ ଭୁଳିଯାଆନ୍ତୁ ପୂରା। ଗାନ୍ଧୀ ଆଦିବାସୀବର୍ଗର ଅନ୍ଧାରୀ ମୁଲକରେ ସେତେ ପ୍ରଭାବଶାଳୀ ହୋଇପାରିନାହାନ୍ତି ନିଜ ଜୀବଦ୍ଦଶାରେ, ମାତ୍ର ହିନ୍ଦୁସମାଜ ଯେଉଁମାନଙ୍କୁ ଯବନ ଓ ଜାତିଚ୍ୟୁତ ଦୃଷ୍ଟିରେ ଅଛୁଆଁ କରିରଖିଥିଲା, ସେମାନଙ୍କୁ ସେ ହୃଦୟଭରା ସ୍ନେହମମତା ଦେଇ କହୁଥିଲେ ‘ହରିଜନ’। ଅଥଚ ଗାନ୍ଧୀବାଦୀମାନଙ୍କ ଅଭିଶପ୍ତ ଭାରତବର୍ଷରେ ‘ହରିଜନ’ ହୋଇସାରିଛି ଗୋଟାଏ ଆପତିଜନକ ଉଚ୍ଚାରଣ – ଗୋଟାଏ ନିର୍ଘାତ ଗାଳିର ଗଂଜଣା! ଯଦି ଏପରି ବିଡମ୍ବନା ଘଟିସାରିଛି, ତାହେଲେ ଗାନ୍ଧୀବାଦୀମାନେ ଗାନ୍ଧୀଙ୍କୁ ନେଇ କେଉଁଠି ଥୋଇସାରିଛନ୍ତି, ବିଚାରିବା କଥା।

ଏବେ ସାଂପ୍ରତିକ ସମୟରେ ସାରାପୃଥିବୀରେ ରାଜନୈତିକ ଅସ୍ଥିରତାର ଅଥୟପର୍ବ। ଭାରତର ବହୁଦଳୀୟ ରାଜନୈତିକ ବ୍ୟବସ୍ଥାର ବ୍ୟୂହରେ ନିରୀହ ନିରସ୍ତ୍ର ନାଗରିକସମାଜ ରୁଦ୍ଧଶ୍ୱାସ। ଏହା ଜରୁରୀ, ନହେଲେ ନାଗରିକ ସମାଜର ପ୍ରଶାସନିକ ନାଗବନ୍ଧୁରୁ ନିସ୍ତାର ନାହିଁ। ରାଜନୈତିକ ବିପ୍ଲବକୁ ଶୃଙ୍ଖଳା ଓ ସଂଯମ ମଧ୍ୟରେ ଆବାହନ କରିବାର ଦର୍ଶନ ହିଁ ପ୍ରକୃତ ଗାନ୍ଧୀଦର୍ଶନ। ଏହି ଦର୍ଶନର ବିଚାରଧାରା ପୁଣି ପରୀକ୍ଷିତ ହେବାର ପ୍ରତୀକ୍ଷାରେ।

ବର୍ତ୍ତମାନର ଭାରତର ଅର୍ଥନୈତିକ କ୍ଷେତ୍ରକୁ ଅକ୍ତିୟାର କରିନେଇଛନ୍ତି ଦେଶୀବିଦେଶୀ ପୁଞ୍ଜିପତିବର୍ଗ। ଏହା କାଏମ୍ ରହିଲେ ମାମୁଲି ମଣିଷର ମଙ୍ଗଳ ଏକ ସୁଦୂର ପରାହତ ସ୍ୱପ୍ନ ହୋଇ ରହିଯିବା ଛଡ଼ା ଗତ୍ୟନ୍ତର ନାହିଁ। ଗାନ୍ଧୀଦର୍ଶନ ସାଧାରଣ ମଣିଷର ମଙ୍ଗଳ ପାଇଁ ଅଭିପ୍ରେତ ଦରଦୀ ମୂଲ୍ୟବୋଧର ଦର୍ଶନ।

ଗ୍ରାମଭାରତକୁ ନିଜ କଳ୍ପରାଷ୍ଟ୍ର ‘ରାମରାଜ୍ୟ’ର ଭିତ୍ତି କହୁଥିଲେ ଗାନ୍ଧୀ। ଆଜି ଶାସକ ଓ ଶିଳ୍ପପତିମାନେ ଗ୍ରାମଭାରତକୁ ଶିକାର କରି କୃଷିଜୀବୀବର୍ଗକୁ ଆତ୍ମହତ୍ୟାପ୍ରବଣ ଜନଗୋଷ୍ଠୀରେ ପରିଣତ କରିବାକୁ ଯାଉଛନ୍ତି। ଜମି ଯାଉଛି, ଜଙ୍ଗଲ ଯାଉଛି, ପ୍ରଗତି ନାଆଁରେ ଶିଳ୍ପସାମ୍ରାଜ୍ୟ ପ୍ରଦୂଷିତ କରିଚାଲିଛି ପରିବେଶ। ବିସ୍ଥାପିତ ସମସ୍ୟା ଏକ ନବ୍ୟ ସାମାଜିକ ସଂକଟର ରୂପ ନେଲାଣି। ‘ଗାଆଁକୁ ଫେରିଚାଲ’ – ଏ ଗାନ୍ଧୀବିଚାରକୁ ଆଉଥରେ ଦୋହରାଇବାକୁ ପଡ଼ିବ। ସାଂପ୍ରତିକ ସମୟରେ ଏହି ଦୃଷ୍ଟିରୁ ଗାନ୍ଧୀଦର୍ଶନ ଆହୁରି ବହୁତ କଥାକୁ କାର୍ଯ୍ୟକାରୀ କରିବାର ଆହ୍ୱାନ ଦେବ।

ଯାଜପୁର ରୋଡ, ଯାଜପୁର

ମୋ : ୯୮୬୧୦୩୪୧୬୯

The post ଗାନ୍ଧୀବାଦର ମୁଖାପିନ୍ଧା ମଣିଷମାନେ କିଏ? appeared first on Odisha Reporter.



from Odisha Reporter https://ift.tt/3dt6mp8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages