ନୂଆଦିଲ୍ଲୀ(ଓଡ଼ିଶା ରିପୋର୍ଟର): କୋଟିଆ ପ୍ରସଙ୍ଗକୁ ନେଇ ସୁପ୍ରିମକୋର୍ଟରେ ମୁହାଁମୁହିଁ ହୋଇଛନ୍ତି ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ସରକାର। କୋଟିଆକୁ ନିଜର ଦାବି କରି ଆଜି ଆନ୍ଧ୍ର ପକ୍ଷରୁ ୫୦ ପୃଷ୍ଠା ସମ୍ବଳିତ ସତ୍ୟପାଠ ସମେତ କିଛି ଫଟୋ ସୁପ୍ରିମକୋର୍ଟରେ ଦାଖଲ କରାଯାଇଛି। ଅପରପକ୍ଷେ ସମସ୍ତ ଡକ୍ୟୁମେଣ୍ଟ ଫାଇଲ କରିବାକୁ ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଏହାର ଜବାବ ରଖି ଓଡ଼ିଶା ପକ୍ଷ ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି, ଆନ୍ଧ୍ର ନିଜ ସପକ୍ଷରେ ୪/୫ଟି ଫଟୋ ଦେଖାଉଛି। ହେଲେ ଆମ ପାଖରେ ପୂରା ଆଲବମ୍ ଭର୍ତ୍ତି ଫଟୋ ଅଛି।
ଆନ୍ଧ୍ର ସରକାର ଆଜି କୋର୍ଟରେ ଦାଖଲ କରିଥିବା ସତ୍ୟପାଠ ଅନୁସାରେ, ୧୯୫୨ ମସିହାରୁ କୋଟିଆର ବିବାଦୀୟ ତିନିଟି ଗାଁରେ ସେମାନେ ନିର୍ବାଚନ କରିଆସୁଛନ୍ତି। ସତ୍ୟପାଠରେ ଆନ୍ଧ୍ର ୧୯୫୨ରୁ କୋଟିଆର ଗଂଜେଇବାଦରା, ପାଟୁଚିନ୍ନାଉରୁ, ପଗୁଲୁଚିନ୍ନାଉରୁ ଗାଁରେ ନିର୍ବାଚନ କରୁଥିବା ଦର୍ଶାଇଛି। ଏସବୁ ଗାଁ ଆନ୍ଧ୍ରର ଆରାକୁ ସଂସଦୀୟ କ୍ଷେତ୍ର ଓ ସାଲେରୁ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଯାଉଛି। ଏସବୁ ଗାଁରେ ୨୦୦୬, ୨୦୧୩, ୨୦୧୪ରେ ସାଧାରଣ ନିର୍ବାଚନ ବେଳେ ଭୋଟ୍ ଗ୍ରହଣ କରାଯାଇଛି। ହେଲେ ଓଡ଼ିଶା ପକ୍ଷରୁ ଏହାକୁ ଖଣ୍ଡନ କରି ସମ୍ପୂର୍ଣ୍ଣ ମିଛ ବୋଲି କୁହାଯାଇଛି। ଆନ୍ଧ୍ର ଯେଉଁ ଡକ୍ୟୁମେଣ୍ଟ ଦାଖଲ କରିଛି, ସବୁ ମିଛ। ପୂର୍ବରୁ ସେଠାରେ ଆନ୍ଧ୍ର ନିର୍ବାଚନ କରିଥିବା ଦାବି ବି ମିଛ ବୋଲି କହିଛନ୍ତି ଓକିଲ ଶିବଶଙ୍କର ମିଶ୍ର
୧୯୩୬ ମସିହା ପରଠୁ ସମସ୍ତ ଡକ୍ୟୁମେଣ୍ଟ ଓଡ଼ିଶା ପାଖରେ ଥିବା ବେଳେ କୋଟିଆ ଓଡ଼ିଶାର ବୋଲି ପ୍ରମାଣିତ କରାଯାଇ ପାରିବ ବୋଲି ଓକିଲ ଶିବଶଙ୍କର ମିଶ୍ର କହିଛନ୍ତି। ଏଥିନିମନ୍ତେ ସମସ୍ତ ଡକ୍ୟୁମେଣ୍ଟ ଫାଇଲ କରିବାକୁ ଓଡ଼ିଶା ସରକାରଙ୍କୁ ୪ ସପ୍ତାହ ସମୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।
ଆନ୍ଧ୍ର ନିଜ ସତ୍ୟପାଠରେ କୋଟିଆର ବହୁ ଗାଁ ତା’ ଅଧୀନରେ ଥିବା ବେଳେ ପୁଲିଂ ଷ୍ଟେଶନ ଥିବା ବି କହିଛି। ଏ ନେଇ ୪-୫ ଫଟୋ ବି ଦେଖାଇଛି ଆନ୍ଧ୍ର। ହେଲେ ଏହାକୁ କାଉଣ୍ଟର କରିଛି ଓଡ଼ିଶା। ଆମର ଏଠି ମେଡିକାଲ ଅଛି, ଥାନା ଅଛି, ସ୍କୁଲ ଅଛି, ଉନ୍ନତିମୂଳକ କାମ ଚାଲିଛି। ୧୫୦ କୋଟି ସେଠାରେ ବିନିଯୋଗ କରିଛନ୍ତି ସରକାର। ତେଣୁ ଆନ୍ଧ୍ର କିଛି ଫଟୋ ଦେଖାଉଥିବା ବେଳେ ଆମ ପୂରା ଆଲବମ ଅଛି ବୋଲି କହିଛନ୍ତି ଓକିଲ ଶିବଶଙ୍କର ମିଶ୍ର। ଏଥିସହ କହିଛନ୍ତି କେବଳ ବିବାଦୀୟ ୩ଟି ଗାଁ ନୁହେଁ କୋଟିଆର ୨୧ଟି ଗାଁ ହେଉଛି ଓଡ଼ିଶାର।
ଅପରପକ୍ଷେ, ମାମଲା ସୁପ୍ରିମକୋର୍ଟରେ ବିଚାରାଧୀନ ଥିବା ସତ୍ତ୍ୱେ ଓଡ଼ିଶା ସୀମାନ୍ତ ଅଞ୍ଚଳରେ ପୁଣି ଦାଦାଗିରି ଦେଖାଇଛି ଆନ୍ଧ୍ରପ୍ରଦେଶ। ଗଜପତି ଜିଲ୍ଲା କାଶୀନଗର ବ୍ଲକ ଛଅମାଇଲ ନିକଟରେ ରାସ୍ତା ନିର୍ମାଣ କରିଛି ଆନ୍ଧ୍ର। ଓଡ଼ିଶା ଭିତରକୁ ୧ କିଲୋମିଟର ପଶି ରାସ୍ତା ନିର୍ମାଣ କରୁଛି ଆନ୍ଧ୍ର। ଆନ୍ଧ୍ରର ଆଳତିରୁ ଛଅମାଇଲ ଗାଁ ପର୍ଯ୍ୟନ୍ତ ୧ କିମି ଓଡ଼ିଶାର ରାସ୍ତା। ଗଜପତି ଜିଲ୍ଲା ପ୍ରଶାସନର ବିରୋଧ ପରେ ରାସ୍ତା କାମ ବନ୍ଦ ହୋଇଥିବା ଜଣାଯାଇଛି।
ଅପରପକ୍ଷେ, କୋଟିଆ ଗ୍ରାମପୁଞ୍ଜର ବହୁବିଧ ବିକାଶ କାର୍ଯ୍ୟ ହାତକୁ ନିଆଯାଇଛି ବୋଲି କହିଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି । ସନ୍ତୋଷ ସିଂହ ସାଲୁଜାଙ୍କ ପ୍ରଶ୍ନରେ ମନ୍ତ୍ରୀ ମାରାଣ୍ଡି କହିଛନ୍ତି, ୨୦୦୬ରେ ସୁପ୍ରିମକୋର୍ଟ ସ୍ଥିତାବସ୍ଥା ବଜାୟ ପାଇଁ ସ୍ପଷ୍ଟ ଭାବେ କହିଛନ୍ତି। କୋଟିଆର ବିକାଶ ପାଇଁ ରାଜ୍ୟ ସରକାର ୧୫ସୂତ୍ରୀ କାର୍ଯ୍ୟକ୍ରମ କରୁଛନ୍ତି। ରାସ୍ତାଘାଟ, ଡାକ୍ତରଖାନା, ହାଟ ବଜାର, ବିଦ୍ୟୁତ୍ , ବ୍ୟାଙ୍କିଂ ବ୍ୟବସ୍ଥା କରାଯାଉଛି। ଉନ୍ନୟନ କାମ ସମୀକ୍ଷା ପାଇଁ ରାଜସ୍ୱ ପରିଷଦ ସଭ୍ୟଙ୍କ ଅଧ୍ୟକ୍ଷତାରେ କମିଟି ହୋଇଛି। ଆନ୍ଧ୍ର ସୀମାନ୍ତ ଓଡ଼ିଶାବାସୀଙ୍କ ବିକାଶ ନିମନ୍ତେ ରାଜ୍ୟ ସରକାର ପ୍ରତିଶ୍ରୁତିବଦ୍ଧ।
The post ‘ଆନ୍ଧ୍ର କିଛି ଫଟୋ ଦେଖାଉଛି, ଆମ ପାଖରେ ପୂରା ଆଲବମ୍ ଅଛି’ appeared first on Odisha Reporter.
from Odisha Reporter https://ift.tt/3k3wW9F
No comments:
Post a Comment