ନୂଆଦିଲ୍ଲୀ: ଗତ ଜୁନ୍ରେ ଲଦାଖରେ ହୋଇଥିବା ଗଲଓ୍ୱାନ ସଂଘର୍ଷରେ ମୁହାଁମୁହିଁ ହୋଇଥିଲେ ଭାରତ-ଚୀନ୍। ଏହି ସଂଘର୍ଷରେ ଭାରତର ୨୦ ସୈନ୍ୟ ବୀରଗତି ପ୍ରାପ୍ତ ହୋଇଥିବା ବେଳେ ନିଜ ସୈନ୍ୟଙ୍କ ମୃତ୍ୟୁକୁ ନେଇ କୌଣସି ତଥ୍ୟ ରଖୁ ନ ଥିଲା ଚୀନ୍। କିନ୍ତୁ ହଠାତ୍ ୮ ମାସ ପରେ ସତ ଓଗାରିଛି ଚୀନ୍। ଗଲଓ୍ୱାନ ସଂଘର୍ଷରେ ୫ ଚୀନ ଅଧିକାରୀ ଓ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ପ୍ରଥମ ଥର ପାଇଁ ଏହା ସ୍ୱୀକାର କରିଛନ୍ତି ଚୀନ କର୍ତ୍ତୃପକ୍ଷ ।
କାରାକୋରମ୍ ପର୍ବତମାଳାରେ ମୁତୟନ ୫ ଅଧିକାରୀ ଓ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା PLA ପକ୍ଷକୁ କୁହାଯାଇଛି । ସେମାନଙ୍କୁ ସାମରିକ ସମ୍ମାନ ଦିଆଯାଇଛି । ଭାରତ ସହିତ ସଂଘର୍ଷରେ ସେମାନେ ବଳିଦାନ ଦେଇଥିଲେ ବୋଲି କହିଛି ସେଣ୍ଟ୍ରାଲ ମିଲିଟାରି କମିଶନ୍ ଅଫ୍ ଚାଇନା । ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ଏହି କଥାକୁ ସ୍ୱୀକାର କରିଛି ଚୀନ୍ । ଚୀନ୍ ସେନାର ଖବରକାଗଜରେ ଏସଂପର୍କିତ ଖବର ପ୍ରକାଶ ପାଇଛି ।
ସୂଚନାଯୋଗ୍ୟ, ଗତ ବର୍ଷ ଜୁନ ୧୫ରେ ପୂର୍ବ ଲଦାଖର ଗଲଓ୍ୱାନରେ ଭାରତ ଓ ଚୀନ ସେନା ମଧ୍ୟରେ ସଂଘର୍ଷ ହୋଇଥିଲା । ସୀମା ବିବାଦକୁ ନେଇ ଆଲୋଚନା ଚାଲିଥିବା ବେଳେ ଭାରତୀୟ ସୈନ୍ୟଙ୍କ ଉପରେ ଚୀନର ସୈନ୍ୟ ଅଚାନକ ଆକ୍ରମଣ କରିଥିଲେ । ଏଥିରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଚୀନର ମଧ୍ୟ ବହୁ ସୈନ୍ୟ ମୃତାହତ ହୋଇଥିବା କୁହାଯାଇଥିଲା। କିନ୍ତୁ ଆନୁଷ୍ଠାନିକ ଭାବେ ଆଜି ପର୍ଯ୍ୟନ୍ତ ଚୀନ ସେନା କିଛି ସ୍ପଷ୍ଟ କରିନଥିଲା। ଏବେ ଚୀନ ପକ୍ଷରୁ ଏହାକୁ ଏ ସ୍ୱୀକାର କରାଯାଇଛି।
ଗ୍ଲୋବାଲ ଟାଇମ୍ସ ମୁତାବକ, ଚୀନ୍ର କେନ୍ଦ୍ରୀୟ ସୈନ୍ୟ ଆୟୋଗ ପକ୍ଷରୁ କାରାକୋରମ ପର୍ବତ ଉପରେ ମୁତୟନ ହୋଇଥିବା ୫ ସୈନିକଙ୍କ ବଳିଦାନକୁ ସ୍ମରଣ କରାଯାଇଛି। ସେମାନଙ୍କ ମଧ୍ୟରୁ ୪ ଜଣ ସଂଘର୍ଷ ସମୟରେ ପ୍ରାଣ ହରାଇଥିଲେ। ଅନ୍ୟ ଜଣେ ସୈନ୍ୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଉଥିବା ବେଳେ ନଦୀରେ ଭାସି ଯାଇ ତାଙ୍କ ମୃତ୍ୟୁ ହୋଇଥିଲା।
ଗଲଓ୍ୱାନ ସଂଘର୍ଷରେ ପ୍ରାଣ ହରାଇଥିବା ପ୍ରକୃତ ଯବାନଙ୍କ ସଂଖ୍ୟା କିନ୍ତୁ ଚୀନ୍ ପ୍ରକଟ କରୁନାହିଁ ବୋଲି ଆଲୋଚନା ହେଉଛି। ଚୀନ୍ ପ୍ରଥମ ଥର ପାଇଁ ନିଜର ୫ ସୈନ୍ୟଙ୍କ ବଳିଦାନ କହୁଥିବା ବେଳେ ପ୍ରକୃତ ସଂଖ୍ୟା କିନ୍ତୁ ଏହାଠୁ ଢେର ଅଧିକ ବୋଲି ନର୍ଦନ କମାଣ୍ଡର ଚିଫ୍ ଲେଫ୍ଟନେଣ୍ଟ ଜେନେରାଲ ବାଇକେ ଯୋଶୀ କହିଛନ୍ତି। ତାଙ୍କ କହିବାନୁଯାୟୀ, ସଂଘର୍ଷ ପରେ ଚୀନ୍ ପକ୍ଷରୁ ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଯବାନଙ୍କୁ ଗାଡ଼ି ଜରିଆରେ ଘଟଣାସ୍ଥଳରୁ ନିଆଯାଇଥିଲା। ହେଲେ ସେମାନଙ୍କ ମଧ୍ୟରୁ କେତେ ମୃତାହତ ଓ କେତେ ଆହତ ଥିଲେ ତାହା କହିବା ମୁସ୍କିଲ ବୋଲି ଯୋଶୀ କହିଛନ୍ତି। ହେଲେ ଋଷ ଏଜେନ୍ସି TASS ୪୫ ଚୀନ୍ ସୈନ୍ୟଙ୍କ ମୃତ୍ୟୁ ନେଇ ଖବର ପରିବେଷଣ କରିଥିଲା।
The post ଶେଷରେ ସତ ମାନିଲା ଚୀନ୍, ଗଲଓ୍ୱାନ ସଂଘର୍ଷରେ ୫ ଯବାନଙ୍କୁ ହରାଇଛି appeared first on Odisha Reporter.
from Odisha Reporter https://ift.tt/3ay8Hx7
No comments:
Post a Comment