ନୂଆଦିଲ୍ଲୀ: ଆଖି ଖୋସିଦେଲା ପରି ଅଟ୍ଟାଳିକା। ଚକାଚକ ମାର୍ବଲ ସାଙ୍ଗକୁ ଜରରଦସ୍ତ ଇଣ୍ଟେରିୟର ଡିଜାଇନ । ତାଜମହଲ ଭଳି ଝଟକୁଛି ପୂରା ବିଲଡିଂ। ପ୍ରଥମ ଦେଖାରେ ହିଁ ଲୋକଙ୍କୁ ଆକର୍ଷିତ କରିବାକୁ ଯଥେଷ୍ଟ। ଏହା କୌଣସି ପର୍ଯ୍ୟଟନ ସ୍ଥଳୀ ନୁହେଁ, ବରଂ ହେଉଛି ନୂଆଦିଲ୍ଲୀ ନୋଇଡାରେ ନିର୍ମିତ ମାଇକ୍ରୋସଫ୍ଟ ଅଫିସ୍। ଏହି ଅଫିସ୍କୁ ତାଜମହଲ ଭଳି ଲୁକସ୍ ଦେବାକୁ ହୋଇଛି ଭରପୁର ପ୍ରୟାସ ।
କରୋନା ମହାମାରୀ ଆରମ୍ଭ ହେବା ସମୟରେ ଜୀବନଯାତ୍ରା ଠପ୍ ହୋଇଗଲା। ଘରୁ ବାହାରିବା ମୁସ୍କିଲ ହୋଇପଡ଼ିଲା। ମାସ ମାସ ଧରି ଅଫିସ ବନ୍ଦ ହୋଇଯାଇଥିବା ବେଳେ ଘରେ ବସି ଅନଲାଇନ୍ରେ କାମ କଲେ କର୍ମଚାରୀ । ଏହାରି ମଧ୍ୟରେ ବଦଳିଗଲା ଅଫିସର ଚେହେରା । କରୋନା କଟକଣା କୋହଳ ପରେ ଅଫିସ ଆସୁଥିବା କର୍ମଚାରୀ ଏହାର କାରୁକାର୍ଯ୍ୟ ଦେଖି ବିମୋହିତ ହୋଇପଡ଼ୁଛନ୍ତି। ଏପରିକି ଘଡ଼ିଏ ଅଟକି ଅଫିସର କାରୁକାର୍ଯ୍ୟଙ୍କୁ ମନ ଭରି ଉପଭୋଗ କରୁଛନ୍ତି।
ସାଧାରଣତଃ ଅଫିସ୍ ଯିବା କଥା ଭାବି ବିମୁଖ ହୋଇପଡ଼ନ୍ତି କର୍ମଚାରୀ। କାରଣର ଅଫିସର ଏକ ପ୍ରକାର ଚିତ୍ର ସେମାନଙ୍କ ମନରେ ଜମାଟ ବାନ୍ଧି ରହିଥାଏ। ହେଲେ ଦିଲ୍ଲୀ ନୋଏଡାସ୍ଥିତ ମାଇକ୍ରୋସଫ୍ଟର ଇଣ୍ଡିଆ ଡେଭଲପମେଣ୍ଟ ସେଣ୍ଟର ଆଖି ଖୋସିଦେଲା ପରି ହୋଇଛି। ୬ ମହଲା ବିଶିଷ୍ଟ ବିଲ୍ଡିଂ ଏବେ ସମସ୍ତଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଲ୍ଡିଂର ଉପର ୩ ମହଲାରେ ଖଚିତ ହୋଇଛି ଚକାଚକ ମାର୍ବଲ । ତା’ ସାଙ୍ଗକୁ ଲାଟେଷ୍ଟ ଇଣ୍ଟେରିୟର ଡିଜାଇନ।
ବିଶ୍ୱ ସପ୍ତାଶ୍ଚର୍ଯ୍ୟ ମଧ୍ୟରେ ଥିବା ତାଜମହଲର କଳା ଭାସ୍କର୍ଯ୍ୟ ଏଭଳି ବିଲ୍ଡିଂ କରିବା ପାଇଁ ପ୍ରେରଣା ଯୋଗାଇଛି । ପ୍ରାୟ ୯୦ ହଜାର ବର୍ଗ ଫୁଟ୍ରେ ନିର୍ମିତ ହୋଇଛି ଚକ୍ଚକ୍ କରୁଥିବା ଏହି ବିଲ୍ଡିଂ । ଶହ ଶହ ବର୍ଷ ତଳେ ମୋଗଲ ସାମ୍ରାଜ୍ୟ ସମୟରେ ନିର୍ମିତ ହୋଇଥିବା ତାଜମହଲର ନିର୍ମାଣ ଶୈଳୀରେ ହୋଇଛି ଏହି ଅଫିସ । ଏମିତିକି ଅଫିସ ମଧ୍ୟକୁ ପ୍ରବେଶ କରିବା ବେଳେ ମାଇକ୍ରୋସଫ୍ଟ ପ୍ରତିଷ୍ଠାତା ବିଲ୍ ଗେଟସ୍ଙ୍କ ଏକ ଫଟୋ ଚିତ୍ର ରହିଛି, ଯାହା ଏକ ନିର୍ଦ୍ଦିଷ୍ଟ ଆଙ୍ଗଲରେ ଦେଖିଲେ ହିଁ ଜଣାପଡ଼ିବ।
ପ୍ରଥମ ଥର ପାଇଁ ଭାରତରେ ୧୯୯୮ ମସିହାରେ ହାଇଦ୍ରାବାଦରେ ଗଢି ଉଠିଥିଲା ମାଇକ୍ରୋସଫ୍ଟ ଆଇଡିସି । ପରେ ବେଙ୍ଗାଲୁରୁରେ ଖୋଲାଯାଇଥିଲା ଆଉ ଏକ ମାଇକ୍ରୋସଫ୍ଟ ଆଇଡିସି ଅଫିସ୍ । ହେଲେ ବର୍ତ୍ତମାନ ନୋଏଡାରେ ଖୋଲାଯାଇଥିବା କାର୍ଯ୍ୟାଳୟର ଡିଜାଇନ୍ ସମସ୍ତଙ୍କୁ ଟପି ଯାଇଛି ।
The post ଆଖି ଖୋସିଦେଲା ପରି ଅଟ୍ଟାଳିକା; ଅଫିସକୁ ମିଳିଲା ତାଜମହଲ ଲୁକ୍ appeared first on Odisha Reporter.
from Odisha Reporter https://ift.tt/3rnrHEd
No comments:
Post a Comment