ଭଦ୍ରକ(ପାର୍ଥସାରଥୀ ନାୟକ): ଗୁରୁତର ରୋଗୀକୁ ଭଦ୍ରକରୁ କଟକ ନେଇ ଯାଉଥିଲା ଆମ୍ବୁଲାନ୍ସ। ହେଲେ ହଠାତ୍ ଦିଗ ବଦଳାଇ ବାଲେଶ୍ୱର ଆଡ଼େ ଯିବାକୁ ଲାଗିଲା। ଏନେଇ ଆମ୍ବୁଲାନ୍ସ ଡ୍ରାଇଭରଙ୍କୁ ପଚାରି କୌଣସି ସନ୍ତୋଷଜନକ ଉତ୍ତର ନ ପାଇ ଶେଷରେ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଲେ ରୋଗୀର ମା’। ଏହାଦେଖି ସ୍ଥାନୀୟ ଲୋକେ ଆମ୍ବୁଲାନ୍ସର ୩ କର୍ମଚାରୀଙ୍କୁ ଅଟକ ରଖି ପୁଲିସ୍ ଜିମା ଦେଇଛନ୍ତି। ଏପରି ଅଭାବନୀୟ ଘଟଣା ଗତକାଲି ବିଳମ୍ବିତ ରାତିରେ ଭଦ୍ରକରେ ଘଟିଛି।
ସୂଚନାଯୋଗ୍ୟ, ଭଦ୍ରକ ଗ୍ରାମାଞ୍ଚଳ ଥାନା ରମ୍ଭିଳା ଅଞ୍ଚଳର ସନାତନ ବାରିକ ଓ ଗୀତାରାଣୀ ବାରିକଙ୍କ ୧୦ ବର୍ଷର ପୁଅ ଗତକାଲି ଗଛରୁ ଖସିପଡିଥିଲା। ଏହାପରେ ପରିବାର ଲୋକ ତାକୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ମାତ୍ର ପ୍ରାଥମିକ ଚିକିତ୍ସା ପରେ ଡାକ୍ତର ତାକୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରିଥିଲେ ।
ଏହାପରେ ରୋଗୀଙ୍କ ମା’ବାପା 108 ଆମ୍ବୁଲାନ୍ସ ସହ ଯୋଗାଯୋଗ କରିବାରୁ ଏକ ଆମ୍ବୁଲାନ୍ସ ପହଞ୍ଚିଥିଲା । ସେଥିରେ ସେମାନେ ରୋଗୀକୁ ନେଇ କଟକ ଯିବା ବେଳେ ଆମ୍ବୁଲାନ୍ସଟି ୧୬ ନଂ ଜାତୀୟ ରାଜପଥରେ କଟକ ଅଭିମୁଖେ ଯିବା ବଦଳରେ ବାଲେଶ୍ୱର ଅଭିମୁଖେ ଯାଇଥିଲା ।
ବିପରୀତ ଦିଗକୁ କାହିଁକି ନେଉଛ ବୋଲି ରୋଗୀର ବାପା ଓ ମା’ ଆମ୍ବୁଲାନ୍ସ କର୍ମଚାରୀଙ୍କୁ ପଚାରିବା ସତ୍ତ୍ୱେ କୌଣସି ଉତ୍ତର ପାଇନଥିଲେ । ଏହାପରେ ଭୟଭୀତ ହୋଇ ଆମ୍ବୁଲାନ୍ସ ଝରକାରେ ସେମାନେ ଚିତ୍କାର କରିଥିଲେ । ଏହାପରେ ମଧ୍ୟ ଗାଡ଼ି ନ ଅଟକିବାରୁ ଗୀତାରାଣୀ ଆମ୍ବୁଲାନ୍ସରୁ ଡେଇଁ ପଡ଼ିଥିଲେ । ଗାଡ଼ିଟି ପ୍ରାୟ ୮ରୁ ୧୦ କିମି. ଯିବା ପରେ ସ୍ଥାନୀୟ ଲୋକ ଚରମ୍ପାସ୍ଥିତ କେନାଲ ଛକ ନିକଟରେ ଗାଡ଼ିକୁ ଅଟକାଇ ପୁଲିସ୍କୁ ଖବର ଦେଇଥିଲେ।
ଖବର ପାଇ ଭଦ୍ରକ ଟାଉନ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଆମ୍ବୁଲାନ୍ସ ଡ୍ରାଇଭର, ହେଲପର ଓ ଫାର୍ମାସିଷ୍ଟଙ୍କୁ ଥାନାରେ ଅଟକ ରଖିଛି।ନ୍ୟ ଏକ ଆମ୍ବୁଲାନ୍ସ ସାହାଯ୍ୟରେ ରୋଗୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ଅନ୍ୟ ପକ୍ଷରେ ଏନେଇ ଭଦ୍ରକ ଟାଉନ ଥାନା ଏକ ଅପହରଣ ଅଭିଯୋଗ କରାଯାଇଛି।
ଏନେଇ 108 ଆମ୍ବୁଲାନ୍ସର ଭଦ୍ରକ ଜିଲ୍ଲା ମୁଖ୍ୟ ଶିବ ସୁନ୍ଦର ପାଣିଗ୍ରାହୀଙ୍କ ସହ ଯୋଗାଯୋଗ କରିବାରୁ ପ୍ରାଥମିକ ଭାବେ ଡ୍ରାଇଭରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ଓ ହେଲପରଙ୍କୁ ମଧ୍ୟ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିବା କହିଛନ୍ତି।
ରୋଗୀର ବାପା ସନାତନ ବାରିକ କହିଛନ୍ତି, ଡ୍ରାଇଭର ଗାଡ଼ିକୁ ବିପରୀତ ଦିଗରେ ନେବାରୁ ତମେ ତ କଟକ ଯିବ, କାହିଁକି ଛାନିଆ ହେଉଛ ବୋଲି କହିଥିଲେ। ଏହାପରେ କଟକ ନ ନେଇ ରାଣିତଲା ନେଇଯାଉଥିଲା। ଚିତ୍କାର କରିବାରୁ ସ୍ଥାନୀୟ ଲୋକ ଏକତ୍ରିତ ହୋଇ ସେମାନଙ୍କୁ କାବୁ କରିଥିଲେ।
ଏନେଇ ରୋଗୀର ମା’ ଗୀତାରାଣୀ ବାରିକ କହିଛନ୍ତି, ଗାଡ଼ିକୁ ଭୁଲ ଦିଗରେ ନେଉଥିବା ବେଳେ ପଚାରିବାରୁ ତୁମେ ଠିକ୍ ଜାଗାରେ ପହଞ୍ଚିଯିବ କହି ହସିଥିଲେ। ଏହାଶୁଣି ମୁଁ ଝରକା ଡେଇଁ ବାହାରକୁ ଆସି ଚିତ୍କାର କଲି। ଏହାପରେ ଲୋକ ସେମାନଙ୍କୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି।
The post କଟକ ପରିବର୍ତ୍ତେ ବାଲେଶ୍ୱର ଆଡ଼େ ଛୁଟିଲା ଆମ୍ବୁଲାନ୍ସ, ଡେଇଁ ପଡ଼ିଲେ ରୋଗୀର ମା’ appeared first on Odisha Reporter.
from Odisha Reporter https://ift.tt/2O7nXrW
No comments:
Post a Comment