କୋଲକାତା: ପଶ୍ଚିମବଙ୍ଗ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି। ପଶ୍ଚିମବଙ୍ଗ ନିର୍ବାଚନରେ ଦୁଇ ଶହରୁ ଅଧିକ ସିଟ୍ରେ ବିଜେପି ସରକାର ଗଠନ କରିବ। ଆଉ ଏହା ପରେ ପରେ ଓଡ଼ିଶାରେ ବି ଶାସନକୁ ଆସିବ ବିଜେପି। ଗତକାଲି କୋଲକାତାରେ ଦଳୀୟ କର୍ମୀଙ୍କୁ ସମ୍ବୋଧନ ବେଳେ ଏପରି କିଛି କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ପୂର୍ବ ଭାରତର ବିକାଶର ଧାରା ପଶ୍ଚିମବଙ୍ଗରୁ ଆରମ୍ଭ ହେଉଛି। ଏହା ପରେ ଓଡ଼ିଶା, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ ହୋଇ କେରଳରେ ପହଞ୍ଚିବ। ଏହି ସବୁ ରାଜ୍ୟରେ ବିଜେପିକୁ ସଫଳତା ମିଳିବା ସହ ବିଜେପି ଶାସନ ମଙ୍ଗ ଧରିବ ବୋଲି କହିଛନ୍ତି ଶାହ। ଏଥିପାଇଁ ଦଳୀୟ କର୍ମୀଙ୍କୁ ଏକଜୁଟ୍ ହେବା ସହ ସଂଗଠନକୁ ମଜବୁତ କରିବାକୁ ଆହ୍ୱାନ କରିଛନ୍ତି।
ଆସନ୍ତା କିଛି ମାସରେ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବ। ଏନେଇ ଶାହଙ୍କ ମାରାଥନ ରାଲି, ସଭାର ଆୟୋଜନ ହୋଇଛି। ସେପଟେ ଶାହଙ୍କ ଏହି ବୟାନ ପରେ ରାଜନୀତି ସରଗରମ ହୋଇଛି।
ଗତକାଲି ଅମିତ ଶାହ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଠାକୁରନଗରରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇଥିଲେ। ଏଥିରେ ଯୋଗ ଦେଇ ଶାହ କହିଥିଲେ, ଦେଶରେ ନାଗରିକତା ସଂଶୋଧନ ଆଇନ(ସିଏଏ) କରୋନା ଟିକାକରଣ କାର୍ଯ୍ୟକ୍ରମ ଶେଷ ହେବା ପରେ ଲାଗୁ ହେବ। ସିଏଏ ଅଧୀନରେ ଭାରତରେ ରହୁଥିବା ଶରଣାର୍ଥୀଙ୍କୁ ନାଗରିକତା ପ୍ରଧାନ କରାଯିବ। ପଶ୍ଚିମବଙ୍ଗର ମାଟୁଆ ସଂପ୍ରଦାୟର ଲୋକଙ୍କୁ ମଧ୍ୟ ସିଏଏ ଅଧୀନରେ ଭାରତର ନାଗରିକତା ପ୍ରଦାନ କରାଯିବ ବୋଲି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ।
ସେହିପରି ବିରୋଧୀ ଦଳଗୁଡ଼ିକ ମଧ୍ୟ ସେ ଟାର୍ଗେଟ କରିଥିଲେ। ବିରୋଧୀ ଦଳଗୁଡିକ ଲୋକଙ୍କୁ ନାଗରିକତା ସଂଶୋଧନ ଆଇନ ସମ୍ପର୍କରେ ଭୁଲ ତଥ୍ୟ ଦେଇ ବିଭ୍ରାନ୍ତ କରୁଛନ୍ତି। ସିଏଏ ଲାଗୁ ହେଲେ ଭାରତରେ ରହୁଥିବା ସଂଖ୍ୟାଲଘୁ ସଂପ୍ରଦାୟର ଲୋକଙ୍କ ନାଗରିକତା ଉପରେ ଏହା କୌଣସି ପ୍ରକାରର ପ୍ରଭାବ ପକାଇ ପାରିବ ନାହିଁ।
୨୦୧୮ରେ ମୋଦି ସରକାର ପ୍ରତିଶ୍ରୁତି ଦେଇଥିଲେ ଯେ ନାଗରିକତା ସଂଶୋଧନ ଆଇନ ଆଣିବେ। ୨୦୧୯ରେ ଆମେ ଭୋଟ ପାଇଁ କ୍ଷମତାକୁ ଆସିବା ପରେ ଏହାକୁ କାର୍ଯ୍ୟକାରୀ କରିବାକୁ ଆଇନ ଆଣିଛୁ। ୨୦୨୦ରେ ଦେଶକୁ କରୋନା ମହାମାରୀ ଝଟକା ଲାଗିଥିଲା। ଏହି କାରଣରୁ ସିଏଏ ଲାଗୁ ହୋଇପାରି ନାହିଁ। ମମତା ଦିଦି କହୁଛନ୍ତି, ଆମେ ମିଥ୍ୟା ପ୍ରତିଶ୍ରୁତି ଦେଉଛୁ। ହେଲେ ସେ ସିଏଏକୁ ବିରୋଧ କରିବା ଆରମ୍ଭ କରିଥିଲେ ଓ ବେଙ୍ଗଲରେ ଏହାକୁ ଲାଗୁ କରିବେ ନାହିଁ ବୋଲି ମଧ୍ୟ କହିଛନ୍ତି। କିନ୍ତୁ ବିଜେପି ସବୁବେଳେ ନିଜ ପ୍ରତିଶ୍ରୁତି ରକ୍ଷା କରିଛି। ଆମେ ଆଇନ ଆଣିଛୁ ଓ ଶରଣାର୍ଥୀମାନେ ଭାରତର ନାଗରିକତା ପାଇବେ ବୋଲି ଶାହ କହିଥିଲେ।
The post ପଶ୍ଚିମବଙ୍ଗ ପରେ ଓଡ଼ିଶାରେ କ୍ଷମତାକୁ ଆସିବ ବିଜେପି: ଅମିତ ଶାହ appeared first on Odisha Reporter.
from Odisha Reporter https://ift.tt/3d4MkkD
No comments:
Post a Comment