ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ବାଧା ଦେବନି ନିୟମ, ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 6, 2021

ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ବାଧା ଦେବନି ନିୟମ, ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁରୀ ଜଗନ୍ନାଥ ଧାମ ପାଇଁ ଜାତୀୟ ସ୍ମାରକ ପ୍ରାଧିକରଣ (NMA)ର ପ୍ରସ୍ତାବିତ ଅଧିନିୟମ ପ୍ରସଙ୍ଗରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରସ୍ତାବିତ ଅଧିନିୟମରେ ପୁରୀ ଶ୍ରୀମନ୍ଦିରର ଶହେ ମିଟର ପରିଧି ଭିତରେ ନିର୍ମାଣ କାର୍ଯ୍ୟକୁ ବାରଣ କରାଯାଇଥିବାରୁ ଏ ନେଇ ସେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲଙ୍କ ସହ ଆଲୋଚନା କରିଛନ୍ତି।

ଜାତୀୟ ସ୍ମାରକ ପ୍ରାଧତ୍କରଣ (NMA)ର ପ୍ରସ୍ତାବିତ ଅଧିନିୟମ ଯୋଗୁ ଶ୍ରୀମନ୍ଦିରର ବିକାଶ କାର୍ଯ୍ୟରେ ଯେପରି ବାଧା ନପହଞ୍ଚେ ସେନେଇ ଦୃଷ୍ଟି ଦିଆଯିବ ବୋଲି ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ପଟେଲ ପ୍ରତିଶ୍ରୁତି ଦେଇଥିବା ଧର୍ମେନ୍ଦ୍ର ସୂଚନା ଦେଇଛନ୍ତି।

ଶ୍ରଦ୍ଧାଳୁଙ୍କ ଭାବନାକୁ ବାଧା ଦେବାଭଳି କାର୍ଯ୍ୟ କରାଯିବ ନାହିଁ ବୋଲି କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ଆଶ୍ୱାସନା ଦେଇଥିବା ଧର୍ମେନ୍ଦ୍ର ଟ୍ୱିଟ୍ କରି ସୂଚନା ଦେଇଛନ୍ତି।

ପ୍ରସ୍ତାବିତ ଅଧିନିୟମରେ କ’ଣ ରହିଛି
କେନ୍ଦ୍ର ସଂରକ୍ଷିତ ସ୍ମାରକ ଠାରୁ ୩୦୦ ମିଟର ପରିଧି ମଧ୍ୟରେ କୌଣସି ନିର୍ମାଣ ସହ ଅର୍ଥନୈତିକ ଓ ସାମାଜିକ ହସ୍ତକ୍ଷେପ ଏହି ଅଧିନିୟମ ଆଧାରରେ ହିଁ ହେବ। ଏହି ୩୦୦ ମିଟର ପରିଧିକୁ ୨ ଭାଗରେ ବିଭକ୍ତ କରାଯାଇଛି। ସଂରକ୍ଷିତ ସ୍ମାରକ ଠାରୁ ୧୦୦ ମିଟର ପରିଧିକୁ ନିଷିଦ୍ଧାଞ୍ଚଳ ଓ ସେଠାରୁ ଆଉ ୨୦୦ ମିଟର ଆଗକୁ ନିୟନ୍ତ୍ରିତ ଅଞ୍ଚଳ ରହିବ। କୌଣସି ବ୍ୟକ୍ତି ନିଷିଦ୍ଧାଞ୍ଚଳରେ କୌଣସି ପ୍ରକାର ନୂଆ ନିର୍ମାଣ ବା ଖନନ କରିପାରିବେ ନାହିଁ। ସେହିପରି ନିୟନ୍ତ୍ରିତ ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ପାଇଁ ଜାତୀୟ ସ୍ମାରକ ପ୍ରାଧତ୍କରଣ (NMA)ର ଅନୁମତି ନେବାକୁ ପଡ଼ିବ।

ଶ୍ରୀମନ୍ଦିରରେ ସଂରକ୍ଷିତ ଅଞ୍ଚଳ ୯.୭ ଏକରର ହୋଇଥିବା ବେଳେ ମେଘନାଦ ପାଚେରି ଠାରୁ ନିଷିଦ୍ଧାଞ୍ଚଳ ୩୭.୦୬୧ ଏକର ଏବଂ ନିୟନ୍ତ୍ରିତ ଅଞ୍ଚଳ ୧୩୮.୩୮୫ ଏକରର ହେବ। କେବଳ ଏତିକି ନୁହେଁ, ନିୟନ୍ତ୍ରିତ ଅଞ୍ଚଳ ବାହାରେ ମଧ୍ୟ କୌଣସି ନୂଆ ନିର୍ମାଣ ଯେପରି ଦୂରରୁ ଶ୍ରୀମନ୍ଦିରକୁ ଦେଖିବାରେ ବାଧା ନଆଣେ, ସେଥିପାଇଁ ଉଚ୍ଚତା ସୀମା ଧାର୍ଯ୍ୟ କରାଯାଇଛି। ଏଥିସହ ବଡ଼ଦାଣ୍ଡରେ ଏଲ୍ଇଡି ସାଇନେଜ୍ ନିଷେଧ କରାଯାଇଛି।

ପୁରୀର ଶଙ୍କରାଚାର୍ଯ୍ୟ ମନ୍ଦିର, ମହାବୀର ମନ୍ଦିର, ତିମଇ ମାତା, ତ୍ରିନାଥ ମନ୍ଦିର, କପାଳମୋଚନ ମନ୍ଦିର, ଶ୍ୱେତଗଙ୍ଗା ପୁଷ୍କରିଣୀ ଓ ମା ଚାମୁଣ୍ଡା ମନ୍ଦିରକୁ ମଧ୍ୟ ଚିହ୍ନଟ କରିଛି NMA। ସେହିପରି ଭୁବନେଶ୍ୱର ଏକାମ୍ର କ୍ଷେତ୍ରର ବ୍ରହ୍ମେଶ୍ୱର ଓ ଅନନ୍ତ ବାସୁଦେବ ମନ୍ଦିର ପାଇଁ ଅଧିନିୟମ ପ୍ରସ୍ତୁତ ହୋଇଛି। ଏହାକୁ ଚୂଡ଼ାନ୍ତ କରିବା ପୂର୍ବରୁ ଫେବ୍ରୁଆରୀ ୧୮ ସୁଦ୍ଧା ଜନସାଧାରଣଙ୍କ ମତାମତ ଓ ଅଭିଯୋଗ ମଗାଯାଇଛି।

ସେବାୟତ କରୁଛନ୍ତି ବିରୋଧ
NMAର ପ୍ରସ୍ତାବିତ ଅଧିନିୟମକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆଲୋଚନା କରାଯାଇଛି। ଶ୍ରୀମନ୍ଦିର ପ୍ରଶାସନ ନିଜ ମତ ସଂପର୍କରେ ଜାତୀୟ ସ୍ମାରକ ପ୍ରାଧିକରଣର ଦୃଷ୍ଟି ଆକର୍ଷଣ କରିବ ବୋଲି ସୂଚନା ମିଳିଛି। ତେବେ ଏହି ପ୍ରସ୍ତାବିତ ଅଧିନିୟମକୁ ସେବାୟତମାନେ ବିରୋଧ କରିଛନ୍ତି। ଏହି ଅଧିନିୟମକୁ ବିରୋଧ କରାଯିବ ବୋଲି କହିଛନ୍ତି ବରିଷ୍ଠ ସେବାୟତ ରଜତ ପ୍ରତିହାରୀ। ସେ କହିଛନ୍ତି, ଭାବିଚିନ୍ତି ପଦକ୍ଷେପ ନେଇଥିଲେ ଭଲ ହୋଇଥା’ନ୍ତା। ଶ୍ରୀମନ୍ଦିର ସେବାୟତଙ୍କ ପକ୍ଷରୁ ଏନେଇ NMAରେ ଅଭିଯୋଗ କରାଯିବ।

The post ଶ୍ରୀମନ୍ଦିର ବିକାଶ କାର୍ଯ୍ୟରେ ବାଧା ଦେବନି ନିୟମ, ପ୍ରତିଶ୍ରୁତି ଦେଲେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2MyHJfL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages