ନୂଆଦିଲ୍ଲୀ: ବର୍ତ୍ତମାନର ବ୍ୟାଙ୍କ ଲକର ନିୟମରେ ଅସନ୍ତୋଷ ପ୍ରକାଶ କରି ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବାକୁ ଆର୍ବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ସୁପ୍ରିମକୋର୍ଟ କହିଛନ୍ତି, ବ୍ୟାଙ୍କ ଉପରେ ଭରସା କରି ଲୋକେ ଟଙ୍କା ରଖୁଛନ୍ତି, ଲକରେ ଗହଣା ରଖୁଛନ୍ତି। ବ୍ୟାଙ୍କଗୁଡ଼ିକର ଏକ ଭୁଲ ଧାରଣା ଅଛି ଯେ, ଲକରରେ ଗ୍ରାହକ କ’ଣ ରଖୁଛନ୍ତି, ସେମାନେ ଜାଣୁ ନାହାନ୍ତି। ତେଣୁ ଏହାର ସୁରକ୍ଷାର ଦାୟିତ୍ୱ ସେମାନଙ୍କର ନୁହେଁ। ଏହାକୁ ନେଇ ବାରମ୍ବାର ଗ୍ରାହକ ଓ ବ୍ୟାଙ୍କ ମଧ୍ୟରେ ମାମଲା ହେଉଛି। ତେଣୁ ଆଗୁକୁ ଆଉ ଏମିତି ଚାଲିବାକୁ ଦିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି।
ଲକରରେ ଲୋକେ କ’ଣ ରଖୁଛନ୍ତି, ତାହା ଜାଣିନାହୁଁ କହି ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଆଉ ଖସି ପାରିବେ ନାହିଁ । ବର୍ତ୍ତମାନର ଲକର ନିୟମ ଯଥେଷ୍ଟ ନୁହେଁ, ତେଣୁ ୬ ମାସରେ ରିଜର୍ଭ ବ୍ୟାଙ୍କ ନୂଆ ନିୟମ ପ୍ରସ୍ତୁତ କରୁ। ସାରା ଦେଶର ବ୍ୟାଙ୍କ ଏହି ନିୟମ ମାନିବେ ବୋଲି କହିଛନ୍ତି ସୁପ୍ରିମକୋର୍ଟ। ଆର୍ବିଆଇକୁ ନୂଆ ନିୟମ କରିବାକୁ କହି ସୁପ୍ରିମକୋର୍ଟ ଏହାର ଗାଇଡ୍ ଲାଇନ୍ ବି ଜାରି କରିଛନ୍ତି।
ଗାଇଡଲାଇନ ଗୁଡ଼ିକ ହେଲା- ଲକର ଭାଙ୍ଗିବା ପୂର୍ବରୁ ବ୍ୟାଙ୍କ କର୍ତ୍ତୃପକ୍ଷ ନିଶ୍ଚିତ ଭାବେ ଗ୍ରାହକକୁ ଅବଗତ କରିବେ। ଲକର ପରିଚାଳନା ନେଇ ଆର୍ବିଆଇ ୬ ମାସ ଭିତରେ ନୂଆ ନିୟମ ପ୍ରସ୍ତୁତ କରିବ। ଲକର୍ରେ ଥିବା ସାମଗ୍ରୀ ହଜିଲେ ବ୍ୟାଙ୍କକୁ ଦାୟୀ କରିବା ନେଇ ଆରବିଆଇ ନିୟମ କରିବ। ଲକର୍ରେ କ’ଣ ଅଛି ତାହା ଜାଣି ନାହିଁ କହି ବ୍ୟାଙ୍କ କର୍ତ୍ତୃପକ୍ଷ ନିଜ ଦାୟିତ୍ୱରୁ ଖସି ପାରିବେ ନାହିଁ। ଗ୍ରାହକମାନେ ଭରସା କରି ବ୍ୟାଙ୍କ ହେପାଜତରେ ନିଜ ସମ୍ପତ୍ତି ରଖୁଥିବାରୁ ଗ୍ରାହକଙ୍କୁ ଏମିତି ଅସୁବିଧାରେ ଛାଡ଼ି ପାରିବେ ନାହିଁ।
ବ୍ୟାଙ୍କ ଲକର ଦେୟ ପ୍ରଦାନ ନ କରିବା ଅଭିଯୋଗରେ କୋଲକାତାର ଏକ ବ୍ୟାଙ୍କ ସଂପୃକ୍ତ ଗ୍ରାହକଙ୍କୁ ନ ଜଣାଇ ଲକର୍ ଭାଙ୍ଗିଥିଲେ। ପରେ ସେ ବ୍ୟକ୍ତିଜଣକ ଦେଖିଲେ ଯେ, ସେ ଯେତେ ଅଳଙ୍କାର ରଖିଥିଲେ, ସେଥିରୁ କମ୍ ଅଛି। ଏହାର ପ୍ରତିବାଦରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ବ୍ୟାଙ୍କକୁ ୫ ଲକ୍ଷ ଟଙ୍କାର ଜୋରିମାନା କରିବା ସହିତ ଲକର୍ ନେଇ ନୂଆ ନିୟମ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଦରକାର ପଡିଲେ ସଂପୃକ୍ତ ବ୍ୟାଙ୍କ ଅଧିକାରୀଙ୍କ ଦରମାରୁ ଏହି ଟଙ୍କା ଆଦାୟ କରାଯିବ ବୋଲି କୋର୍ଟ କହିଛନ୍ତି ।
The post ‘ବ୍ୟାଙ୍କ ଲକର୍ ଦାୟିତ୍ୱ ତୁମର, ୬ ମାସରେ ନୂଆ ନିୟମ ଆଣ’ appeared first on Odisha Reporter.
from Odisha Reporter https://ift.tt/3pC1nF4
No comments:
Post a Comment