ଭୁବନେଶ୍ୱର (ଦିବାକର ଦାଶ): କିଛି ଦିନ ତଳେ ଓଡ଼ିଶା ରିପୋର୍ଟରରେ ଶାସକ ଦଳ ବିଜେଡିର ଓ୍ୱେବସାଇଟ୍ ଏବଂ ସରକାରଙ୍କ ଓ୍ୱେବସାଇଟ୍ କିଭଳି ଅସୁରକ୍ଷିତ ସେ ପ୍ରସଙ୍ଗରେ ଏକ ଖବର ପ୍ରକାଶ ପାଇଥିଲା। ଏବେ ଏହାର ପ୍ରଭାବରେ ଶାସକ ଦଳର ଓ୍ୱେବସାଇଟ ଏନକ୍ରିପଟେଡ଼ ହୋଇଛି। ହେଲେ ଏଯାଏ ସରକାରୀ ଓ୍ୱେବସାଇଟ ଏନକ୍ରିପଟେଡ ହୋଇନି।
“ଆମେ ପ୍ରଥମେ ଲୋକଙ୍କ କଥା ଚିନ୍ତା କରୁ ତା ପରେ ପାର୍ଟି କଥା ଏବଂ ଶେଷରେ ଯଦି କିଛି ସମୟ ବଂଚିଗଲା ତେବେ ନିଜ କଥା” ଏହି ଉକ୍ତିକୁ ଆଜିକାଲି ପ୍ରାୟତଃ ନେତା ମାନଙ୍କ ଭାଷଣରେ ଶୁଣିବାକୁ ମିଳେ କିନ୍ତୁ ଜନତାଙ୍କୁ ମନେ ରଖିବାକୁ ପଡିବ ଯେ ଏଇଟା କେବଳ ଭାଷଣ ମାତ୍ର ଏବଂ ଏହାକୁ ଗୁରୁତର ସହ ନିଆ ଯାଇପାରିବ ନାହିଁ | ଅନ୍ୟ ଅର୍ଥରେ ଏହା କେବଳ ଭୋଟ ପାଇବା ପାଇଁ କୁହାଯାଉଥିବା ଏକ ଡାହା ମିଛ ମାତ୍ର। ଏମାନଙ୍କ ଉଚ୍ଚାରଣ ଏବଂ ଆଚରଣ ସମ୍ପୂର୍ଣ ଓଲଟା ହୋଇଥାଏ ଅର୍ଥାତ ଏମାନେ ପ୍ରଥମେ ନିଜ କଥା ଚିନ୍ତା କରନ୍ତି ତା ପରେ ପାର୍ଟି କଥା ଏବଂ ଶେଷରେ ଯଦି କିଛି ସମୟ ବଂଚିଗଲା ତେବେ ଜନତାଙ୍କ କଥା ଚିନ୍ତା କରନ୍ତି |
ଏହାର ଏକ ସଦ୍ୟ ଉଦାହରଣ ହେଉଛି ଆମ ରାଜ୍ୟର ସରକାରୀ ଦଳ ବା ବିଜେଡି ୱେବସାଇଟ ସୁରକ୍ଷିତ ହେବା ପ୍ରସଙ୍ଗ। କିଛି ଦିନ ତଳେ ଓଡ଼ିଶା ରିପୋର୍ଟରରେ “ବିଜେଡି ଓ ରାଜ୍ୟ ସରକାରଙ୍କ ୱେବସାଇଟ୍ରେ ସୁରକ୍ଷିତ ନୁହେଁ ବ୍ୟକ୍ତିଗତ ତଥ୍ୟ!” ଶୀର୍ଷକ ଏକ ଖବର ପ୍ରକାଶ ପାଇଥିଲା | ଏହିଥିରେ କୁହାଯାଇଥିଲା ଯେ ବିଜୁ ଜନତା ଦଳର ୱେବସାଇଟ୍ ଇଣ୍ଟରନେଟ ସୁରକ୍ଷାର ନିମ୍ନତମ ମାନଦଣ୍ଡ ପୂରଣ କରୁନାହିଁ | ଇଣ୍ଟରନେଟ ସୁରକ୍ଷା କ୍ଷେତ୍ରରେ ଏନକ୍ରିପସନ୍ ହେଉଛି ଏଭଳି ଏକ ପ୍ରକ୍ରିୟା, ଯାହା ମାଧ୍ୟମରେ ଡାଟା ଏନକୋଡ୍ ବା ଏକପ୍ରକାର ଲୁକ୍କାୟିତ ହୋଇଯାଏ। ଫଳରେ ଏହା ଅନଧିକୃତଙ୍କ ପାଇଁ ଉପଲବ୍ଧ ହୋଇ ନ ଥାଏ। ବିଜୁ ଜନତା ଦଳର ୱେବସାଇଟ୍ରେ ଏହି ଏନକ୍ରିପସନ୍ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ ନାହିଁ ଅର୍ଥାତ ଏହି ସାଇଟରେ ଆପଣ ଯାହା ବି ତଥ୍ୟ ଦେବେ ତାହା ସାଇବର ଅପରାଧୀଙ୍କ ନିକଟରେ ସହଜରେ ପହଂଚି ଯାଇପାରିବ।
ସରକାରୀ ଦଳର ୱେବସାଇଟ ସହ ଏହି ଖବରରେ ଏକ ଗୁରୁତ୍ୱପୂର୍ଣ ସରକାରୀ ୱେବସାଇଟ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଥିଲା ଏବଂ କୁହାଯାଇଥିଲା ସମସ୍ତ ସରକାରୀ କର୍ମଚାରୀଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ତଥ୍ୟ ସହ ଜଡିତ ଏହି ୱେବସାଇଟରେ ମଧ୍ୟ ଏହି ଏନକ୍ରିପସନ୍ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ ନାହିଁ | ଏହାଛଡା ରାଜ୍ୟରେ ଦ୍ରୁତ ଗତିରେ ବଢି ଚାଲିଥିବା ସାଇବର ଅପରାଧ ଏବଂ ଏହାର ପ୍ରାଥମିକ କାରଣ ସମ୍ପର୍କିତ ତଥ୍ୟ ମଧ୍ୟ ଏହି ଖବରରେ ପ୍ରକାଶିତ ହେଇଥିଲା। ଓଡ଼ିଶା ରିପୋର୍ଟରରେ ଗତ ଡ଼ିସେମ୍ବର ମାସରେ ଏହି ଖବରର ପ୍ରଭାବରେ ଏବେ ଶାସକ ଦଳ ନିଜ ୱେବସାଇଟକୁ ଏହି ଫେବୃଆରୀ ୧୭ ତାରିଖରେ ଏନକ୍ରିପସନ୍ କରିଛନ୍ତି। କିନ୍ତୁ ସରକାରୀ ୱେବସାଇଟ HRMS (hrmsorissa.gov.in) ଏ ପର୍ଯ୍ୟନ୍ତ ଏନକ୍ରିପସନ୍ ହୋଇନାହିଁ |
କେବଳ http://hrmsorissa.gov.in ନୁହେଁ ଏହା ସହିତ ଆହୁତି ଅନେକ ସରକାରୀ ୱେବସାଇଟ ଯେମିତି କି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗର ୱେବସାଇଟ , ଜଳ ସମ୍ପଦ ବିଭାଗର ୱେବସାଇଟ, ପଂଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ୱେବସାଇଟ , ଗୃହ ଏବଂ ନଗର ଉନ୍ନୟନ ବିଭାଗର ୱେବସାଇଟ ଆଦି ଅନେକ ସରକାରୀ ୱେବସାଇଟ ରେ ଏହି ଏନକ୍ରିପସନ୍ ପ୍ରକ୍ରିୟା କାର୍ଯ୍ୟକାରୀ ହେଉ ନାହିଁ ଅର୍ଥାତ ଏହି ସାଇଟ ଗୁଡିକର ତଥ୍ୟ ସାଇବର ଅପରାଧୀଙ୍କ ନିମନ୍ତେ ସହଜରେ ଉପଲବ୍ଧ ହୋଇପାରିବ । ଅନ୍ୟ ଅର୍ଥରେ କହିବାକୁ ଗଲେ ରାଜ୍ୟରେ ବଢୁଥିବା ସାଇବର ଅପରାଧ ପାଇଁ ପ୍ରତ୍ୟକ୍ଷ ବା ପରୋକ୍ଷ ଭାବରେ ରାଜ୍ୟ ସରକାର ମଧ୍ୟ ଅନେକାଂଶରେ ଦାୟୀ ଅଟନ୍ତି |
ସୂଚନାଯୋଗ୍ୟ, ଏହି ଏନକ୍ରିପସନ୍ ପ୍ରକ୍ରିୟା ଖର୍ଚ୍ଚ ବହୁତ କମ୍। ତଥାପି ସରକାରୀ ୱେବସାଇଟ ଗୁଡି଼କ ଏନକ୍ରିପସନ୍ ନ ହେବା ସରକାରୀ ଉଦାସୀନତା ଏବଂ ଖାମଖିଆଲି ମନଭାବକୁ ଦର୍ଶାଉଛି।
The post ସୁରକ୍ଷିତ ହେଲା ବିଜେଡି ଓ୍ୱେବସାଇଟ୍, ସରକାରୀ ଓ୍ୱେବସାଇଟ୍ କେବେ? appeared first on Odisha Reporter.
from Odisha Reporter https://ift.tt/3r8BjD4
No comments:
Post a Comment