ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ମହାମାରୀ କରୋନା ଗ୍ରାଫ୍ ତଳମୁହାଁ ହୋଇଥିବା ବେଳେ ଏବେ ପୁଣି ଲୋକଙ୍କ ଚିନ୍ତା ବଢ଼ାଇଛି ନୂଆ ଷ୍ଟ୍ରେନ୍। ଗୁଜରାଟ, ମହାରାଷ୍ଟ୍ର, ଛତିଶଗଡ଼ ପରି ରାଜ୍ୟରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ହେବା ପରେ ପୁଣି ଆରମ୍ଭ ହୋଇଯାଇଛି ଲକ୍ଡାଉନ୍। ଏପରି ସ୍ଥିତିରେ ପୁଣି ଥରେ କରୋନାର କୋପକୁ ନେଇ ଲୋକେ ଭୟଭୀତ ଅବସ୍ଥାରେ ଥିବା ବେଳେ ରାଜ୍ୟରେ ଟ୍ରାକ୍କୁ ଫେରୁଥିବା ଶିକ୍ଷା ବ୍ୟବସ୍ଥାକୁ ନେଇ ଦେଖାଦେଇଛି ଆଶଙ୍କା।
ରାଜ୍ୟରେ କରୋନା କୋପ କମିବା ପରେ ଦୀର୍ଘ ୯ ମାସ ପରେ ଜାନୁଆରୀ ମାସରୁ ଧୀରେ ଧୀରେ ଶିକ୍ଷାନୁଷ୍ଠାନ ଖୋଲିଥିଲା। ପ୍ରଥମେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କୁ ସ୍କୁଲ୍ ଯିବାକୁ ଅନୁମତି ମିଳିଥିଲା। ପରେ ପରେ ନବମ, ଏକାଦଶ ସହିତ ଅଙ୍ଗନବାଡ଼ି ଗୁଡ଼ିକୁ ଖୋଲିବାକୁ ଅନୁମତି ଦିଆଯାଇଥିଲା। ରାଜ୍ୟରେ କରୋନାର ପ୍ରକୋପ ବହୁତ କମି ଯାଇଥିବା ବେଳେ ଖୁବ୍ଶୀଘ୍ର ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲି ଯିବ ବୋଲି ଆଶା କରାଯାଉଥିଲା। କିନ୍ତୁ କିଛି ରାଜ୍ୟରେ ପୁଣି କରୋନାର ପ୍ରକୋପ ଦେଖାଯିବା ପରେ ଏବେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ନେଇ ଆଶଙ୍କା ସୃଷ୍ଟି ହୋଇଛି।
ସେହିଭଳି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଆଜିର ମନ୍ତବ୍ୟ ମଧ୍ୟ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଖୋଲିବା ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମନ୍ତ୍ରୀ କହିଛନ୍ତି, ମହାରାଷ୍ଟ୍ର ଓ ଗୁଜରାଟରେ ପୁଣି ଥରେ ଲକ୍ଡାଉନ୍ ଆରମ୍ଭ ହୋଇଛି। ତେଣୁ ଏପରି ସ୍ଥିତିରେ ରାଜ୍ୟରେ ସ୍କୁଲ ଖୋଲିବା ନେଇ କୌଣସି ନୀତିଗତ ନିଷ୍ପତ୍ତି ନିଆଯାଇନି। ଏନେଇ ବିଚାର ବିମର୍ଶ ଚାଲିଛି। କିନ୍ତୁ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇନି।
ସୂଚନାଯୋଗ୍ୟ, ଏବେ ଯେଉଁ ଶ୍ରେଣୀଗୁଡ଼ିକୁ ଖୋଲିବାକୁ କୁହାଯାଇଛି, ସେଗୁଡ଼ିକରେ କେବଳ ପାଠପଢ଼ା ଚାଲିଛି। ରବିବାରରେ ବି କ୍ଲାସ୍ ହେଉଛି। କିନ୍ତୁ ଅନ୍ୟ ସବୁ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି। ଗାଇଡଲାଇନ୍ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲଗୁଡ଼ିକୁ ସାନିଟାଇଜେସନ କରାଇବାକୁ ନିର୍ଦ୍ଦେଶ ଜାରି ହୋଇଛି । ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱକୁ ବାଧ୍ୟତାମୁଳକ କରାଯାଇଛି । ଥର୍ମାଲ ସ୍କ୍ରିନିଂ, ହ୍ୟାଣ୍ଡ ୱାଶ ଓ ସାନିଟାଇଜର ବ୍ୟବହାର ବାଧ୍ୟତାମୂଳକ ହୋଇଛି।
The post ପ୍ରଥମରୁ ଅଷ୍ଟମ ଖୋଲିବ କି? ଜାଣନ୍ତୁ, କ’ଣ କହିଲେ ମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2ZISsHo
No comments:
Post a Comment