ରେଢାଖୋଲ(ରମାକାନ୍ତ ମହାନନ୍ଦ): ଗୋଟିଏ ଦିନରେ ଝିଅ ନିଜ ନୂଆ ସଂସାର ଗଢ଼ୁଥିବା ବେଳେ ଉଜୁଡ଼ିଗଲା ମା’ର ସଂସାର। ବେଦୀରେ ବସି ହୋମ ନିଆଁକୁ ସାକ୍ଷୀ ରଖି ଝିଅ ଶଙ୍ଖା, ସିନ୍ଦୁର ପିନ୍ଧିବା ପରେ ମା’ ମୁଣ୍ଡରୁ ପୋଛା ହେଲା ସିନ୍ଦୁର। ଝିଅ ବାହାଘର ଦିନ ହିଁ ଚାଲିଗଲା ବାପାର ଜୀବନ। ଝିଅ ବିବାହର ହୋମ ନିଆଁ ଜଳିବାର କିଛି ସମୟ ପରେ ଜଳିଲା ବାପାର ଚିତା। ଏପରି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସମ୍ୱଲପୁର ଜିଲ୍ଲା ଯୁଯୁମୁରା ଥାନା ଡଙ୍ଗାପାଳର ଗାଁରେ। ଝିଅ ବାହାଘରକୁ ସୁରୁଖୁରରେ ଶେଷ କରିବା ପାଇଁ ପରିବାର ଲୋକ ମେଡିକାଲ ବେଡରେ ବାପାର ମୃତଦେହକୁ ପକାଇ ରଖିଲେ। ଝିଅ ଶାଶୁ ଘରକୁ ବିଦା ହେବା ପରେ ଘରେ ପହଞ୍ଚିଲା ବାପାର ମୃତଦେହ। ଆଉ ନିମିଷେକେ ମଧ୍ୟରେ ହସଖୁସିର ପରିବେଶ କାନ୍ଦବୋବାଳିରେ ଫାଟି ପଡ଼ିଲା।
ଗତକାଲି ଗାଁର ଦୁର୍ଯୋଧନ ନାୟକ ଓ ସୁଶିଳା ନାୟକଙ୍କ ଝିଅର ବାହାଘର ପାଇଁ ସବୁକିଛି ପ୍ରସ୍ତୁତ ସରିଥାଏ। ବନ୍ଧୁବାନ୍ଧବଙ୍କ କୋଳାହଳରେ ପରିବେଶ ଫାଟି ପଡ଼ୁଥାଏ । ବରଯାତ୍ରୀ ଘରେ ପହଞ୍ଚିବା ପୂର୍ବରୁ ଅସୁସ୍ଥ ଥିବା ଦୁର୍ଯୋଧନ ହଠାତ ଗୁରୁତର ହୋଇପଡ଼ିଲେ। ତୁରନ୍ତ ପରିବାର ଲୋକେ ତାଙ୍କୁ ସ୍ଥାନୀୟ ମେଡିକାଲକୁ ଚିକିତ୍ସା ପାଇଁ ନେଇଗଲେ । କିନ୍ତୁ ବିଧିରବିଧାନର କିଛି ଥିଲା ଅଲଗା। ମେଡିକାଲରେ ହିଁ ଜୀବନ ଚାଲିଗଲା ଦୁର୍ଯୋଧନଙ୍କ ଜୀବନ।
ସେପଟେ ବାହାଘର ପାଇଁ ବରଯାତ୍ରୀ ପହଞ୍ଚି ସାରିଥିବା ବେଳେ ବର ଯେପରି ଫେରି ନ ଯାଏ, ସେଥିପାଇଁ ଦୁର୍ଯୋଧନଙ୍କ ମୃତଦେହକୁ ମେଡିକାଲରେ ପକାଇ ରଖିଲେ ପରିବାର ଲୋକ। ଝିଅ ବିଦା ହେବା ପରେ ମୃତଦେହ ଘରେ ପହଞ୍ଚିଥିଲା। ହସଖୁସିରେ ଫାଟି ପଡ଼ୁଥିବା ପରିବେଶରେ ହଠାତ ଦୁଃଖର କଳାବାଦଲ ଘେରିଗଲା।
ମଥାରେ ସିନ୍ଦୁର,ହାତରେ ଶଙ୍ଖା ଲଗାଇ ଝିଅ ବାପ ଘରୁ ଗୋଡ଼ କାଢ଼ି ନିଜ ନୂଆ ସଂସାରରେ ପାଦ ଦେବାକୁ ଯିବା ପରେ ମଶାଣି ଜୁଇରେ ବାପା ସବୁଦିନ ପାଇଁ ସଂସାରରୁ ବିଦାୟ ନେଲେ। ଫଳରେ ଝିଅ ଶେଷ ଥର ପାଇଁ ନିଜ ବାପାକୁ ଦେଖିପାରିଲାନି। ପରିବାର ଲୋକେ ଏବେ ଦୁଃଖରେ ପଢିରହିଥିବା ବେଳେ, ଦୁର୍ଯୋଧନଙ୍କ ଶୁଦ୍ଧିକ୍ରିୟା ପରେ ହିଁ ଝିଅର ଜିନିଷପତ୍ର ନେଇ ତା’ ଶାଶୁ ଘରେ ଦେବାକୁ ଗାଁ ଲୋକେ ନିଷ୍ପତି ନେଇଥିବା କହିଛନ୍ତି।
The post ବିବାହ ବେଦୀରେ ଝିଅ, ମେଡିକାଲରେ ଗଲା ବାପାର ଜୀବନ appeared first on Odisha Reporter.
from Odisha Reporter https://ift.tt/3qP3mqI
No comments:
Post a Comment