ସୁନ୍ଦରଗଡ଼(ଭାଗିରଥୀ ସାହୁ): ଅଜଣା ନମ୍ବରରୁ ଆସିଲା ହ୍ୱାଟସ୍ ଅପ୍ କଲ୍। ଆଖି ଆଗରେ ପୁଳା ପୁଳା ଟଙ୍କା। କହିଲେ ଲିଙ୍କରେ କ୍ଲିକ କର, ତୁମେ ବି ହୋଇଯିବ ମାଲେମାଲ। ମିଳିବ ୨୫ ଲକ୍ଷ ଟଙ୍କା। ଏଥିରେ ଫସି ଲିଙ୍କ କ୍ଲିକ କରୁ କରୁ ଆକାଉଣ୍ଟରୁ ଗାଏବ ହୋଇଗଲା ୫୫ ହଜାର ଟଙ୍କା। ଏପରିକି ମୋବାଇଲ ଅକାମୀ ହେବା ସହ ୨ ଦିନ ହେବ କାମ କରୁନି ହ୍ୱାଟସ୍ ଅପ୍। ଅଭିବନ ଉପାୟରେ ଏପରି ଅନଲାଇନ୍ ଠକେଇର ଶିକାର ହୋଇଛନ୍ତି ସୁନ୍ଦରଗଡ ଜିଲ୍ଲା କୁତ୍ରା ବ୍ଲକ୍ କିରିଙ୍ଗସେରା ପଞ୍ଚାୟତର ସକୁନ୍ଦ ନାଏକ।
ସକୁନ୍ଦଙ୍କ ତରଫରୁ ମିଳିଥିବା ସୂଚନା ଅନୁଯାୟୀ, ଗତ ଗୁରୁବାର ତାଙ୍କ ନିକଟକୁ ଏକ ଅଜଣା କଲ୍ ଆସିଥିଲା। ଅପରପାର୍ଶ୍ୱର ବ୍ୟକ୍ତିଜଣକ ନିଜକୁ କେବିସିର କଷ୍ଟମର ଅଫିସର ବୋଲି ପରିଚୟ ଦେଇଥିଲେ। କହିଲେ, “ସାର୍ ନମସ୍କାର, ମୁଁ ବମ୍ବେରୁ କହୁଛି ରାଜେଶ ଶର୍ମା, କେବିସିର କଷ୍ଟମର ଅଫିସର । ଆପଣଙ୍କ ଯେଉଁ ନମ୍ବର ହ୍ୱାଟସ୍ ଅପ୍ ଚାଲୁଛି, ସେହି ନମ୍ବରରେ ଆପଣଙ୍କର ୨୫ ଲକ୍ଷର ଲଟେରି ଲାଗିଛି।
ଏହାପରେ କହିଲେ କମ୍ପାନୀ ତରଫରୁ ହୋଇଥିବା ପ୍ରତିଯୋଗିତାରେ ୫ ହଜାର ନମ୍ବର ସାମିଲ ହୋଇଥିଲା। ଏଥିରେ ଜିଓ, ଏୟାରଟେଲ, ଭୋଡାଫୋନ, ଆଇଡିଆ, ବିଏସ୍ଏନ୍ଏଲ ନମ୍ବର ସାମିଲ ହୋଇଥିଲା। ହେଲେ ଆପଣଙ୍କ ନମ୍ବର ବିଜେତା ହୋଇଛି ।
ଏହାପରେ ଅପରପାର୍ଶ୍ୱର ବ୍ୟକ୍ତିଜଣକ ଏହି ଲଟେରିର ଡିଟେଲ ଆପଣଙ୍କ ହ୍ୱାଟସ୍ ଅପ୍କୁ ଯାଇଛି। ସେଥିରେ ଜଣେ ମ୍ୟାନେଜରଙ୍କ ନମ୍ବର ଅଛି। ତାକୁ ସେଭ କରନ୍ତୁ। ଏହାପରେ ଉକ୍ତ ନମ୍ବରରେ ହ୍ୱାଟସ୍ ଅପ୍ କଲ୍ କରନ୍ତୁ। ସାଧାରଣ କଲ୍ ହୋଇପାରିବ ନାହିଁ। ଏହାପରେ ଅପର ପାର୍ଶ୍ୱର ବ୍ୟକ୍ତିଙ୍କୁ ଲଟେରି ନମ୍ବର କହିବେ। ତା’ ପରେ ବାକି ଡାଟା ସେଠୁ ମିଳିବ ବୋଲି କହିଥିଲେ।
ତା’ ପରେ ସକୁନ୍ଦ କିଛି ବୁଝିବା ଆଗରୁ ଅପର ପାର୍ଶ୍ୱ ବ୍ୟକ୍ତିଜଣକ ହ୍ୱାଟସ୍ ଅପ୍ କଲ୍ କରି ୨ ହଜାର ଟଙ୍କିଆ ବିଡ଼ା ବିଡ଼ା ନୋଟ ଦେଖାଇଲେ। କହିଲେ ଲିଙ୍କ ପଠାଉଛୁ, ୧,୦୦୦ ଡାଏଲ କରନ୍ତୁ। ଏହାପରେ ସେ ଲିଙ୍କରେ କ୍ଲିକ କରି ୧୦୦୦ ଡାଏଲ କରୁ କରୁ ଆକାଉଣ୍ଟରୁ ୫୫ ହଜାର ଟଙ୍କା ଗାଏବ ହୋଇଗଲା। ମୋବାଇଲ ଅକାମୀ ହୋଇଗଲା। ହ୍ୱାଟସ୍ ଅପ୍ କାମ କରୁନି।
ସକୁନ୍ଦ ଏବେ ମୁଣ୍ଡରେ ହାତ ଦେଇ ବସିଥିବା ବେଳେ ଏ ନେଇ ସେ ଥାନାର ଦ୍ୱାରସ୍ଥ ହୋଇ ନ ଥିବା ଜଣାଯାଇଛି।
The post ବିଡ଼ା ବିଡ଼ା ଟଙ୍କା ଦେଖାଇଲେ, ଲୁଟି ନେଲେ ୫୫ ହଜାର appeared first on Odisha Reporter.
from Odisha Reporter https://ift.tt/2OyrbVI
No comments:
Post a Comment