କଳାହାଣ୍ଡି(ରାଜ କୁମାର ସିଂଦେଓ): ଥରକୁ ଥର ହାତରେ ଲାଗୁଥିଲା ମେହେନ୍ଦି। ବାଜୁଥିଲା ସେହେନାଇ। ଭୋଜିଭାତ ହେଉଥିଲା। ହାତରେ ଶଙ୍ଖା, ମଥାରେ ସିନ୍ଦୁର ପିନ୍ଧି କନିଆ ବିଦା ହୋଇ ଶାଶୁ ଘରକୁ ଯାଉଥିଲା। ହେଲେ ଏପରି ସତସତିକା ବାହାଘରରେ କନିଆ କିନ୍ତୁ ମିଛ ସାଜୁଥିଲା। ଥରେ ନୁହେଁ ଏପରି ୪ ଥର ବିବାହ ପରେ ଧରାପଡ଼ିଛି ମିଛି ମିଛିକା କନିଆ ସାଜୁଥିବା ଯୁବତୀ। ଏଥିସହ ତାକୁ ଏଥିରେ ସହଯୋଗ କରୁଥିବା ୩ ଜଣଙ୍କୁ ବି ବାନ୍ଧିଛି ପୁଲିସ୍। ଏପରି ଏକ ନକଲି ବିବାହ ଠକ ଦଳକୁ ଗିରଫ କରିଛି କଳାହାଣ୍ଡି ପୁଲିସ୍।
ଗିରଫ ଠକ୍ ଦଳର ଚାରି ଜଣ ସଦସ୍ୟ ହେଲେ ସୁନ୍ଦରଗଡର ଏଲି .ମହନ୍ତ, ବଲାଙ୍ଗୀର କଣ୍ଟାବାଞ୍ଜି ର ବିରବଲ ଶର୍ମା , ଛତିଶଗଡ ମହାସମୁନ୍ଦର ମିନା ଗୁପ୍ତା ଓ ଛତିଶଗଡ ବିଲାସପୁର ଶ୍ରବଣ ସୋନି ।
ବିବାହ ନିମନ୍ତେ କନିଆ ପ୍ରସ୍ତୁତ ଥିବା କହି ଠକ ଦଳର ସଦସ୍ୟ ତା’ର ମା’, ମାମୁ ଓ ଭାଇ ସାଜୁଥିଲେ। ଏହି ଠକ ଦଳ ବୟସ୍କ ତଥା ବିବାହ ବିଚ୍ଛେଦ ବ୍ୟକ୍ତିଙ୍କୁ ଟାର୍ଗେଟ କରୁଥିଲେ। ଏହାପରେ ବିବାହ ନିମନ୍ତେ ୪ ଲକ୍ଷର ଡିଲ୍ କରୁଥିଲେ। ମୁଖ୍ୟ ଅଭିଯୁକ୍ତ ନକଲି ବଧୂ ଏଲି ମହନ୍ତ ନାଁରେ ପୂର୍ବରୁ ୩ ଗୋଟି ବିବାହ କରିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ ହୋଇଛି । ବିବାହର କିଛି ମାସ ପରେ ଶାଶୁ ଘରେ ନିର୍ଯାତନା ଦିଆଯାଉଥିବା ବାହାନା କରି ଝିଅ ଫେରାର ମାରୁଥିଲା ।
ଯୁବତୀଜଣକ ପୂର୍ବରୁ ରାଜ୍ୟରେ ତଥା ରାଜ୍ୟ ବାହାରେ ବିବାହ କରିସାରି ଟଙ୍କା ଲୁଟି ସାରିଥିବା ବେଳେ ଏଥର ଟାର୍ଗେଟ କରିଥିଲା କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଥାନା ଅଂଚଳର ଜଣେ ବ୍ୟସ୍କ ବ୍ୟକ୍ତିଙ୍କୁ। ଗତ ଜୁନ୍ ମାସରେ ଯୁବତୀଜଣକ ଉକ୍ତ ବ୍ୟକ୍ତିଙ୍କୁ ବିବାହ କରିଥିଲା। ବିବାହର କିଛି ମାସ ଠିକ୍ଠାକ୍ ଚାଲିବା ପରେ ଯୁବତୀଜଣକ ବିଭିନ୍ନ ବାହାନା କରି ସେଠାରୁ ପଳାଇ ଆସିବାକୁ ଚେଷ୍ଟା କଲେ।
ଇତିମଧ୍ୟରେ ତାଙ୍କୁ ବିବାହ କରିଥିବା ବ୍ୟକ୍ତିଙ୍କର ସନ୍ଦେହ ହେବାରୁ ସେ ନିଜ ପତ୍ନୀଙ୍କ ଆଧାର କାର୍ଡ ଦେଖିଥିଲେ। ସେଥିରେ ତାଙ୍କର ବିଭିନ୍ନ ନାଁ ଥିବା ଜାଣିବାକୁ ପାଇଥିଲେ। ଏହାପରେ ଯୁବତୀଜଣକ ସେଠାରୁ ଗତ ଅକ୍ଟୋବରରେ ପଳାଇ ଆସିଥିଲେ। ଏହାପରେ ତାଙ୍କୁ ବିବାହ କରିଥିବା ବ୍ୟକ୍ତି ଏନେଇ ରାମପୁର ଥାନାରେ ମାମଲା ରୁଜୁ କରିଥିଲେ।
ଏହାପରେ ପୁଲିସ୍ ଖୋଳତାଡ଼ କରି ଯୁବତୀଙ୍କ ସମେତ ଉକ୍ତ ଦଳର ୪ ଜଣଙ୍କୁ ବିଭିନ୍ନ ଜାଗାରୁ ଗିରଫ କରିଛି। ଏଭଳି ଏହି ଠକ ଦଳ ଦ୍ୱାରା ଯଦି କେହି ଠକେଇ ର ଶିକାର ହୋଇଥାନ୍ତି ତେବେ କଳାହାଣ୍ଡି ପୁଲିସ୍କୁ ସୂଚନା ଦେବାକୁ ଏସ୍ପି ନିବେଦନ କରିଛନ୍ତି।
The post ସତ ବାହାଘର, ମିଛ କନିଆ; ୪ ଥର ବିବାହ କରିବା ପରେ ଫସିଲେ ଯୁବତୀ appeared first on Odisha Reporter.
from Odisha Reporter https://ift.tt/3dDiRhL
No comments:
Post a Comment