ମୁମ୍ବାଇ: ମହାରାଷ୍ଟ୍ରରେ ଦିନକୁ ଦିନ କରୋନା ସ୍ଥିତି ବେକାବୁ ହେବାରେ ଲାଗିଛି। ଉଭୟ ସଂକ୍ରମିତ ଓ ମୃତ୍ୟୁସଂଖ୍ୟା ହୁହୁ ହୋଇ ବଢ଼ୁଥିବାରୁ ସରକାର ଚିନ୍ତାରେ ପଡ଼ିଛନ୍ତି। ସ୍ଥିତି ଏପରି ହୋଇଛି ଯେ ବୁଧବାର କରୋନା ସଂକ୍ରମିତଙ୍କ ସଂଖ୍ୟା ୧୨୯ ଦିନର ରେକର୍ଡ ଭାଙ୍ଗି ଦେଇଛି। ୧୦ ଦିନ ତଳେ ରାଜ୍ୟରେ ଧୀରେଧୀରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବା ଆରମ୍ଭ କରିଥିଲା। ଏବେ ଏହାର ବେଗ ବୃଦ୍ଧି ପାଇଲାଣି।
ବୁଧବାର ରାଜ୍ୟରେ ୮,୮୦୭ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ଅକ୍ଟୋବର ୧୮ ତାରିଖରେ ଶେଷଥର ପାଇଁ ରାଜ୍ୟରେ ୯,୦୬୦ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସେବେଠାରୁ ସଂକ୍ରମିତଙ୍କ ସଂଖ୍ୟା ହ୍ରାସ ପାଇଥିଲା। କେବେ ହେଲେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୮ ହଜାର ଡେଇଁ ନଥିଲା। ତେବେ ବୁଧବାର ୧୨୯ ଦିନ ମଧ୍ୟରେ ରାଜ୍ୟରେ ସବୁଠାରୁ ଅଧିକ କରୋନା ରୋଗୀ ସାମ୍ନାକୁ ଆସିଛନ୍ତି।
ଅନ୍ୟପକ୍ଷରେ ବିଗତ ୨ ମାସ ମଧ୍ୟରେ ସର୍ବାଧିକ କରୋନା ଜନିତ ମୃତ୍ୟୁ ମଧ୍ୟ ବୁଧବାର ମହାରାଷ୍ଟ୍ରରେ ଘଟିଛି। ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ କରୋନାରେ ଆକ୍ରାନ୍ତ ହୋଇ ୮୦ ଜଣ ଲୋକ ଆଖି ବୁଜିଛନ୍ତି। ଡିସେମ୍ବର ୨୪ରେ ରାଜ୍ୟରେ ୮୯ ଜଣ ଲୋକ ପ୍ରାଣ ହରାଇଥିଲେ। ଏହାପରଠାରୁ ମୃତ୍ୟୁସଂଖ୍ୟା ହ୍ରାସ ପାଇଥିଲା। ଏବେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୧,୨୧,୧୧୯ ଓ ମୃତକଙ୍କ ସଂଖ୍ୟା ୫୧,୯୩୭ରେ ପହଞ୍ଚି ଯାଇଛି।
ମୁମ୍ବାଇରେ ମଧ୍ୟରେ ୩ ମାସ ମଧ୍ୟରେ ସର୍ବାଧିକ କରୋନା ରୋଗୀ ବୁଧବାର ଚିହ୍ନଟ ହୋଇଛନ୍ତି। ଏଠାରେ ୧୧୬୭ ଜଣଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ଏହା ୧୧୯ ଦିନ ମଧ୍ୟରେ ସର୍ବାଧିକ। ଅକ୍ଟୋବର ୨୮ରେ ଶେଷଥର ପାଇଁ ମୁମ୍ବାଇରେ ୧୧୬୭ରୁ ଅଧିକ ଲୋକଙ୍କ ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା।
ସେହିପରି ୮୮ ଦିନ ପରେ ସହରରେ ହଜାରେରୁ ଅଧିକ ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ତେବେ ଆଶ୍ୱସ୍ତର ବିଷୟ ହେଲା, ଏବେ ବି ମୁମ୍ବାଇରେ କରୋନା ମୃତ୍ୟୁସଂଖ୍ୟା ଏକ ଅଙ୍କ ବିଶିଷ୍ଟ ରହିଛି। ୨୪ ଘଣ୍ଟାରେ ଏଠାରେ ୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ଏହାକୁ ମିଶାଇ ସହରରେ ମୋଟ ମୃତ୍ୟୁସଂଖ୍ୟା ୧୧,୪୫୮ରେ ପହଞ୍ଚି ଯାଇଛି।
The post ୧୨୯ ଦିନ ପରେ ରାଜ୍ୟରେ ଚିହ୍ନଟ ହେଲେ ସର୍ବାଧିକ କରୋନା ରୋଗୀ appeared first on Odisha Reporter.
from Odisha Reporter https://ift.tt/3uu2Kch
No comments:
Post a Comment