ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଖରା ଦିନ ଆସିଗଲେ ଓଡ଼ିଆ ଘରେ ଖୋଜା ପଡ଼େ ପଖାଳ। ଓଡିଆଙ୍କ ଏହି ପାରମ୍ପରିକ ଓ ପ୍ରିୟ ଖାଦ୍ୟକୁ ମିଳିଛି ସ୍ୱତନ୍ତ୍ର ପରିଚୟ। ଯେତେ ଯାହା ଖାଇଲେ ବି ପଖାଳ ମୁଠେ ପେଟରେ ପଡ଼ିଗଲେ ମନ ଓ ଦେହକୁ ଯେଉଁ ଶାନ୍ତି ମିଳେ, ତାହା ଅନ୍ୟ କେଉଁଥିରେ ମିଳେନାହିଁ। ଓଡ଼ିଶା ଓ ଓଡ଼ିଆଙ୍କ ଖାଦ୍ୟରୁଚି ତାଲିକାରେ ପଖାଳର ସ୍ଥାନ ସ୍ୱତନ୍ତ୍ର।
ଏହାକୁ ଦୃଷ୍ଟିରେ ରଖି, ବିଶ୍ୱର କୋଣଅନୁକୋଣରେ ଓଡ଼ିଆଙ୍କର ଏହି ପାରମ୍ପରିକ ଓ ସୁସ୍ୱାଦୁ ଖାଦ୍ୟକୁ ଲୋକପ୍ରିୟ କରାଇବାକୁ ମାର୍ଚ୍ଚ ୨୦ ତାରିଖକୁ ଅର୍ଥାତ ବର୍ଷର ଆଜି ଦିନଟିକୁ ‘ବିଶ୍ୱ ପଖାଳ ଦିବସ’ ଭାବେ ପାଳନ କରାଯାଉଛି।
ପୂର୍ବରୁ ପଖାଳକୁ ଗରିବର ଖାଦ୍ୟ ବୋଲି କୁହାଯାଉଥିଲା। ହେଲେ ଏହି ପରିଚୟ କ୍ରମଶଃ ବଦଳି ଯାଇଛି। ଆଜିକାଲିର ଚାକଚକ୍ୟ ଭରା ଦୁନିଆରେ ମଧ୍ୟ ପଖାଳ ତା’ର ଅସ୍ତିତ୍ୱ ହରାଇ ନାହିଁ। ଗରିବ ଘର ସମେତ ସମ୍ଭ୍ରାନ୍ତ ଘରର ଡାଇନିଂ ଟେବୁଲ ଓ ତାରକା ହୋଟେଲର ମେନୁରେ ମଧ୍ୟ ପଖାଳର ଚାହିଦା ଢେର ଅଧିକ।
ପଖାଳ କଂସାଏ ସାଙ୍ଗକୁ ଆଳୁ ଭରତା, ବାଇଗଣ ପୋଡ଼ା, ବଢ଼ିଚୁରା, ମାଛଭଜା, ଶାଗ, ବଡ଼ିଚୁରା ହୋଇଗଲେ କଥା ନିଆରା। କିଛି ନ ହେଲେ ବି ପିଆଜ ଓ ଲଙ୍କା ସହ ପଖାଳ କଂସାଏ ଖାଇ ତୋରାଣି ଢୋକେ ପିଇଦେଲେ ଯେଉଁ ଶାନ୍ତି ମିଳେ ତାହା କୌଣସି ଫାଷ୍ଟ ଫୁଡ୍ରେ କେବେବି ମିଳେ ନାହିଁ। ସବୁ ଦୃଷ୍ଟିରୁ ପଖାଳ ଦେହ ପାଇଁ ମଧ୍ୟ ସ୍ୱାସ୍ଥ୍ୟପ୍ରଦ। ପାଶ୍ଚାତ୍ୟମୁଖୀ ହୋଇ ଓଡ଼ିଆମାନେ ନିଜ ସଂସ୍କୃତି, ପରମ୍ପରା ଓ ଖାଦ୍ୟକୁ ଭୁଲି ଯାଇଥିବା ବେଳେ ପଖାଳକୁ କିନ୍ତୁ ଭୁଲି ପାରି ନାହାନ୍ତି।
ବିଭିନ୍ନ ଦେବାଦେବୀଙ୍କ ପାଖରେ ଦହି ପଖାଳ ଭୋଗ ଲାଗିବାର ମଧ୍ୟ ପରମ୍ପରା ଅଛି। ପଖାଳକୁ ଆହୁରି ସୁଆଦିଆ କରିବାକୁ ସେଥିରେ ଦହି, ଆମ୍ବ କସି ଅଦା, ଲେମ୍ବୁ, ପୁଦିନାପତ୍ର ଲେମ୍ବୁ ଆଦି ପକାଯାଏ। ନିଜ ପସନ୍ଦ ଅନୁଯାୟୀ, ଲୋକେ ସଜ ପଖାଳ, ବାସି ପଖାଳ, ଦହି ପଖାଳ ତ ଛୁଙ୍କ ପଖାଳ ଖାଇବାକୁ ଭଲ ପାଇଥାନ୍ତି। ଖରା ଦିନେ ତ ପଖାଳର ଚାହିଦା ଅଧିକ। ତେଣୁ ଏହି ସମୟରେ ଘର ସହିତ ବଡ଼ ବଡ଼ ହୋଟେଲ ରେ ବି ଏହା ମିଳିଥାଏ। ପଖାଳର ଲୋକପ୍ରିୟତା ଏତେ ଯେ ବର୍ତ୍ତମାନର ଅତ୍ୟାଧୁନିକ ଖାଦ୍ୟ ମଧ୍ୟରେ ପଖାଳ ତା’ର ସତ୍ତା କି ମହକ ହରାଇ ନାହିଁ।
The post ଆଜି ବିଶ୍ୱ ପଖାଳ ଦିବସ; ହଜିନି ଚମକ, ଏବେ ବି ପ୍ରଥମ ପସନ୍ଦ appeared first on Odisha Reporter.
from Odisha Reporter https://ift.tt/3eYAucs
No comments:
Post a Comment