ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଘର ସିଲ୍ କରିବାକୁ ଆସିଲେ ଅଫିସରଙ୍କୁ ଘରେ ପୂରାଇ ସିଲ୍ କରିଦେବୁ। ଆଉ ସେହି ଘରେ ଲଙ୍କା ଧୂଆଁ ଦେବୁ। ଆଜି ଏପରି ଚେତାବନୀ ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି)ର ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ବିକ୍ଷୋଭ କରୁଥିବା ବେଳେ ଏଭଳି ଢଙ୍ଗରେ ବର୍ଷିଛନ୍ତି ସୁର ।
ସେ କହିଛନ୍ତି-“ବିଏମ୍ସି କମିଶନର ବହୁତ ଭଲ ଲୋକ। ଅର୍ବାନ ସେକ୍ରେଟାରୀ ଓ ମିନିଷ୍ଟର ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବୃଦ୍ଧି କରିଛନ୍ତି। ଆଉ କହୁଛନ୍ତି, ଯିଏ ଟ୍ୟାକ୍ସ ନଦେବ ଘର ସିଲ୍ କରିଦେବେ। ଯିଏ ଘର ସିଲ୍ କରିବାକୁ ଆସିବ, ତାକୁ ଘରେ ପୂରାଇ ସିଲ କରିଦେଇ ଲଙ୍କା ଧୂଆଁ ଦେବୁ।”
ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି-“ଭୁବନେଶ୍ୱର ଏକ ପୁରୁଣା ସହର। ଏଠାରେ ଆଦିମକାଳରୁ ଲୋକେ ବାସ କରୁଛନ୍ତି। ଏଠି ଗରିବ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକେ ବାସ କରୁଛନ୍ତି। ଏମାନେ ଜମିର ଲ୍ୟାଣ୍ଡମାର୍କ ପ୍ରାଇସ୍କୁ ହୋଲ୍ଡିଂ ଟ୍ୟାକ୍ସ ସହିତ ସାମିଲ କରିଦେଉଛନ୍ତି। ଏହା କେବଳ ଧନୀ ଲୋକଙ୍କୁ ସୁହାଉଛି। ଏହାର ଅର୍ଥ ଏ ସହରରେ ଜଣେ ଗରିବ, ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ ରହିପାରିବେ ନାହିଁ? ୧୦ ଗୁଣା ହୋଲ୍ଡିଂ ଟ୍ୟାକ୍ସ ବଢ଼ିଲେ ସାଧାରଣ ଲୋକଙ୍କ ପକ୍ଷେ କଷ୍ଟକର ହେବ। ଏହା ବିରୋଧରେ ଆମର ଏ ପ୍ରତିବାଦ।”
ଭୁବନେଶ୍ୱର ମହାନଗର ନିଗମ ଲାଗୁ କରିଥିବା ବର୍ଦ୍ଧିତ ଫି’ ପ୍ରତ୍ୟାହାର ଆଜି କଂଗ୍ରେସ ପୁଣିଥରେ ରାସ୍ତାକୁ ଓହ୍ଲାଇଛି। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ ଦଳର ବହୁ ନେତା ଓ କର୍ମୀ ଭୁବନେଶ୍ୱରରେ ବିକ୍ଷୋଭ କରିଛନ୍ତି। କଂଗ୍ରେସ କର୍ମୀ ଓ ନେତାମାନେ ମାଉସୀ ମା’ ଛକରୁ ବିଶାଳ ଶୋଭାଯାତ୍ରାରେ ବାହାରି ବିଏମ୍ସି ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ। ସେଠାରେ ପ୍ରତିବାଦ କରି ତୁରନ୍ତ ବର୍ଦ୍ଧିତ ଟିକସ୍ ପ୍ରତ୍ୟାହାର କରିବାକୁ ଦାବି କରିଥିଲା।
ସୂଚନାରୁ ପ୍ରକାଶ, ରାଜଧାନୀବାସୀଙ୍କୁ ୧୯୮୯ ମସିହାରୁ ହୋଲଡିଂ ଟ୍ୟାକ୍ସ ଦେବାକୁ ପଡୁଛି। ସେହି ସମୟରେ ଟ୍ୟାକ୍ସ ଜମି ମୂଲ୍ୟର ୧୨ ପ୍ରତିଶତ ଥିଲା। ୨୦୦୩ ମସିହାରେ ଏହା ୧୭.୫ ପ୍ରତିଶତକୁ ବୃଦ୍ଧି ହୋଇଥିଲା। ପରେ ୨୦୧୯ରୁ ଜମିର ବେଞ୍ଚମାର୍କ ଭାଲ୍ୟୁ ଅନୁସାରେ ଟିକସ ଧାର୍ଯ୍ୟ ହୋଇଥିଲା। ତେବେ ବର୍ତ୍ତମାନ ଟିକସ୍ ପ୍ରତିଶତରେ ବୃଦ୍ଧି ହୋଇନଥିଲେ ମଧ୍ୟ ୧୯୯୭ ମସିହାର ଜମି ମୂଲ୍ୟ ବଦଳରେ ୨୦୧୯ ବେଞ୍ଚମାର୍କ ମୂଲ୍ୟ ଅନୁସାରେ ଟିକସ ଧାର୍ଯ୍ୟ ହୋଇଥିବାରୁ ଏହାର ପରିମାଣ ସ୍ଥାନେ ସ୍ଥାନେ ୧୨ରୁ ୧୫ ଗୁଣା ବୃଦ୍ଧି ପାଇଛି। ଯାହାକୁ ସାଧାରଣ ଜନତା ଦୃଢ଼ ଭାବେ ବିରୋଧ କରୁଛନ୍ତି।
The post ସିଲ୍ କରିବାକୁ ଆସିଲେ ଘରେ ପୂରାଇ ଲଙ୍କା ଧୂଆଁ ଦେବୁ: ସୁର appeared first on Odisha Reporter.
from Odisha Reporter https://ift.tt/3rNBHHt
No comments:
Post a Comment