ଅହମଦାବାଦ: ଟେଷ୍ଟ ସିରିଜ୍ ଭଳି ଟି-୨୦ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଭାରତ ନିରାଶ ହୋଇଛି। ଶୁକ୍ରବାର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ଟି -୨୦ ମ୍ୟାଚରେ ଇଂଲଣ୍ଡ ଏକତରଫା ଭାବେ ଟିମ୍ ଇଣ୍ଡିଆକୁ ୮ ୱିକେଟରେ ପରାସ୍ତ କରିଛି। ଏଥିସହ ଭ୍ରମଣକାରୀ ଦଳ ୫ ଟିକିଆ ଟି-୨୦ ସିରିଜ୍ରେ ୧-୦ରେ ଆଗୁଆ ହୋଇଯାଇଛି।
ଭାରତ ୨୦ ଓଭର୍ରେ ୭ ୱିକେଟ ହରାଇ ମାତ୍ର ୧୨୪ ରନ୍ କରିଥିଲା। ଏହାର ଜବାବରେ ଇଂଲଣ୍ଡ ୧୫.୩ ଓଭର୍ରେ ୨ ୱିକେଟ୍ ହରାଇ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରିଥିଲେ।
ତେବେ ପ୍ରଥମ ଟି-୨୦ ହାରିବାର ପ୍ରମୁଖ କାରଣ ଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା
୧- ରୋହିତ ଶର୍ମାଙ୍କୁ ବିଶ୍ରାମ: ଟସ୍ ପରେ ଯେତେବେଳେ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଚୂଡ଼ାନ୍ତ ଏକାଦଶ ଘୋଷଣା କଲେ ସେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ଏହି ତାଲିକାରେ ଇନ ଫର୍ମ ରୋହିତ ଶର୍ମାଙ୍କ ନାଁ ନଥିଲା। ତାଙ୍କୁ ବିଶ୍ରାମ ଦିଆଯାଇଥିବା ବିରାଟ କହିଥିଲେ।
ରୋହିତ ଟିମ୍ରେ ନଥିବାରୁ ଶିଖର ଧୱନ ଓ କେଏଲ୍ ରାହୁଲ ଇନିଂସ ଆରମ୍ଭ କରିଥିଲେ। ହେଲେ ଉଭୟ ବେଶୀ ସମୟ କ୍ରିଜ୍ରେ ତିଷ୍ଟି ପାରି ନଥିଲେ। ଶିଖର ଓ ରାହୁଲ ଦୀର୍ଘ ସମୟ ହେଲା ଅନ୍ତର୍ଜାତୀୟ କ୍ରିକେଟ୍ ଖେଳୁ ନଥିଲେ। ହଠାତ୍ ଇଂଲଣ୍ଡ ବିପକ୍ଷ ମ୍ୟାଚ୍ରେ ଉଭୟ ଇନିଂସ୍ ଆରମ୍ଭ କରିବାରୁ ସାମାନ୍ୟ ବିଚଳିତ ହୋଇପଡ଼ିଥିବା ଅନୁମାନ କରାଯାଉଛି। ସେହିପରି ରୋହିତ ଶର୍ମା ଏବେ ଜବରଦସ୍ତ ଫର୍ମରେ ରହିଛନ୍ତି। ଇଂଲଣ୍ଡ ବିପକ୍ଷ ଟେଷ୍ଟରେ ମଧ୍ୟ ସେ ଭଲ ପ୍ରଦର୍ଶନ କରି ଗୋଟିଏ ଶତକ ହାସଲ କରିଥିଲେ। ତେଣୁ ଅତିକ୍ତ ବାଉନ୍ସ ପିଚ୍ରେ ରୋହିତ ଭଲ ପ୍ରଦର୍ଶନ କରିଥାନ୍ତେ ବୋଲି କ୍ରିକେଟ ପଣ୍ଡିତମାନେ ମତ ଦେଇଛନ୍ତି।
୨-ପିଚ୍କୁ ଠିକ୍ ଭାବେ ବୁଝି ପାରିଲେନି ଭାରତୀୟ ବୋଲର ଓ ବ୍ୟାଟସମ୍ୟାନ: ଇଂଲିଶ ଟିମ୍ର ଜୋଫ୍ରା ଆର୍ଚର ଓ ମାର୍କ ଉଡ୍ ପିଚ୍ରୁ ମିଳୁଥିବା ଅତିରିକ୍ତ ବାଉନ୍ସର ଭରପୂର ଫାଇଦା ଉଠାଇଥିଲେ। ଏଭଳି ପିଚ୍ରେ ସାମାନ୍ୟ ଦେଖିଚାହିଁ ଖେଳିବାକୁ ପଡ଼ିଥାଏ। ହେଲେ ଅଧିକାଂଶ ଭାରତୀୟ ବ୍ୟାଟସମ୍ୟାନ ଦାୟିତ୍ୱହୀନ ଶଟ୍ ଖେଳିବାରେ ଲାଗିଥିଲେ। ଟପ୍- ୩ ବ୍ୟାଟସମ୍ୟାନ ରାହୁଲ ୧, ଧୱନ ୪ ଓ ବିରାଟ କୋହଲି ଖାତା ଖୋଲି ନ ପାରି ପ୍ୟାଭିଲିୟନ ଫେରିଥିଲେ। ଭାରତୀୟ ବ୍ୟାଟ୍ସମ୍ୟାନମାନେ ପ୍ରଥମ ଇନିଂସ୍ରେ ପ୍ଲପ ହୋଇଥିଲେ ହେଁ ଭାରତୀୟ ବୋଲରମାନେ ପିଚ୍ରୁ କେମିତି ଫାଇଦା ଉଠାଇବାକୁ ହେବ, ସେକଥା ଆଦୌ ଶିଖି ନଥିଲେ। ସେମାନେ ଇଂଲିଶ ଟିମ୍ ପରି ପିଚର ବ୍ୟବହାର ଠିକ୍ ଭାବେ କରିପାରିଲେ ନାହିଁ।
୩-ଆରମ୍ଭରୁ ୱିକେଟ ନେବାରେ ବିଫଳ ହେଲେ ବୋଲର: ଇଂଲିଶ ଟିମ୍ ଆଗରେ ମାତ୍ର ୧୨୫ ରନ୍ର ଟାର୍ଗେଟ ଥିଲା। ଏହା ଟି-୨୦ରେ ଆଦୌ ଚ୍ୟାଲେଞ୍ଜିଂ ସ୍କୋର ନୁହେଁ। ବିଶେଷ କରି ଯେତେବେଳେ ଦୁନିଆର ୧ନଂ ଟିମ୍ ଆଗରେ ଏହି ଲକ୍ଷ୍ୟ ରହିଥିବ ପ୍ରତିପକ୍ଷ ଟିମ୍ ନିଶ୍ଚିତ ବ୍ୟାକଫୁଟ୍ରେ ରହିବ। ତଥାପି ଆରମ୍ଭରୁ ଯଦି ୱିକେଟ ମିଳିଥାଆନ୍ତା, ତା’ହେଲେ ଇଂଲଣ୍ଡ ଟିମ୍ ନିଶ୍ଚିତ ଅଡ଼ୁଆରେ ପଡ଼ିଥାଆନ୍ତା।
କିନ୍ତୁ ପ୍ରାରମ୍ଭିକ ଝଟକା ଦେବାରେ ଭାରତୀୟ ବୋଲର ବିଫଳ ହୋଇଥିଲେ। ଇଂଲିଶ ଟିମ୍ର ଦୁଇ ଓପନର ଜେସନ ରୟ ଓ ଜୋସ୍ ବଟଲର ଭଲ ଷ୍ଟାର୍ଟ ଦେଇଥିଲେ। ଉଭୟ ଭାରତୀୟ ବୋଲରଙ୍କୁ ଆଟାକ କରି ୮ ଓଭର୍ରେ ବିନା କୌଣସି ୱିକେଟରେ ୭୨ ରନ୍ ସଂଗ୍ରହ କରି ନେଇଥିଲେ। ଫଳରେ ଇଂଲଣ୍ଡର ବିଜୟ ଆହୁରି ସହଜ ହୋଇଯାଇଥିଲା।
The post ଏହି ସବୁ କାରଣ ପାଇଁ ପ୍ରଥମ ଟି-୨୦ ହାରିଲା ଟିମ୍ ଇଣ୍ଡିଆ appeared first on Odisha Reporter.
from Odisha Reporter https://ift.tt/2Q0e3cH
No comments:
Post a Comment