ନୂଆପଡ଼ା(ମାୟାଧର ସରାଫ):“ବାଘଙ୍କ ଦେଖାନାହିଁ। କିନ୍ତୁ ଟାଇଗର ପ୍ରୋଜେକ୍ଟ ବାହାନାରେ ଆମକୁ ମିଳିପାରୁନି ମୌଳିକ ସୁବିଧା। ସ୍ୱାଧୀନତାର ସ୍ୱାଦ ଆମେ କିଛି ପାଇପାରୁନୁ। ପ୍ରତି ମୁହୂର୍ତ୍ତରେ ଶାସ୍ତି ପାଇବା ପରି ଲାଗୁଛି। ଭୋଟ ପାଇଁ ଆସି ଆମକୁ ମୁଣ୍ଡ ଉପରେ ବସାଉଛନ୍ତି। ଭୋଟ ପାଇଗଲା ପରେ ଆମକୁ ପଶୁ ପରି ବ୍ୟବହାର କରୁଛନ୍ତି। ସରକାର ଯଦି ଆମକୁ ମଣିଷ ପରି ମାନ୍ୟତା ନ ଦେବେ, ତା’ ହେଲେ ଆମେ ଛତିଶଗଡ଼ରେ ମିଶିଯିବୁ।” ରାଜ୍ୟ ସରକାରଙ୍କୁ ଖୁଲମଖୁଲା ଏପରି ଚେତାବନୀ ଦେଇଛନ୍ତି ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଥିବା ସୁନାବେଡା ଓ ସୋସେଙ୍ଗ ପଞ୍ଚାୟତବାସୀ।
ଏବେ ଓଡିଶାର ଜମି, ଗାଁରେ ପଡୋଶୀ ଛତିଶଗଡ ଓ ଆନ୍ଧ୍ର ଜବରଦସ୍ତ ପ୍ରବେଶ କରି କବଜା କରୁଛନ୍ତି। ଏନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲେ ବି ଚେତୁ ନାହାନ୍ତି। ରାଜ୍ୟ ସରକାରଙ୍କ ଉଦାସିନତା ଯୋଗୁଁ ନୂଆପଡା ଜିଲ୍ଲା କୋମନା ବ୍ଲକ ସୁନାବେଡା ଅଭୟାରଣ୍ୟରେ ଥିବା ସୁନାବେଡା ଓ ସୋସେଙ୍ଗ ପଂଚାୟତର ଲୋକେ ଛତିଶଗଡରେ ମିଶିବାକୁ ଯୋଜନା କରିଛନ୍ତି। ଶୁକ୍ରବାର ସୁନାବେଡା ଗାଁଠାରେ ସୁନାବେଡା ଓ ସୋସେଙ୍ଗ ପଂଚାୟତର ବନବାସୀଙ୍କ ଏକ ବିରାଟ ଆଦିବାସୀ ମେଳି ଅନୁଷ୍ଠିତ ହୋଇ ଏପରି ନିଷ୍ପତ୍ତି ନିଆଯାଇଛି।
ଦୁଇ ପଂଚାୟତର ବିକାଶ ପାଇଁ ରାଜ୍ୟ ସରକାର କୌଣସି ବ୍ୟବସ୍ଥା କରୁ ନ ଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସ୍ଥାନୀୟ ବାସିନ୍ଦା। ସୁନାବେଡା ଅଭୟାରଣ୍ୟରେ ଗମନାଗମନର ସୁବିଧା ପାଇଁ ପ୍ରଧାନମନ୍ତ୍ରୀ ସଡକ ଯୋଜନାରରେ ୭ଟି ରାସ୍ତା ମଞୁର ହୋଇଥିଲେ ବି ଏ ଯାଏ ସଂପୂର୍ଣ୍ଣ ହୋଇ ନାହିଁ। ଡାକ୍ତରଖାନା ଅଛି । ଆମ୍ୱୁଲାନ୍ସର ବ୍ୟବସ୍ଥା ନାହିଁ। ବ୍ୟାଘ୍ର ପ୍ରକଳ୍ପ କରି ଅନେକ କଟକଣା ଲଗା ଯାଇଛି। ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳ ତଥା ପର୍ଯ୍ୟଟନର କୌଣସି ବିକାଶ କରା ଯାଇ ନାହିଁ। ତେଣ ଅଞ୍ଚଳର ବିକାଶ ପାଇଁ ବାଧ୍ୟ ହୋଇ ଛତିଶଗଡରେ ମିଶିବାକୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇଛନ୍ତି ସ୍ଥାନୀୟ ଅଧିବାସୀ।
ଏନେଇ ବିଜୟ ଝାଙ୍କର ନାମକ ଆନ୍ଦୋଳନକାରୀ କହିଛନ୍ତି “ସ୍ୱାଧୀନତାର ସ୍ୱାଦ ଆମେ କିଛି ପାଇପାରୁନୁ। ରାସ୍ତା ନାହିଁ। ବସ୍ ଆସିପାରୁନି। ମାଟି ରାସ୍ତା ଥିଲା ଭଲ ଥିଲା। ହେଲେ ଏବେ ମେଟାଲ ବିଛାଇ ଛାଡ଼ି ଦେଇଛନ୍ତି। ଆଉ କାମ କରୁ ନାହାନ୍ତି। ମେଟାଲ ଉପରେ ଚାଲିଲେ ଶାସ୍ତି ପାଇଲା ପରି ଲାଗୁଛି। ଗୋଟିଏ ଛୋଟ ହସ୍ପିଟାଲ ଅଛି। ଆମ୍ବୁଲାନ୍ସ ଠିକ୍ ସମୟରେ ଆସିପାରୁନି। ପିଲାଛୁଆ ପାଠପଢ଼ାରୁ ବଞ୍ଚିତ।”
ଏହାବ୍ୟତୀତ ବିଜୟ କହିଛନ୍ତି, ସରକାର ସୁନାବେଡା ଅଭୟାରଣ୍ୟକୁ ଟାଇଗର ପ୍ରୋଜେକ୍ଟ ଘୋଷଣା କରିଥିବାର ବେଳେ ଏଠାରେ ବାଘଙ୍କ ଦେଖା ନାହିଁ। କିନ୍ତୁ ଏହି ବାହାନାରେ ଆମକୁ କିଛି ସୁବିଧା ଦେଉ ନାହାନ୍ତି ସରକାର। କିଛି ସମସ୍ୟା କଥା ଉଠାଇଲେ ତାହା ସେଞ୍ଚୁରୀ ଏରିଆ, ରୋଡ ପିଚୁ ହୋଇପାରିବନି। ପର୍ଯ୍ୟଟନ ସ୍ଥଳୀ ହୋଇପାରିବନି। ଜମିପଟା ମିଳିପାରିବନି ବୋଲି କହି ଆମକୁ ଫେରାଇ ଦେଉଛନ୍ତି। ଭୋଟ ପାଇଁ ଆସିବା ବେଳେ ସବୁ କରିଦେବାର ମିଠା ପ୍ରତିଶ୍ରୁତି ଦେଇ ଚାଲି ଯାଉଛନ୍ତି। ଭୋଟ ମିଳିଗଲା ପରେ ଆମକୁ ପଶୁପକ୍ଷୀ ପରି ଦେଖୁଛନ୍ତି। ସରକାର ଯଦି ଆମକୁ ମଣିଷ ପରି ମାନ୍ୟତା ନ ଦେବେ, ତା’ ହେଲେ ଆମେ ଛତିଶଗଡ଼ରେ ମିଶିବାକୁ ନିଷ୍ପତ୍ତି ନେଇଛୁ।”
ଏନେଇ ସୁନାବେଡା ପଂଚାୟତ ସରପଂଚ ତିଲସିଂ ଝାଙ୍କର କହିଛନ୍ତି, “୭୦ ବର୍ଷ ହେଲାଣି ସ୍ୱାଧୀନତା ପରଠୁ କିଛି ସୁବିଧା କରୁ ନାହାନ୍ତି ଓଡ଼ିଶା ସରକାର। ରାସ୍ତା ନାହିଁ। ବହୁ କଷ୍ଟରେ ଯାଉଛୁ। ଓଡ଼ିଶାରେ ରହିଲେ ଏହି ଅବସ୍ଥା ଭୋଗୁଥିବୁ। ତେଣୁ ଓଡ଼ିଶା ଛାଡ଼ି ଛତିଶଗଡ଼ରେ ମିଶିବାକୁ ନିଷ୍ପତ୍ତି ନେଇଛୁ। ”ଏ ସଂପର୍କରେ ଜିଲ୍ଲା ପ୍ରଶାସନର ମତାମତ ମିଳି ପାରି ନାହିଁ।
The post “ପ୍ରତି ମୁହୂର୍ତ୍ତରେ ଏଠି ଶାସ୍ତି ପାଇଲା ପରି ଲାଗୁଛି, ଆମେ ଛତିଶଗଡ଼ରେ ମିଶିବୁ” appeared first on Odisha Reporter.
from Odisha Reporter https://ift.tt/3vjz6ai
No comments:
Post a Comment