ନୂଆଦିଲ୍ଲୀ: କରୋନା ସଂକ୍ରମଣ ପାଇଁ ଜାରି ନିୟମକୁ ଉଲ୍ଲଙ୍ଘନ କରିବା ୧୫ ଜଣ ବିମାନ ଯାତ୍ରୀଙ୍କୁ ମହଙ୍ଗା ପଡ଼ିଛି। ନିୟମ ଉଲ୍ଲଙ୍ଘନ କରିଥିବାରୁ ୩ ବିମାନ ସେବା ପ୍ରଦାନକାରୀ କମ୍ପାନୀ ୧୫ ଜଣ ଯାତ୍ରୀଙ୍କୁ ସେମାନଙ୍କ ନୋ-ଫ୍ଲାଇଂ ଲିଷ୍ଟରେ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ସମ୍ପର୍କରେ ଡିଜିସିଏର ଜଣେ ବରିଷ୍ଠ ଅଧୀକାରୀ ସୂଚନା ଦେଇଛନ୍ତି।
ମାର୍ଚ୍ଚ ୧୩ରେ ଡିଜିସିଏ ଏକ ନିର୍ଦ୍ଦେଶନାମା ଜାରି କରି କହିଥିଲା ଯେ ବିମାନରେ ଯେଉଁମାନେ ମାସ୍କ ପିନ୍ଧିବେ ନାହିଁ କିମ୍ବା କରୋନା କଟକଣା ମାନିବେ ନାହିଁ, ସେମାନଙ୍କୁ ଏଥିରୁ ଓହ୍ଲାଇ ଦିଆଯିବ। ସେହିପରି ବାରମ୍ବାର ତରଗିଦ ସତ୍ତ୍ୱେ ନିୟମ ମାନୁ ନଥିବା ଯାତ୍ରୀମାନଙ୍କୁ ୩ରୁ ୨୪ ସପ୍ତାହ ଯାଏ ନୋ ଫ୍ଲାଇଂ ଲିଷ୍ଟରେ ସାମିଲ କରାଯିବ।
ଏହାକୁ ଆଧାର କରି ଇଣ୍ଡିଗୋର ୯ ଜଣ, ଆଲିଆନ୍ସ ଏୟାରର ୪ ଜଣ ଓ ଏୟାର ଏସିଆ ଇଣ୍ଡିଆର ୨ ଜଣ ଯାତ୍ରୀଙ୍କ ଉପରେ କଟକଣା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ଏମାନେ ମାର୍ଚ୍ଚ ୧୫ରୁ ମାର୍ଚ୍ଚ ୨୩ ମଧ୍ୟରେ ବିମାନ ଯାତ୍ରା କରି କରୋନା ପାଇଁ ଲାଗୁ କଟକଣାକୁ ଉଲ୍ଲଙ୍ଘନ କରିଛନ୍ତି।
ଏମାନଙ୍କ ମଧ୍ୟରୁ ଅଧିକାଂଶ ଯାତ୍ରୀ ବିମାନରେ ବସିଥିବା ବେଳେ ମାସ୍କ ପିନ୍ଧିବାକୁ ମନା କରିଥିଲେ। ସେମାନଙ୍କୁ ବାରମ୍ବାର ତାଗିଦ କରାଯାଇଥିଲେ ହେଁ ସେମାନେ ଏହାକୁ ଖାତିର କରି ନଥିଲେ। ସେହିପରି ମଝି ସିଟ୍ରେ ବସୁଥିବା ଯାତ୍ରୀଙ୍କ ପାଇଁ ପିପିଇ କିଟ୍ ବାଧ୍ୟତା ମୂଳକ ଥିବା ବେଳେ ସେମାନେ ଏହାକୁ ପିନ୍ଧିବାକୁ ମନା କରିଦେଇଥିଲେ। ତେଣୁ ୩ ବିମାନ କମ୍ପାନୀର ୧୫ ଜଣ ଯାତ୍ରୀଙ୍କୁ ୩ ମାସ ଯାଏ ବିମାନ ଯାତ୍ରା କରିବାର ସୁବିଧା ମିଳିବ ନାହିଁ।
The post ୧୫ ଯାତ୍ରୀଙ୍କୁ ୩ ମାସ ଯାଏ ମିଳିବନି ବିମାନ ସେବା, ଜାଣନ୍ତୁ କାରଣ appeared first on Odisha Reporter.
from Odisha Reporter https://ift.tt/3f9uIVL
No comments:
Post a Comment