ଖୋର୍ଦ୍ଧା(ବଳରାମ ଲେଙ୍କା): ରେଳ ଧାରଣାରେ ଛଟପଟ ହୋଇ ଗଲାଣି ବହୁ ହାତୀଙ୍କ ଜୀବନ । କେତେବେଳେ ମାଲବାହୀ ଟ୍ରେନ୍ ତ ଆଉ କେତେବେଳେ ଏକ୍ସପ୍ରେସ ଧକ୍କାରେ ଗୋଟିଏ ପରେ ଗୋଟିଏ ହାତୀଙ୍କ ଜୀବନ ଚାଲିଯାଉଛି । ଏପରି ସ୍ଥିତିରେ ଟ୍ରେନ ଧକ୍କାରୁ ହାତୀଙ୍କୁ ରକ୍ଷା କରିବାକୁ ସ୍ୱତନ୍ତ୍ର ଡିଭାଇସ ପ୍ରସ୍ତୁତ କରିଛନ୍ତି ଖୋର୍ଦ୍ଧା ସେଞ୍ଚୁରିଆନ୍ ୟୁନିଭରସିଟିର ୩ ଜଣ ଛାତ୍ରଛାତ୍ରୀ। ରେଳ ଧାରଣାରେ ଦୁର୍ଘଟଣା ପୂର୍ବରୁ ହାତୀଙ୍କ ବାବଦରେ ସୂଚନା ଦେବା ସହ ହାତୀଙ୍କୁ ଘଉଡାଇବାକୁ ଡିଭାଇସରେ ରହିଛି ବଜରର ବ୍ୟବସ୍ଥା । ଏହାକୁ କେନ୍ଦ୍ର ସରକାରଙ୍କ ପେଟେଣ୍ଟ ମାନ୍ୟତା ମଧ୍ୟ ମିଳିସାରିଛି ।
ଖୋର୍ଦ୍ଧା ସେଞ୍ଚୁରିଆନ୍ ୟୁନିଭରସିଟିର ଛାତ୍ର ଅଭିଜିତ କୁମାର ବଳବନ୍ତରାୟ ଓ ସୁଜିତ କୁମାର ସାହୁ ଓ ପାୟଲ ଭଦ୍ରା ପ୍ରସ୍ତୁତ କରିଥିବା ଡିଭାଇସ ରେଳ ଧାରଣାରେ ହାତୀ ମୃତ୍ୟୁ ରୋକିବାରେ ସହାୟକ ହେବ। ଡିଭାଇସ ତିଆରି କରିବାକୁ ଲାଗିଗଲା ୬ ମାସ ସମୟ । ହାତୀଙ୍କ ଆଚରଣ ଏବଂ ମନସ୍ତତ୍ତ୍ୱ ସମ୍ପର୍କରେ ଜାଣିବାକୁ ବାରମ୍ବାର ନନ୍ଦନକାନନ, ବନ ବିଭାଗ ଏବଂ ରେଳ ବିଭାଗ ଯାଇ ଅନୁଧ୍ୟାନ କରିବା ସହ ଫିଡବ୍ୟାକ୍ ନେଇଥିଲେ ଏହି ଟିମ୍ । ଏହାପରେ ମିଳିଥିଲା ସଫଳତା।
ହାତୀଙ୍କୁ ଚିହ୍ନଟ କରିବାକୁ ଡିଭାଇସରେ ଲାଗିଛି କ୍ୟାମେରା । ହାତୀ ଚିହ୍ନଟ ହେବା କ୍ଷଣି ସଙ୍ଗେ ସଙ୍ଗେ ରେଳ ବିଭାଗକୁ ସତର୍କ ସୂଚନା ଯିବ। ଫଳରେ ଦୁର୍ଘଟଣା ପୂର୍ବରୁ ଟ୍ରେନ୍କୁ ଅଟକାଯାଇପାରିବ । ହାତୀଙ୍କୁ ମଧ୍ୟ ରେଳଧାରଣା ପୂର୍ବରୁ ଅଟକାଇବାକୁ ଡିଭାଇସରେ ରହିଛି ବଜର୍ ବ୍ୟବସ୍ଥା । ଫଳରେ ହାତୀ ପାଖକୁ ଏକ ସାଉଣ୍ଡ ଯିବ। ଏହାପରେ ସେ ଆଉ ଆଗକୁ ଯିବନି। ଏହାଦ୍ୱାରା ରେଳପଥରେ ହାତୀ ମୃତ୍ୟୁକୁ ରୋକାଯାଇପାରିବ ବୋଲି ଆଶା କରାଯାଉଛି।
ପ୍ରଥମେ ହାତୀଙ୍କ ଗତିବିଧି ନିରୀକ୍ଷଣ କରିବାକୁ ୨ ମାସ ଲାଗିଗଲା। ସେହି ଅନୁଯାୟୀ, ଟ୍ରେନର ଗତିବିଧିକୁ ନିୟନ୍ତ୍ରଣ କରାଯାଇପାରିବ। ନୋଟିଫିକେସନ ମଧ୍ୟ ଦିଆଯାଇପାରିବ ବୋଲି କହିଛନ୍ତି ଉଭୟ ଛାତ୍ର।
ସୂଚନାଯୋଗ୍ୟ, ୨୦୧୨ ଡିସେମ୍ବରରେ ଗଞ୍ଜାମର ସୁବଳୟାରେ କରମଣ୍ଡଳ ଏକ୍ସପ୍ରେସ ଧକ୍କାରେ ୬ ହାତୀଙ୍କ ଜୀବନ ଯାଇଥିଲା। ୨୦୧୮ ଏପ୍ରିଲରେ ଝାରସୁଗୁଡାରେ ୪ ଟି ହାତୀଙ୍କ ଉପରେ ଚଢିଗଲା ଟ୍ରେନ୍ । ୨୦୨୧ ଫେବୃଆରୀ ରେ ରାଉରକେଲାରେ ମାଲବାହୀ ଟ୍ରେନ୍ ଧକ୍କାରେ ୨ ହାତୀଙ୍କ ମୃତ୍ୟୁ ହୋଇଥିଲା। ରେଳ ଧାରଣାରେ ଛଟପଟ ହୋଇ ଏମିତି ଶହ ଶହ ହାତୀଙ୍କ ଆଖି ବୁଜି ସାରିଲେଣି। ଏପରି ସ୍ଥିତିରେ ରେଳଧାରଣାରେ ହାତୀ ମୃତ୍ୟୁ ରୋକିବାରେ ଏହି ଡିଭାଇସ ସହାୟକ ହୋଇପାରିବ ବୋଲି ଆଶା କରାଯାଉଛି। ।
ଏ ସମ୍ପର୍କରେ ସେଞ୍ଚୁରିଆନ୍ ୟୁନିଭରସିଟିର କମ୍ପ୍ୟୁଟର ସାଇନ୍ସ ବିଭାଗ ଏଚ୍ଓଡି ପ୍ରଫେସର ସୁଜାତା ଚକ୍ରବର୍ତ୍ତୀ କହିଛନ୍ତି, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ମାଧ୍ୟମରେ ହାତୀକୁ ଠାବ କରାଯିବ। ଏହାପରେ ରେଳ ବିଭାଗକୁ ଏକ ସିଗନାଲ ଯିବ। ଏହାଛଡ଼ା ହାତୀକୁ ଏକ ବଜର ସାଉଣ୍ଡ ପଠାଯିବା ନିମନ୍ତେ ଡିଭାଇସ୍ରେ ବ୍ୟବସ୍ଥା ହୋଇଛି। ଏହାଦ୍ୱାରା ହାତୀ ମୃତ୍ୟୁକୁ ରୋକାଯାଇପାରିବ।
The post ଦୁର୍ଘଟଣା ରୋକିବ ଡିଭାଇସ୍; ହାତୀଙ୍କ ପାଇଁ ଆଉ ଯମ ସାଜିବନି ଟ୍ରେନ appeared first on Odisha Reporter.
from Odisha Reporter https://ift.tt/3lWzAio
No comments:
Post a Comment