ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଯାହାକୁ ପ୍ରେମ କରି ବାହା ହେଲେ, ତାକୁ ଦେହ ବେପାରରେ ଲଗାଇ ଦେଲେ। ବିରୋଧ କଲେ ନିସ୍ତୁକ ପିଟୁଥିଲେ। ଜୀବନରେ ମାରି ଦେବାକୁ ବି ଧମକ ଦେଉଥିଲେ। ହେଲେ ସ୍ତ୍ରୀ ସବୁ ସହି ଯାଉଥିଲେ। ଆଶା ଥିଲା କେବେ ନା କେବେ ସ୍ୱାମୀ ଠିକ୍ ରାସ୍ତାକୁ ଆସିବେ ଓ ପୁଣି ସେମାନଙ୍କ ସଂସାର ସଜାଡ଼ି ହୋଇଯିବ। କିନ୍ତୁ ସେମିତି କିଛି ହେଲାନି। ଅତ୍ୟାଚାର ଆହୁରି ବଢ଼ିଲା ଓ ଅସହ୍ୟ ହୋଇଗଲା। ଶେଷରେ ତାଙ୍କ ମା’ ପୁଲିସ୍ର ଦ୍ୱାରସ୍ଥ ହୋଇ ତାଙ୍କୁ ଉଦ୍ଧାର କଲେ। ରାଜଧାନୀ ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଘଟିଛି ଏହି ଘଟଣା।
ପୀଡ଼ିତାଙ୍କ ଘର କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଅଞ୍ଚଳରେ। କାମ ଖୋଜିବା ପାଇଁ ୧୦ ବର୍ଷ ତଳେ ସେ ଚାଲି ଆସିଥିଲେ ଭୁବନେଶ୍ୱର। ଆଉ ଏଠାରେ ତାଙ୍କ ଭେଟ ହୋଇଥିଲା ଅଭିଯୁକ୍ତ ଚନ୍ଦନ ଆଚାର୍ଯ୍ୟଙ୍କ ସହିତ। ଚନ୍ଦନଙ୍କ ଘର କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇର ଡାମରପୁର ଅଞ୍ଚଳରେ। ସେତେବେଳେ ଚନ୍ଦ୍ରଶେଖରପୁରର ପଦ୍ମାବତୀ ବିହାର ଅଞ୍ଚଳରେ ଅଟୋ ଚଲାଉଥିଲେ ଚନ୍ଦନ।
ପୀଡ଼ିତା ଅଭିଯୋଗ କରିଛନ୍ତି ଯେ ଚନ୍ଦନ ତାଙ୍କୁ ପ୍ରେମ ଜାଲରେ ଫସାଇ ବାହା ହୋଇଥିଲେ। ବାହାଘର ପରେ ପ୍ରଥମ ୨ ବର୍ଷ ସେମାନଙ୍କ ସଂସାର ଠିକ୍ ଚାଲିଥିଲା। ତା’ପରେ ସେ ଜବରଦସ୍ତି ତାଙ୍କୁ ଦେହ ବେପାରରେ ଲଗାଇଥିଲେ। ମନା କଲା ନିର୍ଯାତନା ଦେଉଥିଲେ। ଏସିଡ୍ ଢାଳି, ଗୁଣ୍ଡା ଲଗାଇ ମାରି ଦେବେ ବୋଲି କହୁଥିଲେ। ତାଙ୍କ ପରିବାରକୁ ଖିନ୍ଭିନ୍ କରି ଦେବେ ବୋଲି ଧମକ ଦେଉଥିଲେ। ୭ ବର୍ଷ ହେଲାଣି ଚନ୍ଦନ ତାଙ୍କୁ ଗୋଟିଏ ଘରେ ରଖି ସେକ୍ସ ରାକେଟ୍ ଚଲାଉଥିଲେ। ଏମିତିକି ତାଙ୍କ ସ୍ୱାମୀ ଅନ୍ୟ ମହିଳାମାନଙ୍କୁ ମଧ୍ୟ ଆଣି ସେହି ଘରେ ସେକ୍ସ ରାକେଟ୍ ଚଲାଉଥିଲେ ବୋଲି ସେ କହିଛନ୍ତି।
ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି, ଶିବରାତ୍ରୀ ପୂର୍ବଦିନଠୁ ସ୍ୱାମୀଙ୍କ ଅତ୍ୟାଚାର ସବୁ ସୀମା ଟପିଯାଇଥିଲା। ଆଉ ସହି ହେଲାନି। ଶେଷରେ ତାଙ୍କ ମା’ ପୁଲିସ୍ର ସହଯୋଗରେ ତାଙ୍କୁ ସେଠାରୁ ଉଦ୍ଧାର ପାଇଥିଲେ।
ପୀଡ଼ିତାଙ୍କୁ ବହୁତ ମାଡ଼ ମରାଯାଇଛି। ତାଙ୍କ ଦେହରେ ମାଡ଼ର ଦାଗ ରହିଛି। ମାଡ଼ ମାରିବା କଥାକୁ ଅଭିଯୁକ୍ତ ଚନ୍ଦନ ସ୍ୱୀକାର କରିଛି। କିନ୍ତୁ ସେକ୍ସ ରାକେଟ୍ କଥାକୁ ଖଣ୍ଡନ କରିଛି।
ସ୍ତ୍ରୀକୁ ମାଡ଼ ମାରିବା ଓ ସେକ୍ସ ରାକେଟ ଚଲାଇବା ଅଭିଯୋଗ ପାଇବା ପରେ ପୁଲିସ୍ ଚନ୍ଦନକୁ ଗିରଫ କରିଛି। ଏହା ସହିତ ଘଟଣାର ଅଧିକ ତଦନ୍ତ କରୁଛି। ସୂଚନାଯୋଗ୍ୟ, ଉଭୟଙ୍କର ଏକ ୫ ବର୍ଷର ଝିଅ ମଧ୍ୟ ଅଛି।
The post ପ୍ରେମ କରି ବାହା ହେଲେ, ଦେହ ବେପାରରେ ଲଗାଇ ଦେଲେ appeared first on Odisha Reporter.
from Odisha Reporter https://ift.tt/396y5Jk
No comments:
Post a Comment