ବିଶ୍ୱ ନାଟ୍ୟ ଦିବସ ଓ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, March 27, 2021

ବିଶ୍ୱ ନାଟ୍ୟ ଦିବସ ଓ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନ

  • ସରଳ କୁମାର ଦାସ

ନ୍ତର୍ଜାତୀୟ ଥିଏଟର ଇନଷ୍ଟିଚ୍ୟୁଟ ଦ୍ୱାରା ୧୯୬୨ ମସିହାରୁ ପ୍ରତି ବର୍ଷ ମାର୍ଚ୍ଚ ୨୭ ତାରିଖଟିକୁ ସାରା ବିଶ୍ୱରେ ବିଶ୍ୱ ନାଟ୍ୟ ଦିବସ ରୂପେ ପାଳିତ ହୋଇ ଆସୁଛି। ଏହି ଅବସରରେ ବିଶ୍ୱର ଜଣେ ପ୍ରତିଷ୍ଠିତ ନାଟ୍ୟ ବ୍ୟକ୍ତିତ୍ୱଙ୍କଠାରୁ ଏକ ବାର୍ତ୍ତା ସଂଗୃହୀତ ହୋଇ ତାହା ସେହି ବର୍ଷର ବିଶ୍ୱ ନାଟ୍ୟ ସନ୍ଦେଶ ଭାବେ ବିଭିନ୍ନ ଭାଷାରେ ଅନୁଦିତ ହୋଇ ପ୍ରସାରିତ ହୋଇଥାଏ। ୨୦୨୧ ମସିହାର ବିଶ୍ସ ନାଟ୍ୟ ବାର୍ତ୍ତା ପ୍ରଦାନ କରିବା ପାଇଁ ପ୍ରଖ୍ୟାତ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନଙ୍କୁ ମନୋନୀତ କରାଯାଇଛି। ସେ ଦେଇଥିବା ବାର୍ତ୍ତାଟି ନିମ୍ନ ପ୍ରକାରେ :

“ଜୀବନ୍ତ ପ୍ରଦର୍ଶନ (ଲାଇଭ ପରଫର୍ମାନ୍ସ) ପାଇଁ ଏହା ଏକ ଅତି କଠିନ ସମୟ ଓ ଅନେକ କଳାକାର, ଟେକନିସିଆନ, କାରିଗର ଏବଂ ମହିଳା ଏ ପରି ଏକ ବୃତ୍ତିରେ ସଂଘର୍ଷ କରି ଚାଲିଛନ୍ତି ଯାହା ପୂର୍ବରୁ ମଧ୍ୟ ଅସୁରକ୍ଷାରେ ଭରା। ହୁଏତ ସବୁବେଳେ ରହି ଆସିଥିବା ଏହି ଅସୁରକ୍ଷାର ଭାବନା ସେମାନଙ୍କୁ ମହାମାରୀ ସମୟରେ ନିଜ ବୁଦ୍ଧି ଓ ସାହସର ଉପଯୋଗ କରି ତିଷ୍ଠି ରହିବାକୁ ଅଧିକ ସାମର୍ଥ୍ୟ ପ୍ରଦାନ କରିଛି। ଇତିମଧ୍ୟେ ଏହି ପରିବର୍ତ୍ତିତ ପରିସ୍ଥିତିରେ ସେମାନଙ୍କ କଳ୍ପନା, ଆବିଷ୍କାରଶୀଳ, ମନୋରଞ୍ଜକ ହୋଇ ଯୋଗଯୋଗର ଚଳମାନ ଉପାୟଗୁଡିକୁ ଖୋଜି ବାହାର କରି ପାରିଛି, ଅବଶ୍ୟ ଏଥିପାଇଁ ଇଣ୍ଟରନେଟକୁ ଅନେକଟା ଶ୍ରେୟ ଦେବାକୁ ହେବ।

ମଣିଷ ଯେବେଠାରୁ ଏଇ ପୃଥିବୀରେ ଅଛି, ସେବେଠାରୁ ପରସ୍ପରକୁ କାହାଣୀ ଶୁଣାଇ ଆସିଛି। ଆମେ ଏଠାରେ ଥିବା ପର୍ଯ୍ୟନ୍ତ ନାଟକର ସୁନ୍ଦର ସଂସ୍କୃତି ତିଷ୍ଠି ରହିଥିବ। ଲେଖକ, ନକସାକାର (ଡିଜାଇନର), ନୃତ୍ୟଶିଳ୍ପୀ, ଗାୟକ, ଅଭିନେତା, ସଙ୍ଗୀତଶିଳ୍ପୀ, ନିର୍ଦ୍ଦେଶକମାନଙ୍କ ସୃଜନଶୀଳ ତାଗିଦ କେବେ ବି ଶ୍ୱାସରୁଦ୍ଧ ହେବ ନାହିଁ ଓ ତାହା ନୂତନ ଶକ୍ତି ଏବଂ ଆମେ ବଞ୍ଚୁଥିବା ପୃଥିବୀକୁ ନୂଆ କରି ବୁଝିବା ମାଧ୍ୟମରେ ଅତି ନିକଟ ଭବିଷ୍ୟତରେ ପୁଣି ଥରେ ବିକଶିତ ହେବ।  ମୁଁ ଅପେକ୍ଷା କରି ପାରିବିନି!”

ହେଲେନ ମିରେନଙ୍କ ପ୍ରକୃତ ନାମ ଇଲିଆନା ଲିଡିଆ ପେଟ୍ରୋଭନା ମିରୋନୋଭା ଓ ଏହି ବ୍ରିଟିଶ ଅଭିନେତ୍ରୀ ୧୯୪୫ ମସିହାରେ ଲଣ୍ଡନଠାରେ ଜନ୍ମ ଗ୍ରହଣ କରିଥିଲେ। ମାତ୍ର ୧୩ ବର୍ଷ ବୟସରେ ସେ ଏକ ସୌଖୀନ ନାଟ୍ୟ ସଂସ୍ଥାରେ ‘ହାମଲେଟ’ ନାଟକ ଦେଖିବା ପରେ ନାଟକ ପ୍ରତି ଆକୃଷ୍ଟ ହୋଇ ପଡିଥିଲେ। ତା ଛଡ଼ା ଘରେ ଟେଲିଭିଜନ ନ ଥିବାରୁ ଓ ସିନେମା ଦେଖିବାର ସୁଯୋଗ ନ ଥିବାରୁ ତାଙ୍କର ନାଟକ ପ୍ରତି ଆକର୍ଷଣ ଥିଲା ସ୍ୱାଭାବିକ। ତେବେ ସେଣ୍ଟ ବର୍ଣ୍ଣାଡ଼ ହାଇସ୍କୁଲରେ ପଢିବା ବେଳେ ତାଙ୍କର ଜଣେ ଶିକ୍ଷକଙ୍କ ପ୍ରରୋଚନାରେ ସେ ନ୍ୟାସନାଲ ୟୁଥ ଥିଏଟର ପାଇଁ ଦରଖାସ୍ତ ପକାଇ ଅଡିସନ ଦେଇଥିଲେ।  କୃତକାର୍ଯ୍ୟ ହେବାରୁ ତାଙ୍କୁ ସେଥିରେ ଗ୍ରହଣ କରି ନିଆ ଯାଇଥିଲା।

୧୯୬୫ ମସିହାରେ ନ୍ୟାସନାଲ ୟୁଥ ଥିଏଟରରେ ‘ଆଣ୍ଟୋନି ଆଣ୍ଡ କ୍ଲିଓପେଟ୍ରା’ ନାଟକରେ କ୍ଲିଓପେଟ୍ରା ଚରିତ୍ରରେ ତାଙ୍କ ସୁନ୍ଦର ଅଭିନୟ ଅନେକଙ୍କ ଦୃଷ୍ଟି ଆକର୍ଷଣ କରି ପାରିଥିଲା ଓ ରୟାଲ ସେକସପିଅର କମ୍ପାନୀ (ଆରଏସସି) ନାଟ୍ୟ ଦଳରେ ଯୋଗ ଦେବା ପାଇଁ ତାଙ୍କୁ ଆମନ୍ତ୍ରଣ ମିଳିଲା। ସେଠାରେ ସେ ପ୍ରାୟ ୨୦ଟି ନାଟକରେ ଭିନ୍ନ ଭିନ୍ନ ଭୂମିକାରେ ଅଭିନୟ କରିବା ସହ କେତୋଟି ନାଟକର ମୁଖ୍ୟ ଚରିତ୍ରରେ ମଧ୍ୟ ଅଭିନୟ କରିବାର ସୁଯୋଗ ପାଇଲେ।

ପ୍ରାରମ୍ଭିକ ଅବସ୍ଥାରେ ସେ ‘ଦି ରିଭେଞ୍ଜର୍ସ ଟ୍ରାଜେଡି’, ‘ଟ୍ରଇଲସ ଆଣ୍ଡ କ୍ରେସିଡା’ ଆଦି କେତେକ ନାଟକରେ ଯୌନୋଦ୍ଦୀପକ ଚରିତ୍ରରେ ଅଭିନୟ କରିଥିବାରୁ ତାଙ୍କୁ ‘ସେକ୍ସ କୁଇନ ଅଫ ଷ୍ଟ୍ରାଟଫୋର୍ଡ’ର ଆଖ୍ୟା ଦିଆ ଯିବାକୁ ଲାଗିଲା, ଯାହାକୁ ସେ ଗ୍ରହଣ ନ କରି ବିରକ୍ତି ପ୍ରକାଶ କରିଥିଲେ।  ଆରଏସସି ସହ ଚାରି ବର୍ଷ କାମ କରିବା ପରେ ସେ ପ୍ରଖ୍ୟାତ ନିର୍ଦ୍ଦେଶକ ପିଟର ବ୍ରୁକଙ୍କ ବହୁଦେଶୀୟ କଳାକାରଙ୍କୁ ନେଇ ପ୍ରତିଷ୍ଠିତ ‘ଇଣ୍ଟରନ୍ୟାସନାଲ ସେଣ୍ଟର ଫର ଥିଏଟର ରିସର୍ଚ୍ଚ’ରେ ଯୋଗ ଦେଇ ଆମେରିକା, ମଧ୍ୟ ପ୍ରାଚ୍ୟ ଓ ଆଫ୍ରିକାର ବିଭିନ୍ନ ଦେଶରେ ନିଜ ଅଭିନୟ କଳା ପ୍ରଦର୍ଶନ କରିବାର ସୁଯୋଗ ପାଇଲେ।

ଏହା ପରେ ସେ ଲଣ୍ଡନର ‘ୱେଷ୍ଟ ଏଣ୍ଡ’, ‘ଫ୍ରିଞ୍ଜ’, ‘ଆରଏସସି’, ‘ନ୍ୟାସନାଲ ଥିଏଟର’ ଓ ନିଉୟର୍କର ‘ବ୍ରଡୱେ’ ସହ ସଂଯୁକ୍ତ ରହି ବିଭିନ୍ନ ନାଟକରେ ଅଭିନୟ କରିଥିଲେ ଓ ଦର୍ଶକଙ୍କ ପ୍ରଶଂସା ସାଉଁଟି ପାରିଥିଲେ। କେବଳ ସେତିକି ନୁହେଁ, ସେ ଇଭାନ ତୁର୍ଗେନେଭଙ୍କ ରଚିତ ଏବଂ ବିଲ ବ୍ରାଇଡେନଙ୍କ ନିର୍ଦ୍ଦେଶିତ ‘ଏ ମନ୍ଥ ଇନ ଦି କଣ୍ଟ୍ରି’ (୧୯୯୫) ଓ ନାଟ୍ୟକାର ଅଗଷ୍ଟ ଷ୍ଟ୍ରିଣ୍ଡବର୍ଗଙ୍କ ରଚିତ ଏବଂ ସିଆନ ମଥିଆସଙ୍କ ନିର୍ଦ୍ଦେଶିତ ‘ଡାନ୍ସ ଅଫ ଡେଥ’ (୨୦୦୨)ରେ ମୁଖ୍ୟ ଚରିତ୍ରରେ ଅଭିନୟ କରି ଦୁଇ ଥର ଟନି ଆୱାର୍ଡ ପାଇଁ ମନୋନୀତ ହୋଇଥିଲେ।

ରଙ୍ଗମଞ୍ଚରେ ଅଭିନୟ କରିବା ସହିତ ସେ ଉଭୟ ସିନେମା ଓ ଟେଲିଭିଜନରେ ଅଭିନୟ କରି ନିଜର ଉତ୍କର୍ଷତା ପ୍ରଦର୍ଶନ କରିଛନ୍ତି। ୧୯୮୦ ମସିହାରେ ସେ ‘ଦି ଲଙ୍ଗ ଗୁଡ ଫ୍ରାଇ ଡେ’ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ତାଙ୍କ ଫିଲ୍ମ ଅଭିନୟର କ୍ୟାରିଅର ଆରମ୍ଭ କରିଥିଲେ। ସେ ଷାଠିଏରୁ ଅଧିକ ଫିଲ୍ମରେ ବିଭିନ୍ନ ପ୍ରକାର ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କର ଚର୍ଚ୍ଚିତ ଫିଲ୍ମଗୁଡିକ ଭିତରୁ କେତୋଟି ହେଲା, ‘କାଲ’, ‘ଦି କୁଇନ’, ‘ଦି ଲଙ୍ଗ ଗୁଡ ଫ୍ରାଇ ଡେ’, ‘ଗସଫୋର୍ଡ ପାର୍କ’, ‘କ୍ୟାଲେଣ୍ଡର ଗାର୍ଲସ’, ‘ଆଇ ଇନ ଦି ସ୍କାଏ’, ‘ଦି ଲାଷ୍ଟ ଷ୍ଟେସନ’, ‘ଦି ମ୍ୟାଡନେସ ଅଫ କିଙ୍ଗ ଜର୍ଜ’, ‘ହିଚକକ’, ‘ରେଡ’, ‘ଏକସକ୍ୟାଲିବର’ ଇତ୍ୟାଦି।

ମିରେନ ‘ପ୍ରାଇମ ସସପେକ୍ଟ’ ନାମକ ଏକ ଟେଲିଭିଜନ ଧାରାବାହିକରେ ଡିଟେକ୍ଟିଭ ଇନସପେକ୍ଟର ଜେନ ଟେନିସନ ଭୂମିକାରେ ଅବତୀର୍ଣ୍ଣ ହୋଇ ତାଙ୍କ ସୁନ୍ଦର ଅଭିନୟ ପାଇଁ ବହୁଳ ଭାବେ ପ୍ରଶଂସିତ ହୋଇଥିଲେ। ଏହି ଧାରାବାହିକଟି ୧୯୯୨ରୁ ଆରମ୍ଭ ହୋଇ ପ୍ରଚୁର ଦର୍ଶକୀୟ ଆଦୃତି ଲାଭ କରି ୨୦୦୬ ମସିହା ପର୍ଯ୍ୟନ୍ତ ଚାଲିଥିଲା। ଏହା ଛଡ଼ା ‘କଜିନ ବେଟ’, ‘ଆଜ ୟୁ ଲାଇକ ଇଟ’, ‘ଟ୍ୱିଲାଇଟ ଜୋନ’ ‘ଡେଡ ଉମେନସ ସୁଜ’, ‘ଦି ପାସନ ଅଫ ଆଇନ ରାଣ୍ଡ’, ‘ଡୋର ଟୁ ଡୋର’ ଆଦି ଟେଲିଭିଜନ ନାଟକରେ ତାଙ୍କ ଅଭିନୟ ବେଶ ପ୍ରଶଂସିତ ହୋଇଥିଲା।

୭୫ ବର୍ଷୀୟା ହେଲେନ ମିରେନ ହେଉଛନ୍ତି ବିଶ୍ୱର ଏକମାତ୍ର ଅଭିନେତା ଯିଏ ତାଙ୍କ ଅଭିନୟର ଶ୍ରେଷ୍ଠତା ପାଇଁ ଉଭୟ ଆମେରିକା ଓ ବ୍ରିଟେନର ସର୍ବୋଚ୍ଚ ତ୍ରିମୁକୁଟ ହାସଲ କରିବାର ସୌଭାଗ୍ୟ ହାସଲ କରିଛନ୍ତି। ଆମେରିକାରେ ଅଭିନୟ ପାଇଁ ତ୍ରିମୁକୁଟ କହିଲେ ସିନେମା ପାଇଁ ଓସ୍କାର ପୁରସ୍କାର, ଟେଲିଭିଜନ ପାଇଁ ଏମି ପୁରସ୍କାର ଓ ରଙ୍ଗମଞ୍ଚ ପାଇଁ ଟନି ପୁରସ୍କାରକୁ ହିଁ ବୁଝାଇଥାଏ। ସେହିପରି  ବ୍ରିଟେନରେ ଅଭିନୟ ପାଇଁ ତ୍ରିମୁକୁଟ କହିଲେ ସିନେମା ପାଇଁ ବ୍ରିଟିଶ ଆକାଡେମି ଅଫ ଫିଲ୍ମ ଆଣ୍ଡ ଟେଲିଭିଜନ ଆର୍ଟସ (ବାଫତା) ଦ୍ୱାରା ପ୍ରଦତ୍ତ ବାଫତା ଫିଲ୍ମ ଆୱାର୍ଡ, ଟେଲିଭିଜନରେ ଅଭିନୟ ପାଇଁ ବାଫତା ଟେଲିଭିଜନ ଆୱାର୍ଡ ଓ ରଙ୍ଗମଞ୍ଚ ପାଇଁ ଲରେନ୍ସ ଅଲିଭିଅର ଆୱାର୍ଡକୁ ହିଁ ବୁଝାଇଥାଏ।

ସେ ଆମେରିକାରେ ସିନେମା ଅଭିନୟ ପାଇଁ ସର୍ବଶ୍ରେଷ୍ଠ ଆକାଡେମି (ଓସ୍କାର) ପୁରସ୍କାର ପାଇବାକୁ ଚାରି ଥର ମନୋନୀତ ହୋଇଥିଲେ ବି ୨୦୦୬ ମସିହାରେ ‘କୁଇନ’ ଚଳଚ୍ଚିତ୍ରରେ ଅଭିନୟ ପାଇଁ ତାଙ୍କୁ ପ୍ରଥମ ଥର ଲାଗି ଶ୍ରେଷ୍ଠ ଅଭିନେତ୍ରୀ ଭାବେ ଏହି ପୁରସ୍କାର ମିଳିଥିଲା। ସେହିପରି ଟେଲିଭିଜନ ଅଭିନୟରେ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କ ନାମ ସର୍ବମୋଟ ୧୧ ଥର ଏମି ପୁରସ୍କାର ପାଇଁ ମନୋନୀତ ହୋଇ ସେ ‘ପ୍ରାଇମ ସସପେକ୍ଟ : ଦି ସେଣ୍ଟ ଅଫ ଡାର୍କନେସ’ (୧୯୯୬), ‘ଦି ପ୍ୟାଶନ ଅଫ ଆଇନ ରାଣ୍ଡ’ (୧୯୯୯), ‘ଏଲିଜାବେଥ ୧’ (୨୦୦୬) ଓ  ‘ପ୍ରାଇମ ସସପେକ୍ଟ : ଦି ଫାଇନାଲ ଆକ୍ଟ ଅଫ ଡାର୍କନେସ’ (୨୦୦୭) ଆଦି ପାଇଁ ସମୁଦାୟ ୪ ଥର ଏହି ପୁରସ୍କାର ପାଇଥିଲେ।

ରଙ୍ଗମଞ୍ଚର ଶ୍ରେଷ୍ଠ ଅଭିନେତ୍ରୀ ଭାବେ ତାଙ୍କ ନାମ ଟନି ଆୱାର୍ଡ ପାଇଁ ତିନି ଥର ମନୋନୀତ ହୋଇଥିଲେ ବି ୨୦୧୫ ମସିହାରେ ତାଙ୍କୁ ‘ଦି ଅଡିଏନ୍ସ’ ନାଟକରେ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଭୂମିକାରେ ଅଭିନୟ ପାଇଁ ଏହି ପୁରସ୍କାର ପ୍ରଦାନ କରା ଯାଇଥିଲା। ଉଲ୍ଲେଖଯୋଗ୍ୟ, ଆମେରିକାରେ ଏ ଯାବତ୍ ଅଭିନୟ ପାଇଁ ମାତ୍ର ୨୪ ଜଣ ଅଭିନେତା ତ୍ରିମୁକୁଟ ହାସଲ କରି ପାରିଛନ୍ତି।

ଟେଲିଭିଜନ ସିରିଜ ‘ପ୍ରାଇମ ସସପେକ୍ଟ’ରେ ଅଭିନୟ ପାଇଁ ତାଙ୍କୁ ଲଗାତର ଭାବେ ତିନି ବର୍ଷ (୧୯୯୨, ୧୯୯୩, ୧୯୯୪) ବ୍ରିଟେନର ସର୍ବୋଚ୍ଚ ‘ବାଫତା ଟେଲିଭିଜନ ଆୱାର୍ଡ’ ମିଳିଥିଲା। ତାଙ୍କୁ ‘କୁଇନ’ ସିନେମାରେ ଅଭିନୟ ପାଇଁ ୨୦୦୬ ମସିହାରେ ‘ବାଫତା ଫିଲ୍ମ ଆୱାର୍ଡ’ ମିଳିଥିଲା। ନାଟ୍ୟକାର ପିଟର ମୋରଗାନଙ୍କ ରଚିତ ଓ ଷ୍ଟିଫେନ ଡାଲଡ୍ରିଙ୍କ ନିର୍ଦ୍ଦେଶିତ ବହୁଚର୍ଚ୍ଚିତ ନାଟକ ‘ଦି ଅଡିଏନ୍ସ’ ନାଟକରେ ଅଭିନୟ ପାଇଁ ତାଙ୍କୁ ୨୦୧୩ ମସିହାରେ ‘ଲରେନ୍ସ ଅଲିଭିଅର’ ପୁରସ୍କାର ପ୍ରଦାନ କରା ଯାଇଥିଲା। ହେଲେନ ମିରେନଙ୍କ ସମେତ ସମୁଦାୟ ୮ ଜଣ ଅଭିନୟ ପାଇଁ ବ୍ରିଟେନର ତ୍ରିମୁକୁଟ ହାସଲ କରିବାକୁ ସମର୍ଥ ହୋଇଛନ୍ତି। ଏତଦଭିନ୍ନ ସେ ଗୋଲଡନ ଗ୍ଲୋବ ଆୱାର୍ଡ ଓ ଆହୁରି ଅନେକ ପୁରସ୍କାରରେ ସମ୍ମାନିତ ହେବା ସହ କାନସ ଫିଲ୍ମ ଫେଷ୍ଟିଭାଲ ଓ ଭେନିସ ଫିଲ୍ମ ଫେଷ୍ଟିଭାଲରେ ମଧ୍ୟ ଶ୍ରେଷ୍ଠ ଅଭିନେତ୍ରୀ ଭାବେ ପୁରସ୍କୃତ ହୋଇ ସାରିଛନ୍ତି।

ସେ ଏକ ମାତ୍ର ଅଭିନେତ୍ରୀ ଯେ ଉଭୟ ରାଣୀ ପ୍ରଥମ ଏଲିଜାବେଥ ଓ ରାଣୀ ଦ୍ୱିତୀୟ ଏଲିଜାବେଥଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ସୁଦୀର୍ଘ ଅଭିନୟ କ୍ୟାରିଅରରେ ସେ କ୍ଲିଓପେଟ୍ରା ଓ କ୍ୟଥେରିନଙ୍କ ସମେତ ଛଅ ଜଣ ରାଣୀଙ୍କ ଚରିତ୍ରରେ ଅଭିନୟ କରିଛନ୍ତି। ସାମ୍ରାଜ୍ଞୀଙ୍କ ଚରିତ୍ରରେ ଅଭିନୟ କଲା ବେଳେ ମଧ୍ୟ ସେ ସେହି ଚରିତ୍ରର ଗରିମା ଓ ଦୃଢ ନିଶ୍ଚୟକୁ ସୁନ୍ଦର ଭାବେ ପରିସ୍ଫୁଟିତ କରି ପାରିଛନ୍ତି। ନାଟକ କ୍ଷେତ୍ରକୁ ତାଙ୍କର ଉଲ୍ଲେଖନୀୟ ଅବଦାନ ଲାଗି ୨୦୦୩ ମସିହାରେ ବ୍ରିଟେନର ରାଣୀଙ୍କ ଦ୍ୱାରା ତାଙ୍କୁ ଡେମ (ଡିବିଇ) ଭାବେ ନିଯୁକ୍ତି ପ୍ରଦାନ କରା ଯାଇଥିଲା।

‘କାଲିଗୁଲା’, ‘ଦି କୁକ, ଦି ଥିଫ, ହିଜ ୱାଇଫ ଆଣ୍ଡ ହାର ଲଭର’ ଭଳି କେତେକ ଫିଲ୍ମରେ ତାଙ୍କ ଦ୍ୱାରା ଅଭିନୀତ ଚରିତ୍ର ପାଇଁ ତାଙ୍କୁ ନିନ୍ଦିତ ହେବାକୁ ହୋଇଥିଲେ ବି ସେ ସେଥିପାଇଁ କେବେ ଅନୁତପ୍ତ ହୋଇ ନାହାନ୍ତି। ବରଂ ତାଙ୍କ ଜୀବନ ରଙ୍ଗମଞ୍ଚ ଓ କ୍ୟାମେରା ପାଇଁ ସମର୍ପିତ ବୋଲି ସେ ବାରମ୍ୱାର କହି ଆସିଛନ୍ତି। ସେ ଦୀର୍ଘ ୫୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ନିରବଚ୍ଛିନ୍ନ ଭାବେ ଅଭିନୟରେ ମଜ୍ଜି ରହିଛନ୍ତି। ଅଭିନୟର ତିନିଟି ଯାକ ଫର୍ମାଟ, ରଙ୍ଗମଞ୍ଚ, ସିନେମା ଓ ଟେଲିଭିଜନ, ରେ ନିଜ ଉତ୍କର୍ଷତା ପ୍ରତିପାଦିତ କରି ପାରିଥିବା ଏହି ପ୍ରତିଭାଶାଳୀ ଅଭିନେତାଙ୍କ ଅଭିନୟ ପ୍ରତି ନିଷ୍ଠା ଓ ସମର୍ପଣ ତଥା ତାଙ୍କ ଜୀବନ ସଂଘର୍ଷରୁ ଯୁବପିଢିଙ୍କୁ ଯେ ପ୍ରେରଣାର ଅନେକ ଉପାଦାନ ମିଳି ପାରିବ, ଏଥିରେ ସନ୍ଦେହ ନାହିଁ।

ଭୁବନେଶ୍ଵର, ମୋ. ୯୪୩୭୦୩୮୦୧୫

The post ବିଶ୍ୱ ନାଟ୍ୟ ଦିବସ ଓ ବ୍ରିଟିଶ ଅଭିନେତ୍ରୀ ହେଲେନ ମିରେନ appeared first on Odisha Reporter.



from Odisha Reporter https://ift.tt/2PzrfVL

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages