ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): “ଲକ୍ଡାଉନ୍ ସମୟର କଷ୍ଟ ଆମ ସ୍ମୃତିରେ ଏବେ ବି ତାଜା ଅଛି। ଆମର ଅର୍ଥନୀତି, ଆମର ସାମାଜିକ ଜୀବନ ଓ ପିଲାମାନଙ୍କ ପାଠପଢ଼ା- ସବୁ କ୍ଷେତ୍ରକୁ ଏହା ଗଭୀର ଭାବରେ ପ୍ରଭାବିତ କରିଛି। ଆପଣମାନଙ୍କ ତ୍ୟାଗ ଓ ସହଯୋଗ ଯୋଗୁଁ ବର୍ତ୍ତମାନ ସ୍ୱଭାବିକ ଅବସ୍ଥା ଫେରିଛି । ଆମେ କେହି ଲକ୍ଡାଉନ୍ ଫେରୁ ବୋଲି ଚାହୁଁ ନାହୁଁ। ଆଉ ଲକ୍ଡାଉନ୍ ନ ଫେରିବାର ଗୋଟିଏ ମାତ୍ର ଉପାୟ ହେଉଛି ସତର୍କତା।” ଆଜି ରାଜ୍ୟବାସୀଙ୍କୁ କରୋନା ସଂପର୍କରେ ସମ୍ବୋଧିତ କରିବା ଅବସରରେ ଏହି କଥା କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଆମେ ସତର୍କ ରହିଲେ ଲକ୍ଡାଉନ୍ ଭଳି ସ୍ଥିତି ଆଉ ଉପୁଜିବ ନାହିଁ। ତେଣୁ ମୋର ଅନୁରୋଧ ଆମେ ସମସ୍ତେ ପୂର୍ବଭଳି କୋଭିଡ୍ ଗାଇଡ୍ଲାଇନ୍କୁ କଡ଼ାକଡ଼ି ଭାବେ ପାଳନ କରିବା। ବାହାରକୁ ଗଲେ ମାସ୍କ ନିଶ୍ଚୟ ପିନ୍ଧିବା। କିନ୍ତୁ ବେକରେ ଝୁଲାଇକରି ନୁହେଁ। ମାସ୍କକୁ ଠିକ୍ ଭାବରେ ପାଟି ଓ ନାକକୁ ଘୋଡ଼ାଇ ପିନ୍ଧିବା। ଘରକୁ ଫେରିଲେ ସାବୁନ୍ରେ ଭଲ କରି ହାତ ଧୋଇବା। ମୁହଁ, ନାକ ଓ ଆଖିରେ ବାରମ୍ୱାର ହାତ ମାରିବା ନାହିଁ। ସମାଜିକ ଦୂରତ୍ୱ ରକ୍ଷାକରି ହାଟ ବଜାର ଆଦି ସ୍ଥାନକୁ ଯିବା ଏବଂ ଅନାବଶ୍ୟକ ଭାବରେ ବାହାରେ ବୁଲାବୁଲି କରିବା ନାହିଁ।
ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସେ କହିଛନ୍ତି, ଓଡ଼ିଶା କରୋନା ନିୟନ୍ତ୍ରଣରେ ରହିଛି। ଏ ଦିଗରେ ଆମ ପଦକ୍ଷେପକୁ WHO ମଧ୍ୟ ପ୍ରଶଂସା କରିଛି । ଏବେ ଆମର ଦୈନିକ ସଂକ୍ରମଣ ୧୦୦ ତଳେ ରହୁଛି । ଶୂନ୍ୟ ସଂକ୍ରମଣ ଆମର ଲକ୍ଷ୍ୟ। ମୁଁ ଆଗରୁ କହିଛି ଓ ଏବେ ମଧ୍ୟ ପୁଣି ଥରେ କହୁଛି ଯେ ରୋଗ କ୍ଷେତ୍ରରେ ଆତ୍ମସନ୍ତୋଷ ଠିକ୍ ନୁହେଁ। କାରଣ ବିପଦ ଏବେ ବି ଟଳି ନାହିଁ। ମହାରାଷ୍ଟ୍ର, ପଞ୍ଜାବ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ସ୍ଥିତି ଏବେ ବିଗିଡ଼ିବାରେ ଲାଗିଛି। ମହାରାଷ୍ଟ୍ରର କେତେକ ଅଞ୍ଚଳରେ ଲକ୍ଡାଉନ୍ ପୁଣି ଫେରିଛି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ କରୋନା ପାଇଁ ଟୀକାକରଣ ଆମ ରାଜ୍ୟରେ ସଫଳ ଭାବରେ ଚାଲିଛି। ଏ ଦିଗରେ ମୁଁ ଆପଣମାନଙ୍କ ସହଯୋଗ କାମନା କରୁଛି। କରୋନା ବିରୋଧୀ ଲଢ଼େଇରେ ଆମେ ଆମର ବହୁ ଯୋଦ୍ଧାଙ୍କୁ ହରାଇଛୁ। ସେମାନଙ୍କର ପରିବାର ଆଖିରୁ ଆଜି ମଧ୍ୟ ଲୁହ ଶୁଖି ନାହିଁ। ସେହି ଯୋଦ୍ଧାମାନଙ୍କର ବଳିଦାନକୁ ଆମେ କେବେବି ବ୍ୟର୍ଥ ଯିବାକୁ ଦେବା ନାହିଁ। ସତର୍କ ରହିବା ହିଁ ସହିଦ୍ କରୋନା ଯୋଦ୍ଧାଙ୍କ ପାଇଁ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ।
ସେ କହିଛନ୍ତି, କରୋନା ନିୟମାବଳୀର ଅନୁପାଳନକୁ କଡ଼ାକଡ଼ି ଭାବରେ ତଦାରଖ କରିବା ପାଇଁ ମୁଁ ପ୍ରଶାସନ ଓ ପୁଲିସ୍କୁ ନିର୍ଦ୍ଦେଶ ଦେଇଛି। ଆମେ ନିଜେ ସତର୍କ ରହିବା ହିଁ ସବୁଠାରୁ ଭଲ। ଆପଣମାନଙ୍କ ଉପରେ ମୋର ପୂର୍ଣ୍ଣ ଭରସା ରହିଛି। ଆପଣମାନେ ମୋର ଅନୁରୋଧ ରକ୍ଷା କରିବେ ଏବଂ ସତର୍କ ରହିବେ। ଆମେ ସମସ୍ତେ ମିଶି ଶୂନ୍ୟ ସଂକ୍ରମଣ ଲକ୍ଷ୍ୟ ହାସଲ କରିପାରିବା।
The post ଲକ୍ଡାଉନ୍ ନ ଫେରିବାର ଗୋଟିଏ ମାତ୍ର ଉପାୟ ବିଷୟରେ କହିଲେ ମୁଖ୍ୟମନ୍ତ୍ରୀ appeared first on Odisha Reporter.
from Odisha Reporter https://ift.tt/2OOGgm4
No comments:
Post a Comment