ନୂଆଦିଲ୍ଲୀ: ମହାମାରୀ କରୋନା ଯୋଗୁ ଦୋହଲି ଯାଇଥିବା ଦେଶର ଅର୍ଥନୀତି ଧୀରେଧୀରେ ଟ୍ରାକ୍କୁ ଫେରୁଥିବା ବେଳେ ଏବେ ଏହାକୁ ଡବଲ ଝଟକା ଲାଗିଛି। ଗୋଟିଏ ପଟେ ଶିଳ୍ପ ଉତ୍ପାଦନ(ଆଇଆଇପି) ପୁଣି ନକାରାତ୍ମକ ସ୍ତରକୁ ଚାଲିଯାଇଛି। ଜାନୁଆରୀ ମାସରେ ଆଇଆଇପି ୧.୬% ହ୍ରାସ ପାଇଥିବା ବେଳେ ଖାଦ୍ୟ ଓ ତୈଳଦର ବୃଦ୍ଧି ଯୋଗୁ ଫେବୃଆରୀରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୩ ପ୍ରତିଶତକୁ ବୃଦ୍ଧି ପାଇଛି। ଜାନୁଆରୀରେ ଏହା ୪.୦୬% ରହିଥିଲା।
ଶୁକ୍ରବାର ପରିସଂଖ୍ୟାନ ମନ୍ତ୍ରଣାଳୟ ଅଧୀନରେ ଥିବା ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ୨୦୨୧ ଜାନୁଆରୀ ମାସର ଇଣ୍ଡଷ୍ଟ୍ରିଆଲ୍ ପ୍ରଡକ୍ସନ୍ ଇଣ୍ଡେକ୍ସ (ଆଇଆଇପି) ଓ ଫେବୃଆରୀ ମାସର ଗ୍ରାହକ ମୂଲ୍ୟ ସୂଚକାଙ୍କ ଆଧାରରେ ଖୁଚୁରା ମୁଦ୍ରାସ୍ଫୀତିର ଆକଳନ କରିଛି।
ତଥ୍ୟ ଅନୁଯାୟୀ, କ୍ୟାପିଟାଲ ଗୁଡସ, ମ୍ୟାନୁଫ୍ୟାକଚରିଂ ଓ ଖଣି କ୍ଷେତ୍ରର ମାନ୍ଦାବସ୍ଥା ଯୋଗୁ ବର୍ଷର ପ୍ରଥମ ମାସରେ ଶିଳ୍ପ ଉତ୍ପାଦନ ୧.୬% ତଳକୁ ଖସିଛି। ଆଇଆଇପି ଉତ୍ପାଦନ କ୍ଷେତ୍ର ୭୭.୬% ପ୍ରତିଶତ ଅଂଶଧନ ରଖିଥିବା ମ୍ୟାନୁଫ୍ୟାକଚରିଂ କ୍ଷେତ୍ରରେ ୨% ହ୍ରାସ ପାଇଛି। ପୂର୍ବ ଆର୍ଥିକ ବର୍ଷର ସମାନ ମାସରେ ଏହା ୧.୮% ବୃଦ୍ଧି ପାଇଥିଲା।
କ୍ୟାପିଟାଲ ଗୁଡ୍ସ କ୍ଷେତ୍ରରେ ସବୁଠାରୁ ଖରାପ ପ୍ରଦର୍ଶନ ଦେଖିବାକୁ ମିଳିଛି। ଜାନୁଆରୀ ମାସରେ ଏହା ୯.୬% ହ୍ରାସ ପାଇଛି, ଯାହା ପୂର୍ବ ବର୍ଷ ତୁଳନାରେ ୪.୪% କମ୍।
ଅନ୍ୟପକ୍ଷରେ ଖାଇବା ତେଲ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀର ମୂଲ୍ୟବୃଦ୍ଧି ଯୋଗୁ ଖୁଚୁରା ମୁଦ୍ରାସ୍ଫୀତି ବିଗତ ୩ ମାସ ମଧ୍ୟରେ ସର୍ବୋଚ୍ଚ ସ୍ତରରେ ପହଞ୍ଚି ଯାଇଛି। ଫେବୃଆରୀ ମାସରେ ଖୁଚୁରା ମୁଦ୍ରାସ୍ଫୀତି ୫.୦୩%କୁ ବୃଦ୍ଧି ପାଇଛି। ଫେବୃଆରୀ ମାସରେ ଫୁଡ ପ୍ରାଇସ ଇଣ୍ଡେକ୍ସ ମୁଦ୍ରାସ୍ଫୀତି ୩.୮୭% ରହିଛି। ଜାନୁଆରୀରେ ଏହା ୧.୯୬% ରହିଥିଲା। ଏହାବାଦ ଇନ୍ଧନ ଓ ଲାଇଟ୍ର ମୁଦ୍ରାସ୍ଫୀତି ୩.୫୩% ରହିଛି। ଅବଶ୍ୟ ଜାନୁଆରୀରେ ଏହା ୩.୮୭%ରୁ ସାମାନ୍ୟ ଅଧିକ ରହିଥିଲା।
ଦେଶରେ କ୍ରମାଗତ ଭାବେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଁ ରେକର୍ଡ ସ୍ତରରେ ପହଞ୍ଚିଥିବାରୁ ସାଧାରଣ ଲୋକ ହନ୍ତସନ୍ତ ହେଉଛନ୍ତି। ତୈଳଦର ବଢ଼ୁଥିବାରୁ ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ତେବେ ଆଗକୁ ବିଧାନସଭା ନିର୍ବାଚନ ଥିବାରୁ ୧୩ ଦିନ ହେଲା ତୈଳଦରରେ କୌଣସି ବୃଦ୍ଧି ଘଟିନାହିଁ।
The post ଅର୍ଥ ବ୍ୟବସ୍ଥାକୁ ଡବଲ ଝଟକା: ଆଇଆଇପି ୧.୬% ଖସିଲା, ଖୁଚୁରା ମୁଦ୍ରାସ୍ଫୀତି ୫.୦୩%ରେ ପହଞ୍ଚିଲା appeared first on Odisha Reporter.
from Odisha Reporter https://ift.tt/2NeyRw1
No comments:
Post a Comment