ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୁଣି କଡ଼ ଲେଉଟାଇଲାଣି କରୋନା। କରୋନା କୋପରେ ସବୁ ଥରହର। କୋମଳମତି ଛାତ୍ରଛାତ୍ରୀଙ୍କୁ କରୋନା ସଂକ୍ରମଣରୁ ରକ୍ଷା କରିବା ପାଇଁ ବଡ଼ ନିଷ୍ପତ୍ତି ନେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ।
ପ୍ରଥମରୁ ଅଷ୍ଟମ ଯାଏ ଆଉ ସ୍କୁଲ ଖୋଲିବନି କି କ୍ଲାସ୍ ହେବନି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସବୁ ପିଲା ପାସ୍। ଗତବର୍ଷ ଭଳି ଏଥର ବି ପରୀକ୍ଷା ନ କରି କ୍ଲାସ ପ୍ରମୋସନ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ। କେବଳ ନବମ, ଦଶମ ଛାତ୍ରଛାତ୍ରୀଙ୍କ କ୍ଲାସ ଚାଲୁଥିବା ବେଳେ ସେମାନେ ଅଫଲାଇନ୍ ପରୀକ୍ଷା ଦେବେ ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ କରୋନା ଗ୍ରାଫ ତଳମୁହାଁ ଥିଲା, ସେତେବେଳେ କ୍ଲାସ୍ରେ ପିଲାଙ୍କ ପାଠପଢ଼ା କିଛି ମାତ୍ରାରେ ସାରିବା କରିବା ପାଇଁ ଯୋଜନା କରାଯାଇଥିଲା। କିନ୍ତୁ ଏବେ ପୁଣିଥରେ କରୋନା ଗ୍ରାଫ ଉପରମୁହାଁ ହୋଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆଣିବା ବିପଦପୂର୍ଣ୍ଣ ବୋଲି ହୃଦୟଙ୍ଗମ କରିଛି ବିଭାଗ।
ମନ୍ତ୍ରୀ କହିଛନ୍ତି, କରୋନା ଯୋଗୁ ପୂରା ଶିକ୍ଷା ବର୍ଷ ପ୍ରଭାବିତ ହୋଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଅଫଲାଇନ୍ରେ କୌଣସି ଶିକ୍ଷା ଗ୍ରହଣ କରି ନାହାନ୍ତି। ଅନଲାଇନ୍ ପାଠପଢ଼ା ସେବା ସବୁଠି ଫଳପ୍ରଦ ହୋପାରିନାହିଁ। ତେଣୁ ପରୀକ୍ଷା କରିବା ଅସମ୍ଭବ। ତେଣୁ ଯେଉଁପରି ଭାବେ ଗତ ବର୍ଷ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ବିନା ପରୀକ୍ଷାରେ କ୍ଲାସ ପ୍ରମୋସନ ଦିଆଯାଇଥିଲା ଚଳିତ ବର୍ଷ ମଧ୍ୟ ସେହି ଢାଞ୍ଚା ଆପଣାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ।
ଅପରପକ୍ଷେ, ଏବେ ନବମ, ଦଶମ, ଏକାଦଶ, ଦ୍ୱାଦଶ କ୍ଲାସ ରୁମ୍ ଚାଲିଛି। ପିଲାମାନେ ଅଫ୍ଲାଇନ୍ରେ ପାଠ ପଢ଼ିଛନ୍ତି। ତେଣୁ ଅଫଲାଇନ୍ ପରୀକ୍ଷା ଦେବାରେ କିଛି ଅସୁବିଧା ନାହିଁ।
ସିବିଏସ୍ଇ ଏପ୍ରିଲରୁ ନୂତନ ଶିକ୍ଷା ବର୍ଷ ଆରମ୍ଭ କରିବାକୁ ଘୋଷଣା କରି ସାରିଥିବା ବେଳେ ରାଜ୍ୟ ସରକାର ଏ ନେଇ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନେଇ ନାହାନ୍ତି। ଏପ୍ରିଲରେ ଗ୍ରୀଷ୍ମ ପ୍ରବାହ ଲାଗି ରହିଥିବାରୁ ସ୍କୁଲ ଖୋଲାଯାଇପାରିବ ନାହିଁ। ଜୁନ୍ ପରେ ଏ ନେଇ ନିଷ୍ପତ୍ତି ନିଆଯିବ ବୋଲି କହିଛନ୍ତି ମନ୍ତ୍ରୀ।
The post ପ୍ରଥମରୁ ଅଷ୍ଟମ ଯାଏ ବିନା ପରୀକ୍ଷାରେ ସବୁ ପାସ୍ appeared first on Odisha Reporter.
from Odisha Reporter https://ift.tt/3lepgly
No comments:
Post a Comment