ସୋନପୁର(ରବୀନ୍ଦ୍ର ହୋତା): ମଣିଷ ସାମଗ୍ରିକ ଭାବେ ସୁସ୍ଥ ବୋଲି ବିବେଚିତ ହୁଏ ଯଦି ସେ ଶାରୀରିକ ,ମାନସିକ ଓ ସାମାଜିକ ସ୍ୱାସ୍ଥ୍ୟର ଅଧିକାରୀ ହୁଏ । କୁହାଯାଏ ମାନସିକ ସ୍ତରରେ ଖୁସିଥିବା ଜଣେ ଲୋକ ସହଜରେ ରୋଗାଗ୍ରସ୍ଥ ହୁଏନାହିଁ ଏବଂ ରୋଗରେ ଥିଲେ ଶୀଘ୍ର ଆରୋଗ୍ୟଲାଭ କରେ । ଆଉ ଯଦି ଚିକିତ୍ସାଳୟକୁ ଆସି ରୋଗୀଟିଏ ଔଷଧିୟ ଚିକିତ୍ସା ସହ ମାନସିକ ଶାନ୍ତିଲାଭ କରେ ତାହେଲେ ସେହି ଚିକିତ୍ସାଳୟର ସ୍ୱତନ୍ତ୍ରତା ବାରିପଡ଼େ। ଠିକ୍ ସେମିତି ଏକ ଚିକିତ୍ସାଳୟ ହେଉଛି ସୋନପୁର ବ୍ଲକର ନାଇକେନ ପାଲି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ।
ଜିଲ୍ଲା ସଦର ମହକୁମାରୁ ୨୫ କିମି ଦୂରର ଏକ ପ୍ରାକୃତିକ ପରିବେଶ ଘେରା ଅଂଚଳରେ ଅବସ୍ଥିତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନାଇକେନପାଲି । ସୋନପୁର ବ୍ଲକର ପ୍ରାୟ ୮୫ହଜାର ଲୋକଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇପାଇଁ ଉଦ୍ଦିଷ୍ଟ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏକଦା ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଥିଲା । କିନ୍ତୁ ସରକାରୀ ସହାୟତା ଏବଂ ବିଶେଷକରି ଏଠାରେ କାର୍ଯ୍ୟରତ କର୍ମଚାରୀଙ୍କ ଆତ୍ମିୟତା ପାଇଁ ଆଜି ଏହି ସ୍ୱାସ୍ଥ୍ୟକେନ୍ଦ୍ର ଏକ ଭିନ୍ନ ରୂପ ପାଇଛି। ସ୍ୱଚ୍ଛ ନିର୍ମଳ ବାତାବରଣ ସହ ସବୁଜିମାଭରା ଏହି ସ୍ୱାସ୍ଥ୍ୟକେନ୍ଦ୍ରର ପରିବେଶ ରୋଗୀ ମନ ହାଲକା କରିବାସହ ବିଭିନ୍ନ କାନ୍ଥରେ ଲେଖାଥିବା ସ୍ୱାସ୍ଥ୍ୟବାର୍ତ୍ତା ସଚେତନ କରୁଛି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ପରିସରକୁ ଏମିତି ଭାବେ ସଜା ଯାଇଛି ଯେ, ଏହା ଆପଣଙ୍କୁ କୌଣସି ସ୍ୱାସ୍ଥ୍ୟକେନ୍ଦ୍ର ଭଳି ଅନୁଭବ ହେବ ନାହିଁ । ପୁରା ସ୍ୱାସ୍ଥ୍ୟକେନ୍ଦ୍ରର ଭିତର ହେଉ ଅବା ବାହାର ପରିମଳ ପ୍ରତି ବିଶେଷ ଭାବେ ଧ୍ୟାନ ଦିଆଯାଇଛି ।
ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଅଛି ଔଷଧୀୟ ବୃକ୍ଷ ଉଦ୍ୟାନ । ଯାହାକି ତୁଳସୀ, ପତ୍ରଗଜା, ଘିକୁଆଁରୀ, ଧନ୍ୱନ୍ତରୀ ଭଳି ବିଭିନ୍ନ କିସମର ଗଛରେ ଭରପୂର ରହିଛି । ସେମିତି ରହିଛି ଜୈବିକ ଉଦ୍ୟାନ। ଯେଉଁଥିରେ ପିଜୁଳି, ଆମ୍ବ, କଦଳୀ , ଅମୃତଭଣ୍ଡା, ଲେମ୍ବୁ ଆଦି ଅନେକ କିସମର ଫଳ ଘଛ ରହିଛି । ବିଭିନ୍ନ ସ୍ଥାନରେ ଶୋଭାପାଉଛି ଭଳିକି ଭଳି ମନଲୋଭା ଫୁଲର ଆସର ।
କେବଳ ସେତିକି ନୁହେଁ ଉପଯୁକ୍ତ ସ୍ଥାନରେ ଡଷ୍ଟବିନ୍ ସହିତ ପିଇବା ପାଣି, ରୋଗୀ ଓ ସମ୍ପର୍କୀୟଙ୍କ ପାଇଁ ପ୍ରତୀକ୍ଷାଳୟ, କାନ୍ଥରେ ବିଭିନ୍ନ ରୋଗ ସମ୍ବନ୍ଧୀୟ ସଚେତନତାର ବାର୍ତାସହ ଟେଲିଭିଜନରେ ଦୃଶ୍ୟମାନ ଉପାଦେୟ ଭିଡିଓ ଓ ସଂଗୀତ ରୋଗୀଙ୍କ ମନକୁ ଅପୂର୍ବ ସନ୍ତୋଷ ପ୍ରଦାନ କରୁଛି । ସୁବର୍ଣ୍ଣପୁର ଜିଲ୍ଲା ନାଇକେନପାଲି ଠାରେ ଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରଟି ୮୦ ଦଶକରେ ନିର୍ମିତ ହୋଇଥିଲା । ବର୍ତ୍ତମାନ ଏହା ୧୬ ଶଯ୍ୟା ବିଶିଷ୍ଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହୋଇଥିବା ବେଳେ ପ୍ରାୟ ୮୫ ହଜାର ଲୋକ ଏହା ଉପରେ ନିର୍ଭରଶୀଳ। ସ୍ୱାସ୍ଥ୍ୟ ସେବା ବ୍ୟତିରେକ ଏହାର ସ୍ୱଚ୍ଛ ନିର୍ମଳ ବାତାବରଣ ଓ ସବୁଜିମାଭରା ପରିବେଶ ଏବଂ କର୍ମଚାରୀଙ୍କ ଆତ୍ମୀୟତାଭରା ବ୍ୟବହାର ପାଇଁ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଲୋକଙ୍କ ଠାରେ ବେଶ ଆଦୃତି ଲାଭ କରିଛି । ଏକ ପାର୍କର ଭ୍ରମ ସୃଷ୍ଟି କରୁଥିବା ଏହି ସ୍ୱାସ୍ଥ୍ୟକେନ୍ଦ୍ରକୁ ଲୋକ କେବଳ ଚିକିତ୍ସା ପାଇଁ ନୁହେଁ ବରଂ ସେଲଫି ନେବା ପାଇଁ ଆସୁଛନ୍ତି ।
The post ମନ ପରିବର୍ତ୍ତନ କରିଦେଉଛି ମେଡିକାଲ , ରୋଗୀ ପାଉଛନ୍ତି ସ୍ୱର୍ଗୀୟ ଅନୁଭୂତି appeared first on Odisha Reporter.
from Odisha Reporter https://ift.tt/3eLZHXJ
No comments:
Post a Comment