ନୂଆଦିଲ୍ଲୀ: ଶାହାଜାହାନଙ୍କ ତାଜମହଲ ଅନାବିଳ ପ୍ରେମର ଶ୍ରେଷ୍ଠ ନିଦର୍ଶନ ହୋଇଥାଇପାରେ। ମାତ୍ର ପତ୍ନୀ ମେରିୟମଙ୍କ ପ୍ରତି ରସିଦ୍ଙ୍କ ନିଷ୍ଠା ଓ ଭଲ ପାଇବା ଶାହାଜାହାନଙ୍କଠାରୁ କୌଣସି ଗୁଣରେ ବି କମ୍ ନୁହେଁ। ଏକଥା ପ୍ରମାଣ କରି ପାକିସ୍ତାନରେ ଆତ୍ମପ୍ରକାଶ କରିଛି ଅମର ପ୍ରେମର ପ୍ରତୀକ ତାଜମହଲ। ନିଜ ପତ୍ନୀଙ୍କ ପ୍ରତି ଥିବା ନିଚ୍ଛକ ଭଲ ପାଇବାର ନିଦର୍ଶନ ସ୍ୱରୂପ ପାକିସ୍ତାନର ଅବଦ୍ଦୁଲ ରସିଦ୍ ପାଲି ନିଜ ଦେଶରେ ତାଜମହଲର ଏକ ଅବିକଳ ପ୍ରତିକୃତି ନିର୍ମାଣ କରିଛନ୍ତି।
ଦୁନିଆର ସପ୍ତଶ୍ଚର୍ଯ୍ୟ ମଧ୍ୟରେ ରହିଛି ଭାରତର ତାଜମହଲ। ନିଜ ପତ୍ନୀ ମୁମତାଜଙ୍କ ଲାଗି ଥିବା ଅନାବଳି ଭଲପାଇବାକୁ ଆଗ୍ରାଠାରେ ତାଜମହଲ ରୂପ ଦେଇଥିଲେ ମୋଗଲ ସମ୍ରାଟ୍ ଶାହଜାହାନ। ହେଲେ ଆଗ୍ରାଠୁ ପ୍ରାୟ ୮ଶହ କି.ମି ଦୂରରେ ପାକିସ୍ତାନର ସିନ୍ଧ୍ ପ୍ରଦେଶ, ଉମରକୋଟ୍ ଗାଁରେ ନିର୍ମିତ ହୋଇଛି ତାଜମହଲର ଏକ ଅବିକଳ ପ୍ରତିକୃତି। ବିଶ୍ୱ ବିଦିତ ଏହି ତାଜ୍ ପ୍ରତିକୃତି ନିର୍ମାଣ କରିଛନ୍ତି ସିନ୍ଧ୍ ପ୍ରଦେଶ, ଉମରକୋଟ୍ ଗାଁର ଅବଦ୍ଦୁଲ ରସିଦ୍ ପାଲି।
ଅବଦ୍ଦୁଲ ରସିଦ୍ ପାଲି ପେସାରେ ଓକିଲ ଓ ଜମିଦାର । ତାଙ୍କ ନାଁରେ ୯ଶହ ଏକରରୁ ଅଧିକ ଜମି ରହିଛି । ତେବେ ୧୯୮୦ରେ ଆଗ୍ରା ଆସିଥିବା ବେଳେ ତାଜମହଲ ପ୍ରେମରେ ପଡି ଯାଇଥିଲେ ସେ । ନିଜ ପତ୍ନୀ ମେରିୟମଙ୍କୁ ବି ଖୁବ୍ ଭଲ ପାଉଥିଲେ ରସିଦ୍ । ରସିଦଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ସେ ୪୦ ବର୍ଷୀୟା ମେରିୟମଙ୍କୁ ବିବାହ କରିଥିଲେ । ଉଭୟଙ୍କ ବୈବାହିକ ଜୀବନ ଅତି ସୁଖମୟ ଥିଲା । ଖାସ୍ କରି ମେରିୟମ ପ୍ରସ୍ତୁତ କରୁଥିବା ସୁସ୍ୱାଦୁ ଖାଦ୍ୟକୁ ନେଇ ତାଙ୍କ ପ୍ରତି ମାତ୍ରାଧିକ ଆସକ୍ତ ହୋଇଯାଇଥିଲେ ରସିଦ ।
୪୦ ବର୍ଷର ଦାମ୍ପତ୍ୟ ପରେ ୨୦୧୫ରେ ମେରିୟମଙ୍କ ଦେହାନ୍ତ ହୋଇଥିଲା । ପତ୍ନୀଙ୍କ ମୃତ୍ୟୁ ପରେ ରସିଦଙ୍କ ତାଜମହଲ ନିର୍ମାଣ ଇଚ୍ଛା ଆହୁରି ବଢ଼ିଯାଇଥିଲା । କିଛି ଲୋକଙ୍କ ବିରୋଧ ସତ୍ତ୍ୱେ ୧୩ ଲକ୍ଷ ପାକିସ୍ତାନୀ ଟଙ୍କା ବ୍ୟୟରେ ଓ ୬ ମାସର କାମ ପରେ ଆତ୍ମପ୍ରକାଶ କରିଥିଲା ଭଲ ପାଇବାର ପ୍ରତୀକ ତାଜମହଲ ।
ପୂର୍ବରୁ ଉତ୍ତରପ୍ରଦେଶ ବୁଲନ୍ଦସହରର ଫୈଜୁଲ ହାସଲ କାଦ୍ରି ବି ନିଜ ପତ୍ନୀଙ୍କ ସ୍ମୃତିରେ ତାଜମହଲର ଏକ ପ୍ରତିକୃତି ନିର୍ମାଣ କରୁଥିଲେ । ମାତ୍ର ସଡକ ଦୁର୍ଘଟଣାରେ ଫୈଜୁଲଙ୍କ ମୃତ୍ୟୁ ହୋଇଯିବାରୁ ତାଙ୍କ ସ୍ୱପ୍ନ ଅଧାରେ ରହିଯାଇଥିଲା।
The post ମୃତ୍ୟୁ ପରେ ବି ପତ୍ନୀଙ୍କୁ ଭୁଲି ପାରିଲେନି; ପାକିସ୍ତାନରେ ତାଜମହଲ ଗଢ଼ିଲେ ରସିଦ୍ appeared first on Odisha Reporter.
from Odisha Reporter https://ift.tt/3eclUh5
No comments:
Post a Comment