ଭବାନୀପାଟଣା (ରାଜକୁମାର ସିଂଦେଓ): “ଘରକୁ ପର କଲି। ତାକୁ ବିଶ୍ୱାସ କଲି। ସେ ମୋତେ ଶାଢ଼ି, ଚୁଡ଼ି, ସିନ୍ଦୁର ସବୁ ଦେଇଥିଲା। ହେଲେ ଏବେ ଆଉ ଧରା ଦେଉନି। ଏବେ ମୁଁ କୋଉଠି ରହିବି।” ଏପରି କହି କୋହଭରା କଣ୍ଠରେ ନିଜ ଦୁଃଖ ଜଣାଇଛନ୍ତି ଜଣେ ନବମ ଶ୍ରେଣୀ ଛାତ୍ରୀ।
ତାଙ୍କୁ ଧୋକା ଦେଇଥିବା ବ୍ୟକ୍ତି ହେଉଛନ୍ତି ତାଙ୍କ ଶିକ୍ଷକ। ଶିକ୍ଷକ ଜଣଙ୍କ ତାଙ୍କୁ ପ୍ରେମ ଜାଲରେ ଫସାଇ ଧୋକା ଦେବା ସତ୍ତ୍ୱେ ତାଙ୍କୁ ମନରୁ ପାସୋରି ପାରୁନାହାନ୍ତି ଏହି କୋମଳମତି ଛାତ୍ରୀ ଜଣଙ୍କ। ଓଲଟି କହୁଛନ୍ତି, ଯାହାବି କରି ତାକୁ ଆଣି ଦିଅ। ଏଥିପାଇଁ ସେ କାକୁତି ମିନତି ବି ହେଉଛନ୍ତି।
ଘଟଣାଟି କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ଅଞ୍ଚଳରେ। ଏହି ଅଞ୍ଚଳର ଏକ ସ୍କୁଲରେ ସମ୍ପୃକ୍ତ ନାବାଳିକା ଜଣଙ୍କ ପଢ଼ନ୍ତି। ଉକ୍ତ ଶିକ୍ଷକ ବି ସେହି ସ୍କୁଲ୍ର। ପ୍ରାୟ ୨ ବର୍ଷ ହେବ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଶିକ୍ଷକ ଜଣଙ୍କ ବିଭିନ୍ନ ପ୍ରଲୋଭନ ଦେଖାଇ ଦୁଇ ବର୍ଷ ହେଲାଣି ଏହି ନାବାଳିକାଙ୍କୁ ବଳାତ୍କାର କରୁଥିଲା ବୋଲି ତାଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି।
ଗତ ୭ ତାରିଖରେ ଶିକ୍ଷକ ଜଣଙ୍କ ଏହି ନାବାଳିକାକୁ ଅପହରଣ କରି ନେଇଥିଲେ। ଏନେଇ ନାବାଳିକାଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଖୋଜାଖୋଜି ଆରମ୍ଭ କରିଥିଲା।
ନାବାଳିକାଙ୍କ କହିବା ଅନୁଯାୟୀ, ଶିକ୍ଷକ ଜଣଙ୍କ ତାଙ୍କୁ ଏକ ଗାଁରେ ଘର ଭଡ଼ା ନେଇ ୩ ଦିନ ରଖିଥିଲେ। ଏହା ପରେ ଆଉ ଗୋଟିଏ ଦିନ ଅନ୍ୟ ଏକ ସ୍ଥାନରେ ନେଇ ରଖିଥିଲେ। ଇତି ମଧ୍ୟରେ ଏକ ମନ୍ଦିରରେ ସେମାନେ ବିବାହ କରିଥିଲେ ବୋଲି ମଧ୍ୟ ସେ ପୁଲିସ୍ ଆଗରେ କହିଛନ୍ତି।
ଏହାପରେ ବାଇକ୍ ଯୋଗେ ଉଭୟ ଭୁବନେଶ୍ୱର ଯାଇଥିଲେ। ସେଠାରେ ବରମୁଣ୍ଡା ବସ୍ଷ୍ଟାଣ୍ଡକୁ ନେଇ ଟିକେଟ କରି ବସ୍ରେ ନାବାଳିକାକୁ ପଠାଇଦେଇଥିଲେ। ନିଜେ ପରେ ଆସିବେ ବୋଲି ଶିକ୍ଷକଜଣକ କହିଥିଲେ ମଧ୍ୟ ପରେ ତାଙ୍କ ଫୋନ୍ ସୁଇଚ ଅଫ୍ ହୋଇଗଲା।
ଏହାପରେ ନାବାଳିକାଜଣକ କଳାହାଣ୍ଡି ଫେରି ଶିକ୍ଷକ ତାଙ୍କୁ ରଖିଥିବା ଭଡ଼ା ଘରକୁ ଯାଇଥିଲେ। ଖବର ପାଇ ରାମପୁର ପୁଲିସ୍ ପହଞ୍ଚି ସେଠାରୁ ତାଙ୍କୁ ଉଦ୍ଧାର କରିଥିଲା। ଏହାପରେ ନାବାଳିକାଙ୍କ ଅଭିଯୋଗ ଅନୁଯାୟୀ, ପୁଲିସ୍ ଉକ୍ତ ଶିକ୍ଷକଙ୍କ ନାମରେ ଏକ ମାମଲା ରୁଜୁ କରିଛି। ଏଥିସହ ନାବାଳିକାଙ୍କ ଡାକ୍ତରୀ ମାଇନା କରି ଚାଇଲ୍ଡ ଲାଇନ୍କୁ ହସ୍ତାନ୍ତର କରିଛି।
ସମ୍ପୃକ୍ତ ଶିକ୍ଷକଜଣକ ପୂର୍ବରୁ ବିବାହିତ ଥିବା ବେଳେ ତାଙ୍କର ୨ଟି ଛୁଆ ଥିବା ଜଣାଯାଇଛି। ତାଙ୍କ ଘର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ରେ ।
ଏନେଇ କଳାହାଣ୍ଡି ଏସ୍ପି କହିଛନ୍ତି, ନାବାଳିକଙ୍କ ବାପା ଝିଅ ନିଖୋଜ ନେଇ ଅଭିଯୋଗ କରିଥିଲେ। ଏନେଇ ପୁଲିସ୍ ତଦନ୍ତ ଆରମ୍ଭ କରି ନାବାଳିକାକୁ ଉଦ୍ଧାର କରାଯାଇଛି। ସେ ଝିଅର ମେଡିକାଲ ଚେକଅପ୍ କରାଯାଇଛି। ଏବେ ଅଭିଯୁକ୍ତକୁ ଖୋଜା ଚାଲିଛି।
The post ଘରକୁ ପର କରି ତାକୁ ବିଶ୍ୱାସ କଲି, ହେଲେ ସେ ଆଉ ଧରା ଦେଉନି… appeared first on Odisha Reporter.
from Odisha Reporter https://ift.tt/2OSfCsx
No comments:
Post a Comment