ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଆଜି ସନ୍ଧ୍ୟା ୭ଟା ସମୟରେ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ଗ୍ରହଣ କରିବା ସହିତ ଅଭିଭାଷଣ ପ୍ରଦାନ କରିବେ। କେମ୍ବ୍ରିଜ ଏନର୍ଜି ରିସର୍ଚ୍ଚ ଆସୋସିଏଟ୍ସ ସପ୍ତାହ (CERA Week) ବିଷୟରେ ପିଏମ୍ ଅଭିଭାଷଣ ରଖିବେ। ଏନର୍ଜି ବା ଶକ୍ତି ଏବଂ ପରିବେଶରେ ସ୍ଥିରତା ପାଇଁ ପ୍ରତିବଦ୍ଧତା ପାଇଁ ପିଏମ ମୋଦିଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଉଛି। ପ୍ରଥମ ଥର ପାଇଁ ଏହି ସମ୍ମିଳନୀ ସମ୍ପୂର୍ଣ୍ଣ ଭର୍ଚୁଆଲ୍ ଜରିଆରେ ହେଉଛି।
CERA Week ୧୯୮୩ରେ ଡଃ ଡାନିଏଲ୍ ୟର୍ଗିନଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିଲା । ୧୯୮୩ରୁ ପ୍ରତିବର୍ଷ ମାର୍ଚ୍ଚରେ ଏହା ହଷ୍ଟନରେ ଆୟୋଜିତ ହୋଇଆସୁଛି ଏବଂ ଏହା ବିଶ୍ଵର ଏକ ସମ୍ମାନଜନକ ବାର୍ଷିକ ଶକ୍ତି ପ୍ଲାଟଫର୍ମ ଭାବରେ ଗଣା ଯାଉଛି । CERA ସପ୍ତାହ ୨୦୨୧କୁ ମାର୍ଚ୍ଚ ୦୧ ରୁ ୦୫ ମଧ୍ୟରେ ଭର୍ଚୁଆଲ ମାଧ୍ୟମରେ ଆୟୋଜନ କରାଯାଉଛି ।
ଏହି ଅବସରରେ ଆମେରିକାର ରାଷ୍ଟ୍ରପତି ଦୂତ ଜନ୍ କେରି, ବିଲ୍ ଏବଂ ମେଲିଣ୍ଡା ଗେଟ୍ସ ଫାଉଣ୍ଡେସନ୍ ସହ-ସଭାପତି ତଥା ପ୍ରତିଷ୍ଠାତା ବିଲ୍ ଗେଟ୍ସ ଏବଂ ସାଉଦି ଆରାମକୋ ସିଇଓ ଅମିନ ନାସିର ମଧ୍ୟ ଏହି ସମ୍ମିଳନୀରେ ଯୋଗଦେବେ। ଏହି କାର୍ଯ୍ୟକ୍ରମର ଆୟୋଜକ, ଆଇଏଚ୍ଏସ୍ ମାର୍କେଟ୍ ଉପାଧ୍ୟକ୍ଷ ତଥା ସମ୍ମିଳନୀର ଚେୟାରମ୍ୟାନ୍ ଡାନିଏଲ୍ ୟର୍ଗିନ୍ କହିଛନ୍ତି ଯେ ଦେଶର ତଥା ବିଶ୍ଵର ଶକ୍ତି ଆବଶ୍ୟକତାକୁ ପୂରଣ କରିବା ପାଇଁ ଭାରତ ନିରନ୍ତର ଭାବରେ ନେତୃତ୍ୱ ନେଉଛି। ଏହି ନିରନ୍ତର ଉଦ୍ୟମ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ।
CERA ସପ୍ତାହ ବୈଶ୍ଵିକ ଶକ୍ତି ଏବଂ ପରିବେଶ ନେତୃତ୍ୱ ପୁରସ୍କାର ୨୦୧୬ରେ ପ୍ରତିଷ୍ଠିତ ହୋଇଥିଲା । ଏହା ବିଶ୍ଵର ଶକ୍ତି ଏବଂ ପରିବେଶ କ୍ଷେତ୍ରରେ ନେତୃତ୍ୱର ପ୍ରତିବଦ୍ଧତାକୁ ସ୍ୱୀକୃତି ଦେଇଥାଏ ଏବଂ ଶକ୍ତି ଏବଂ ପରିବେଶ ପରିଚାଳନା ପାଇଁ ସମାଧାନ ତଥା ନୀତି ପ୍ରଦାନ କରିଥାଏ ।
ଡାନିଏଲ୍ କହିଛନ୍ତି, “ଅର୍ଥନୀତିକ ଅଭିବୃଦ୍ଧି, ଦାରିଦ୍ର୍ୟ ହ୍ରାସ ଏବଂ ଏକ ନୂଆ ଶକ୍ତି ଦିଗରେ ଭାରତ ବିଶ୍ୱ ଶକ୍ତି ଏବଂ ପରିବେଶର କେନ୍ଦ୍ର ଭାବରେ ଉଭା ହୋଇଛି। ଏହାର ନେତୃତ୍ୱ ସର୍ବଭାରତୀୟ ଶକ୍ତିକୁ ସୁନିଶ୍ଚିତ କରିବା ଏବଂ ସ୍ଥାୟୀ ଭବିଷ୍ୟତ ପାଇଁ ଜଳବାୟୁର ଲକ୍ଷ୍ୟ ପୂରଣ କରିବା ଗୁରୁତ୍ୱପୂର୍ଣ୍ଣ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅନେକ ବିଶ୍ୱସ୍ତରୀୟ ପୁରସ୍କାରରେ ସମ୍ମାନିତ କରାଯାଇଛି।
ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି ଆଜି ସ୍ଵିଡେନର ପ୍ରଧାନମନ୍ତ୍ରୀ ଷ୍ଟେଫାନ ଲୋଫଭେନଙ୍କ ସହ ଏକ ଡିଜିଟାଲ ମିଡିଆ ଜରିଆରେ ସମ୍ମିଳନୀ କରିବାକୁ ଯାଉଛନ୍ତି। ଦୁଇ ନେତା ଦ୍ୱିପାକ୍ଷିକ ସମ୍ପର୍କର ସମସ୍ତ ଦିଗ ବ୍ୟତୀତ ଆଞ୍ଚଳିକ ତଥା ବିଶ୍ୱସ୍ତରୀୟ ପ୍ରସଙ୍ଗରେ ଆଲୋଚନା କରିବେ। ପିଏମଓ ପକ୍ଷରୁ ପ୍ରକାଶିତ ବିବୃତ୍ତି ଅନୁଯାୟୀ ଦୁଇ ନେତା କରୋନା ମହାମାରୀ ପରେ ପାରସ୍ପରିକ ସହଯୋଗକୁ ମଜବୁତ କରିବା ସହ ଆଲୋଚନା କରିବେ। ୨୦୧୫ ପରେ ଦୁଇ ନେତାଙ୍କ ମଧ୍ୟରେ ଏହା ପଞ୍ଚମ ଥର ମୁହାଁମୁହିଁ ହେବେ। ସ୍ୱିଡେନରେ ପ୍ରାୟ ୭୫ ଟି ଭାରତୀୟ କମ୍ପାନୀ ମଧ୍ୟ କାର୍ଯ୍ୟ କରୁଛନ୍ତି।
The post ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିବ ବଡ଼ ସମ୍ମାନ appeared first on Odisha Reporter.
from Odisha Reporter https://ift.tt/3uW4Emj
No comments:
Post a Comment