ରାଉରକେଲା (ପବନ ତିୱାରୀ): ବିନା ଚାପରେ ନିଷ୍ପତ୍ତି ନେବା ଶିଖ। ଆଜି NIT ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇ ଛାତ୍ରଛାତ୍ରୀଙ୍କୁ ଏହି ପରାମର୍ଶ ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ।
ରାଷ୍ଟ୍ରପତି ତାଙ୍କର ଦୀକ୍ଷାନ୍ତ ଭାଷଣାରେ ଛାତ୍ରଛାତ୍ରୀଙ୍କୁ କହିଥିଲେ, ବିନା କୌଣସି ଚାପରେ ଆପଣଙ୍କୁ ନିଷ୍ପତ୍ତି ନେବାକୁ ହେବ। ପ୍ରଥମେ ଆପଣମାନେ ଜୀବନରେ କ’ଣ କରିବାକୁ ଚାହୁଁଛନ୍ତି, ତାହା ସ୍ଥିର କରନ୍ତୁ। ସେହି କାମକୁ ବାଛନ୍ତୁ, ଯାହା ଆପଣମାନଙ୍କୁ ଆତ୍ମସନ୍ତୋଷ ଦେବ ତଥା ଏକ ଅର୍ଥପୂର୍ଣ୍ଣ ଜୀବନ ବଞ୍ଚିବାରେ ସାହାଯ୍ୟ କରିବ। ସେହି କାମ କରନ୍ତୁ ଯାହା ଆପଣମାନଙ୍କୁ ଲକ୍ଷ୍ୟ ନିକଟରେ ପହଞ୍ଚାଇବ। ସେହି କାମ କରନ୍ତୁ ଯାହାକୁ ନେଇ ଆପଣଙ୍କ ପରିବାର ଗର୍ବ ଅନୁଭବ କରିବ।
ସେ କହିଥିଲେ ଯେ ଏନ୍ଆଇଟି ଛାଡ଼ି ଗଲା ବେଳେ ଆପଣମାନଙ୍କୁ ସମସ୍ତଙ୍କୁ ଗୋଟିଏ ଦାୟିତ୍ୱ ନେଇ ଯିବାକୁ ପଡ଼ିବ। ସେ ଦାୟିତ୍ୱ ହେଉଛି- ଏହି ଦେଶ, ଏହି ସମାଜ ପାଇଁ ଆପଣମାନଙ୍କୁ କିଛି କରିବାକୁ ପଡ଼ିବ। କାରଣ ଆପଣଙ୍କ ଶିକ୍ଷା ଓ ସଫଳତା ପଛରେ ବର୍ତ୍ତମାନ ପର୍ଯ୍ୟନ୍ତ ଏ ଦେଶ ଓ ସମାଜର ଯୋଗଦାନ ରହିଛି।
ଏହି ଅବସରରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଜାତିର ପିତା ମହାତ୍ମା ଗାନ୍ଧୀ ଏକ ପ୍ରସିଦ୍ଧ କଥାକୁ ଉଦ୍ଧୃତ କରି କହିଥିଲେ ଆପଣମାନେ ଯାହା ବି କରିବେ ତା’ପୂର୍ବରୁ ନିଜକୁ ପ୍ରଶ୍ନ କରିବେ ଯେ ଆପଣଙ୍କ ପଦକ୍ଷେପ ଦେଶର ଗରିବ ଓ ଦୁର୍ବଳ ଲୋକଟି ପାଇଁ କୌଣସି ପ୍ରକାରେ ଉପାଦେୟ ହେବ କି? ତାକୁ ସେଥିରୁ କିଛି ମିଳିବ କି? ତାହା ତା’ ଜୀବନରେ କିଛି ପରିବର୍ତ୍ତନ ଆଣିବ କି?
ଏହା ସହ ରାଷ୍ଟ୍ରପତି କହିଥିଲେ, ଡାକ୍ତରୀ ବିଜ୍ଞାନରେ ମହିଳାଙ୍କ ଭୂମିକା ଉଲ୍ଲେଖନୀୟ ରହିଛି। ବୈଷୟିକ ଶିକ୍ଷା କ୍ଷେତ୍ରରେ ମହିଳାଙ୍କୁ ଆହୁରି ମଜଭୁତ କରିବାକୁ ପଡ଼ିବ। ଭାରତକୁ ଜ୍ଞାନର କେନ୍ଦ୍ର କରିବା ନୂଆ ଶିକ୍ଷାନୀତିର ଉଦ୍ଦେଶ୍ୟ।
ରାଷ୍ଟ୍ରପତି ତାଙ୍କ ଭାଷଣ ପ୍ରାରମ୍ଭରେ କହିଥିଲେ ଯେ ଓଡ଼ିଶା ଉଭୟ ସାଂସ୍କୃତିକ ଓ ଐତିହାସିକ କ୍ଷେତ୍ରରେ ବେଶ୍ ସମୃଦ୍ଧ। କୋଣାର୍କର ସୂର୍ଯ୍ୟ ମନ୍ଦିର କଳା ଓ ବିଜ୍ଞାନର ଉତ୍କୃଷ୍ଟ ନିଦର୍ଶନ। ଦେଶ ସ୍ୱାଧୀନରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା।
୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ
ଏନ୍ଆଇଟି ରାଉରକେଲାର ୧୮ତମ ସମାବର୍ତ୍ତନ ଉତ୍ସବ ଅବସରରେ ୩ ଜଣଙ୍କୁ ସମ୍ମାନସୂଚକ ଡକ୍ଟରେଟ୍ ଉପାଧି ପ୍ରଦାନ କରାଯାଇଛି। ଶିଳ୍ପ କ୍ଷେତ୍ରରେ ଶିଳ୍ପପତି କୁମାର ମଙ୍ଗଲମ ବିର୍ଲାଙ୍କୁ ଏହି ସମ୍ମାନସୂଚକ ଡିଗ୍ରୀ ପ୍ରଦାନ କରାଯାଇଛି। ସେହିପରି ଭାରତୀୟ ପ୍ରଶାସନିକ କ୍ଷେତ୍ରରେ ପ୍ରମୋଦ ମିଶ୍ରଙ୍କୁ ଓ ସାହିତ୍ୟ କ୍ଷେତ୍ରରେ ଅବଦାନ ଲାଗି ବିଶିଷ୍ଟ ସାହିତ୍ୟିକ ସୀତାକାନ୍ତ ମହାପାତ୍ରଙ୍କୁ ଏହି ସମ୍ମାନସୂଚକ ଡିଗ୍ରୀ ପ୍ରଦାନ କରାଯାଇଛି।
ଏନ୍ଆଇଟିରେ ଆୟୋଜିତ ଏହି ଉତ୍ସବରେ ରାଷ୍ଟ୍ରପତିଙ୍କ ସହ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ସୁନ୍ଦରଗଡ଼ ସାଂସଦ ଜୁଏଲ ଓରାମ ପ୍ରମୁଖ ଉପସ୍ଥିତ ଥିଲେ।
The post ରାଉରକେଲା ଏନ୍ଆଇଟି ଛାତ୍ରଛାତ୍ରୀଙ୍କୁ କି ପରାମର୍ଶ ଦେଲେ ରାଷ୍ଟ୍ରପତି appeared first on Odisha Reporter.
from Odisha Reporter https://ift.tt/3cR8Pb0
No comments:
Post a Comment