ନୂଆଦିଲ୍ଲୀ: ପ୍ରତିଶ୍ରୁତି ସତ୍ତ୍ୱେ ଚାଇନା ତା’ ଆଭିମୁଖ୍ୟରେ କୌଣସି ପରିବର୍ତ୍ତନ ଆଣିନାହିଁ। ଭାରତୀୟ ସୀମା ନିକଟରେ ଚାଇନା ସେନା ନିଜର କାର୍ଯ୍ୟକଳାପ ଜାରି ରଖିଛନ୍ତି। ବର୍ତ୍ତମାନ ସାମ୍ନାକୁ ଆସିଥିବା ସ୍ୟାଟେଲାଇଟ୍ ଛବି ଚାଇନାର ସବୁ ଚାଲ୍ର ପର୍ଦ୍ଦାଫାସ କରିଛି। ସିକ୍କିମର ନାକୁ ଲା ବର୍ଡର ନିକଟରେ ଚାଇନାର ଯବାନମାନେ ସେମାନଙ୍କ ଗତିବିଧିକୁ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସୀମାନ୍ତ ଅଞ୍ଚଳରେ ଚାଇନା ରାସ୍ତା ଓ ଯବାନଙ୍କ ପାଇଁ ପୋଷ୍ଟ ନିର୍ମାଣ କରୁଥିବା ଖବର ସାମ୍ନାକୁ ଆସିଥିଲା।
ଲଦାଖରେ ଦୁଇ ଦେଶ ମଧ୍ୟରେ ବିବାଦ ପରେ ଚାଇନିଜ୍ ପିଏଲଏ ସିକ୍କିମ ସୀମାରେ ନିଜର ଗତିବିଧି ବଢ଼ାଇ ଦେଇଥିବା ସ୍ୟାଟେଲାଇଟ୍ରୁ ଜଣାପଡ଼ିଛି। ନିକଟରେ ଡୋକଲାମ ଓ ନାକୁ ଲାରେ ଦୁଇ ଦେଶର ସେନା ମୁହାଁମୁହିଁ ହେବାର ଖବର ମିଳିଥିଲା। ଡୋକଲାମ ହେଉଛି ଭାରତ-ଭୁଟାନ ଓ ଚାଇନାର ଜଙ୍କସନ।
୨୦୧୭ରେ ଡୋକଲାମ ବିବାଦ ଚରମ ସୀମାରେ ପହଞ୍ଚିଥିଲା। ଦୁଇ ଦେଶ ମଧ୍ୟରେ ପ୍ରାୟ ୮୦ ଦିନ କାଳ ମୁହାଁମୁହିଁ ସ୍ଥିତି ସୃଷ୍ଟି ହେବା ପରେ ଆଲୋଚନା ଦ୍ୱାରା ବିବାଦର ସମାଧାନ ହୋଇଥିଲା। ଚଳିତ ବର୍ଷ ଜାନୁଆରୀରେ ନାକୁ ଲା ସୀମାରେ ଦୁଇ ଦେଶର ଯବାନ କିଛି ସମୟ ପାଇଁ ମୁହାଁମୁହିଁ ମଧ୍ୟ ହୋଇଥିଲେ।
ଏବେ ସ୍ୟାଟେଲାଇଟ୍ ଛବିରୁ ଜଣାପଡ଼ିଛି ଯେ ନାକୁ ଲା ସୀମାର ବିପରୀତ ଦିଗରେ ଥିବା ପୋଷ୍ଟ ଗୁଡ଼ରେ ଚାଇନା ଯବାନଙ୍କ ସଂଖ୍ୟା ବୃଦ୍ଧି କରିବାରେ ଲାଗିଛି। ମାର୍ଚ୍ଚ ୧୨ରେ ସ୍ୟାଟେଲାଇଟ୍ ଜରିଆରେ ନାକୁ ଲାର ବିପରୀତ ଦିଗରେ କ’ଣ ଚାଲିଛି, ତା’ର ଫଟୋ ଉଠା ଯାଇଥିଲା।
ସୀମାରେ ଚାଇନା ମିଲିଟାରୀ ଭେଇକିଲ, ନୂଆ କ୍ୟାମ୍ପ ଓ ଯବାନଙ୍କ ପାଇଁ ଅତିରିକ୍ତ ଭିତ୍ତିଭୂମି ତିଆରି କରିଛି। ଭାରତୀୟ ସୀମା ଠାରୁ ମାତ୍ର ୪ କିମି ଦୂରରେ ଚାଇନା ତା’ର ଗତିବିଧି ବୃଦ୍ଧି କରିଥିବାରୁ ନୂଆ ବିବାଦର ସୂତ୍ରପାତ ହେବାର ଆଶଙ୍କା ପ୍ରକାଶ ପାଇଛି। ଭାରତ ଏହା ଉପରେ ନଜର ରଖିଛି ଓ ସବୁ ପ୍ରକାରର ମୁକାବିଲା କରିବାକୁ ପ୍ରସ୍ତୁତ ରହିଥିବା ଜଣାପଡ଼ିଛି।
ସେପ୍ଟେମ୍ବରରେ ପ୍ଲାନେଟ ଲ୍ୟାବ୍ସ ସ୍ୟାଟେଲାଇଟ ଉଠାଇଥିବା ଫଟୋରୁ ସ୍ପଷ୍ଟ ହୋଇଥିଲା ଯେ ଚାଇନା ସୀମାରେ ପିଏଲ ପାଇଁ ନୂଆ ନୀରିକ୍ଷଣ ପୋଷ୍ଟ ତିଆରି କରିଛି। ସେହି ସମୟରେ ବହୁତ କମ୍ ସଂଖ୍ୟକ ଯବାନ ସୀମାନ୍ତରେ ଉପସ୍ଥିତ ଥିଲେ। ହେଲେ ଏବେ ଯବାନଙ୍କ ସଂଖ୍ୟା ଠାରୁ ଆରମ୍ଭ କରି ମିଲିଟାରୀ ଗାଡ଼ି ଓ ନୂଆ କ୍ୟାମ୍ପ ନିର୍ମାଣ କରାଯାଇଛି। ନାକୁ ଲାର ଉତ୍ତର-ପୂର୍ବ ଭାଗରେ ମଧ୍ୟ ପିଏଲ ପୋଷ୍ଟ ନିର୍ମାଣ କରିଥିବା ଗତବର୍ଷ ଆମେରିକାର Hawkeye 360 ସୂଚନା ଦେଇଥିଲା।
ଅନ୍ୟପକ୍ଷରେ ଭାରତୀୟ ବାୟୁସେନା ସାମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗର ହାସିମରା ଏୟାରବେସ୍ରେ ରାଫେଲ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି। ଆସନ୍ତା କିଛି ସପ୍ତାହ ମଧ୍ୟରେ ଏଠାରେ ରାଫେଲ ପହଞ୍ଚି ଯିବ। ହାସିମରା ଡୋକଲାମ ଠାରୁ ୧୦୦ କିମି ଓ ସିକ୍କିମର ନାକୁ ଲା ଠାରୁ ୨୦୦ କିମି ଦୂର। ଏହି ଅଞ୍ଚଳରେ ଚାଇନାକୁ ଉଚିତ୍ ଜବାବ ଦେବା ପାଇଁ ଭାରତୀୟ ବାୟୁସେନା ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
The post ସ୍ୟାଟେଲାଇଟ ଧରାଇଲା ଚାଇନାର ନୂଆ ଭେଳିକି, ନାକୁ ଲାରେ ଜାରି ରହିଛି ବିଜେଂର ଗତିବିଧି appeared first on Odisha Reporter.
from Odisha Reporter https://ift.tt/3daoBh1
No comments:
Post a Comment