ନୂଆଦିଲ୍ଲୀ: କର୍ଣ୍ଣାଟକା ହାଇକୋର୍ଟର ମହିଳା ବିଚାରପତି ଜଷ୍ଟିସ ଭିଭି ନାଗରାଥନାଙ୍କ ପଦୋନ୍ନତିକୁ ନେଇ ସୁପ୍ରିମକୋର୍ଟର ୫ ଜଣିଆ କଲେଜିୟମରେ ମତଭେଦ ଦେଖିବାକୁ ମିଳିଛି। ପ୍ରଧାନ ବିଚାରପତି ଜଷ୍ଟିସ ଏସଏ ବୋବଡେ ଅଧ୍ୟକ୍ଷତାରେ ଗଠିତ କଲେଜିୟମର କିଛି ସଦସ୍ୟ ଜଷ୍ଟିସ ନାଗରାଥନାଙ୍କୁ ସୁପ୍ରିମକୋର୍ଟର ବିଚାରପତି ଭାବେ ପଦୋନ୍ନତି ଦେବାକୁ କହିଥିଲେ।
ହେଲେ ଏହାକୁ ଆଉ କିଛି ସଦସ୍ୟ ବିରୋଧ କରିଥିଲେ। ଅନେକ ହାଇକୋର୍ଟର ମୁଖ୍ୟ ବିଚାରପତିମାନେ ଜଷ୍ଟିସ ନାଗରାଥନାଙ୍କ ଠାରୁ ବରିଷ୍ଠ। ଏପରି ସ୍ଥଳେ ଅନ୍ୟମାନଙ୍କ ବରିଷ୍ଠତାକୁ ଅଣଦେଖା କରି ଜଷ୍ଟିସ ନାଗରାଥନାଙ୍କ ନାଁ ପଦୋନ୍ନତି ପାଇଁ କେମିତି ସୁପାରିସ କରାଯିବ ବୋଲି ବିରୋଧ କରୁଥିବା ସଦସ୍ୟମାନେ ପ୍ରଶ୍ନ କରୁଥିଲେ। ଶେଷରେ କଲେଜିୟମ ଏହା ଉପରେ କୌଣସି ନିଷ୍ପତ୍ତି ନେଇପାରି ନଥିବା ଜଣାପଡ଼ିଛି।
ସଜେଆଇ ଜଷ୍ଟିସ ବୋବଡେ ଓ ଆଉ ଜଣେ ବିଚାରପତି କଲେଜିୟମ ଆଗରେ ଜଷ୍ଟିସ ନାଗରାଥନାଙ୍କୁ ସୁପ୍ରିମକୋର୍ଟ ବିଚାରପତି ଭାବେ ନିଯୁକ୍ତି କରିବାକୁ ପ୍ରସ୍ତାବ ରଖିଥିଲେ। କଲେଜିୟମରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଜଷ୍ଟିସ ଏନଭି ରମନ୍ନା, ଜଷ୍ଟିସ ଆରଏଫ ନରିମନ, ଜଷ୍ଟିସ ୟୁୟୁ ଲଳିତ ଓ ଜଷ୍ଟିସ ଏମଏ ଖାନୱିଲକର।
ପ୍ରଥମ ମହିଳା ସିଜେଆଇ ହେବାର ସୁଯୋଗ
ଯଦି ଜଷ୍ଟିସ ଭିଭି ନାଗରାଥନା କଲେଜ ଯାଞ୍ଚରେ ପାସ୍ କରିଥାଆନ୍ତେ, ତା’ହେଲେ ସୁପ୍ରିମକୋର୍ଟର ବିଚାରପତି ଭାବେ ନିଯୁକ୍ତି ପାଇଥାଆନ୍ତେ। ସେହିପରି ସେ ଦେଶର ପ୍ରଥମ ମହିଳା ସିଜେଆଇ ହେବାର ମଧ୍ୟ ସୁଯୋଗ ରହିଥିଲା। ୨୦୨୭ ଫେବୃଆରୀରେ ଜଷ୍ଟିସ ସୂର୍ଯ୍ୟ କାନ୍ତ କୌଲ ସିଜେଆଇ ପଦରୁ ଅବସର ନେବା ପରେ ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ଭିଭି ନାଗରାଥନା ହିଁ ଦେଶର ସିଜେଆଇ ହୋଇଥାଆନ୍ତେ।
କିନ୍ତୁ କଲେଜିୟମର ସଦସ୍ୟମାନେ ତାଙ୍କୁ ପଦୋନ୍ନତି ଦେବା ସପକ୍ଷରେ ନଥିଲେ। କାରଣ କର୍ଣ୍ଣାଟକା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଅଭୟ ଏସ୍ ଓକା, ଜଷ୍ଟିସ ଏ ନାରାୟଣ ସ୍ୱାମୀ(ହିମାଚଳ ପ୍ରଦେଶର ମୁଖ୍ୟ ବିଚାରପତି ଓ ସେ ଏସ୍ସି ସଂପ୍ରଦାୟର) ଓ ଜଷ୍ଟିସ ରବି ଭି ମାଲିମଥ(ହିମାଚଳ ପ୍ରଦେଶର ବରିଷ୍ଠ ବିଚାରପତି ଏବଂ ଓବିସି ସଂପ୍ରଦାୟର) ବରିଷ୍ଠତା ଦୃଷ୍ଟିରୁ ଜଷ୍ଟିସ ନାଗରାଥନାଙ୍କ ଠାରୁ ଆଗରେ ରହିଛନ୍ତି। ଏପରି ସ୍ଥିତିରେ ନାଗରାଥନାଙ୍କୁ କେମିତି ପଦୋନ୍ନତି ଦିଆଯିବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।
ତେବେ ଜଷ୍ଟିସ ନାଗରାଥନାଙ୍କ ସହ ଜଷ୍ଟିସ ଓକାଙ୍କ ନାଁ ମଧ୍ୟ ପଦୋନ୍ନତି ପାଇଁ ପଠାଇବାକୁ କଲେଜିୟମର କିଛି ସଦସ୍ୟ କହିଥିଲେ। ହେଲେ ଏହାଦ୍ୱାରା ସୁପ୍ରିମକୋର୍ଟରେ ରହିଥିବା ଆଞ୍ଚଳିକ ସମାନତା ନିୟମ ଉଲ୍ଲଙ୍ଘନ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ଯଦି ଜଷ୍ଟିସ ନାଗରାଥନାକୁ ନିଯୁକ୍ତି ମିଳିବ, ତା’ହେଲେ ସୁପ୍ରିମକୋର୍ଟରେ କର୍ଣ୍ଣାଟକାର ବିଚାରପତିଙ୍କ ସଂଖ୍ୟା ୪ରେ ପହଞ୍ଚି ଯିବ। ସେହିପରି ଜଷ୍ଟିସ ଓକାଙ୍କ ନାଁ ଉପରେ ମୋହର ଲାଗିଲେ, ସୁପ୍ରିମକୋର୍ଟରେ ମହାରାଷ୍ଟ୍ରର ବିଚାରପତିଙ୍କ ସଂଖ୍ୟା ୫ରେ ପହଞ୍ଚି ଯିବ।
ଜଷ୍ଟିସ ହିମା କୋହଲିଙ୍କ କଥା ବି ଉଠିଥିଲା
ଜଷ୍ଟିସ ନାଗରାଥନାଙ୍କ ନାଁ ସୁପାରିସ କଲେ କଲେଜିୟମ ବିବାଦରେ ଫସିବାର ମଧ୍ୟ ଆଶଙ୍କା ରହିଛି। କାରଣ ତେଲେଙ୍ଗାନା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ହିମା କୋହଲି ବରିଷ୍ଠତା ଦୃଷ୍ଟିରୁ ତାଙ୍କ ଉପରେ ରହିଛନ୍ତି। ସେ ଦେଶର ସବୁ ମହିଳା ହାଇକୋର୍ଟ ବିଚାରପତିଙ୍କ ଠାରୁ ସିନିୟର।
ତେବେ ତାଙ୍କୁ ପଦୋନ୍ନତି ମିଳିଲେ ବି ଆଞ୍ଚଳିକ ସମାନତା ନିୟମ ଉଲ୍ଲଙ୍ଘନ ହେବ। ଜଷ୍ଟିସ କୋହଲିଙ୍କ ମୂଳ ହାଇକୋର୍ଟ ହେଉଛି ଦିଲ୍ଲୀ। ତାଙ୍କୁ ପଦୋନ୍ନତି ମିଳିଲେ ଦିଲ୍ଲୀ ହାଇକୋର୍ଟରୁ ସୁପ୍ରିମକୋର୍ଟକୁ ଯାଇଥିବା ବିଚାରପତିଙ୍କ ସଂଖ୍ୟା ୪ରେ ପହଞ୍ଚିଯିବ। ଏପରି ଭାବେ କଲେଜିୟମ ୨୨ଟି ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ।
ଏପ୍ରିଲ ୨୪ରେ ଅବସର ନେବେ ସିଜେଆଇ
ତଥାପି ଜଷ୍ଟିସ ନାଗରାଥନା ଓ ଜଷ୍ଟିସ ଓକାଙ୍କୁ ନେଇ ଅଧିକ ଆଲୋଚନା କରାଯାଇଛି। ସୁପ୍ରିମକୋର୍ଟର ମୋଟ ବିଚାରପତି ପଦ ସଂଖ୍ୟା ୩୪ ଥିବା ବେଳେ ଏବେ ୫ଟି ଖାଲି ପଡ଼ିଛି। ସିଜେଆଇ ଜଷ୍ଟିସ ଏସଏ ବୋବଡେ ଆସନ୍ତା ଏପ୍ରିଲ ୨୪ରେ ଅବସର ଗ୍ରହଣ କରିବେ। ଏହାପୂର୍ବରୁ ପୁଣିଥରେ ବିଚାରପତି ଚୟନ ପାଇଁ କଲେଜିୟମ ବୈଠକ ବସିବ କି ନାହିଁ, ସେକଥା ଜଣାପଡ଼ିନାହିଁ।
The post ମହିଳା ବିଚାରପତିଙ୍କ ଚୟନକୁ ନେଇ ସୁପ୍ରିମକୋର୍ଟ କଲେଜିୟମରେ ମତଭେଦ appeared first on Odisha Reporter.
from Odisha Reporter https://ift.tt/2P3DfhQ
No comments:
Post a Comment