ପାଲେଷ୍ଟାଇନ୍: ଇସ୍ରାଏଲରେ ସରକାର କିଏ ଗଢ଼ିବ, ତା’କୁ ନେଇ ସସପେନ୍ସ ଜାରି ରହିଛି। ବେଞ୍ଜାମିନ୍ ନେତାନ୍ୟାହୁ ପୁଣି ସରକାର ଗଠନ କରିବେ ନା ଆଉ କିଏ ବାଜିମାତ କରିବ, ତା’କୁ ପୂରା ବିଶ୍ୱ ଚାତକ ଭଳି ଚାହିଁ ରହିଛି। ମଙ୍ଗଳବାର ଇସ୍ରାଏଲରେ ନିର୍ବାଚନ ହୋଇଥିଲା।
ବୁଧବାର ଠାରୁ ଭୋଟ ଗଣତି ଜାରି ରହିଛି। ଗୁରୁବାର ସକାଳ ସୁଦ୍ଧା ୯୦% ଭୋଟର ଗଣତି ଶେଷ ହୋଇଥିଲେ ହେଁ କୌଣସି ରାଜନୀତିକ ଦଳକୁ ସଂଖ୍ୟା ଗରିଷ୍ଠତା ମିଳିନାହିଁ। ଏସବୁ ଭିତରେ ଆରବର ଗୋଟିଏ ଇସଲାମିକ ଦଳ କିଙ୍ଗ ମେକର ଭାବେ ଉଭା ହୋଇଛି।
ଏହା ଏକ ଇସଲାମିକ ଦଳ ହୋଇଥିଲେ ହେଁ ଏହାର ନାଁ ହେଉଛି ରାମ। ନେତାନ୍ୟାହୁଙ୍କ ଦଳ ଲିକୁଡ୍ ଓ ଏହାର ସହଯୋଗୀମାନେ ଏଯାଏ ୫୯ଟି ସିଟ୍ ପାଇଥିବା ଜଣାପଡ଼ିଛି। ଇସ୍ରାଏଲ୍ ସଂସଦରେ ମୋଟ ୧୨୦ଟି ଆସନ ରହିଛି। ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହେଉଛି ୬୧। ଏଭଳି ସ୍ଥିତିରେ ସଂଖ୍ୟାଗରିଷ୍ଠତା ପାଇଁ ବେଞ୍ଜାମିନ୍ ନେତାନ୍ୟାହୁଙ୍କୁ ଆଉ ୨ଟି ଆସନ ଜିତିବାକୁ ପଡ଼ିବ। ହେଲେ ଘୋର ଦକ୍ଷିଣପନ୍ଥୀ ଚିନ୍ତା ଧାରାରେ ବିଶ୍ୱାସ କରୁଥିବା ନେତାନ୍ୟାହୁଙ୍କ ପାର୍ଟିର ପ୍ରାର୍ଥୀମାନେ ବଳକା ଆସନରେ ପଛରେ ରହିଛନ୍ତି। ତେଣୁ ନେତାନ୍ୟାହୁ ଇସଲାମିକ ‘ରାମ’ ପାର୍ଟି ସହ ମେଣ୍ଟ କରି ସରକାର ଗଠନ କରିବାକୁ ଆଗକୁ ଆସୁଛନ୍ତି କି ନାହିଁ, ତା’କୁ ସମସ୍ତେ ଅପେକ୍ଷା କରିଛନ୍ତି।
ବର୍ତ୍ତମାନ ସୁଦ୍ଧା ଶେଷ ହୋଇଥିବା ଭୋଟ ଗଣତିରୁ ଗୋଟିଏ କଥା ଜଣାପଡ଼ିଛି ଯେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ମେଣ୍ଟ ଓ ବିରୋଧୀ ଦଳଗୁଡ଼ିକ ମଧ୍ୟରେ ପାର୍ଥକ୍ୟ ବହୁତ କମ୍ ରହିଛି। ବିରୋଧୀ ଦଳଗୁଡ଼ିକ କରିଥିବା ମେଣ୍ଟ ମୋଟ ୫୬ଟି ଆସନ ପାଇବ ବୋଲି କୁହାଯାଉଛି। ଏଭଳି ସ୍ଥିତିରେ ରାମ ପାର୍ଟି, ଯାହାକୁ ସମର୍ଥନ କରିବ, ସେ ହିଁ ସରକାର ସରକାର ଗଠନ କରିବ। ନିର୍ବାଚନରେ ରାମ ପାର୍ଟି ଅତି କମ୍ରେ ୫ଟି ସିଟ୍ ପାଇବ ବୋଲି ଆକଳନ କରାଯାଇଛି। ଯଦି ରାମ ପାର୍ଟି ନେତାନ୍ୟାହୁଙ୍କୁ ସମର୍ଥନ କରିବ, ତା’ହେଲେ ସେ ପୁଣି ଇସ୍ରାଏଲର ପ୍ରଧାନମନ୍ତ୍ରୀ ହେବେ।
ନେତାନ୍ୟାହୁ ତାଙ୍କର କଟର ଜାତୀୟତାବାଦୀ ଆଦର୍ଶ ପାଇଁ ବେଶ ଜଣାଶୁଣା। ସେ ପାଲେଷ୍ଟାଇନବାସୀଙ୍କୁ ଅଧିକ ସୁବିଧା ଦେବା ବିରୋଧରେ ଅଛନ୍ତି। କିନ୍ତୁ ରାମ ପାର୍ଟିର ଆଦର୍ଶ ଠିକ୍ ତାଙ୍କ ବିପରୀତ। ଏପରି ସ୍ଥିତିରେ ରାମ ପାର୍ଟି ନେତାନ୍ୟାହୁଙ୍କ ପାର୍ଟିକୁ ସମର୍ଥନ କରୁଛି କରିବ କି ନାହିଁ, ତାହା ଜଣାପଡ଼ିନି।
ଏବେ ସୁଦ୍ଧା ଦଳ କାହାକୁ ସମର୍ଥନ ଘୋଷଣା କରିନାହିଁ। କିନ୍ତୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଳ ଚୂଡ଼ାନ୍ତ ନିଷ୍ପତ୍ତି ନେବ ବୋଲି କହିଛି। ଦଳ ନେତାନ୍ୟାହୁଙ୍କୁ ପରାସ୍ତ କରିବା ଲକ୍ଷ୍ୟ ନେଇ ନିର୍ବାଚନ ଲଢ଼ିଥିଲା।
The post ଇସ୍ରାଏଲରେ କିଙ୍ଗ ମେକ୍ର ହେବ ଇସଲାମିକ ପାର୍ଟି, ନାଁ ହେଉଛି ରାମ appeared first on Odisha Reporter.
from Odisha Reporter https://ift.tt/3cld7Ix
No comments:
Post a Comment