ନୂଆଦିଲ୍ଲୀ: କ୍ରିକେଟ୍ ମଇଦାନରେ ରେକର୍ଡ ପରେ ରେକର୍ଡ କରିଚାଲିଥିବା ଟିମ୍ ଇଣ୍ଡିଆ କ୍ୟାପଟେନ୍ ବିରାଟ୍ କୋହଲି ସୋଶାଲ ମିଡିଆ ପ୍ଲାଟଫର୍ମରେ ଏକ ବଡ଼ ଉପଲବ୍ଧି ଅର୍ଜନ କରିଛନ୍ତି। ଇନଷ୍ଟାଗ୍ରାମରେ କୋହଲିଙ୍କର ଫଲୋଅର୍ସ ସଂଖ୍ୟା ଏବେ ୧୦୦ ମିଲିୟନ୍ ଅର୍ଥାତ୍ ୧୦ କୋଟିରେ ପହଞ୍ଚିଯାଇଛି। ଏହି ମ୍ୟାଜିକ୍ ଫିଗର୍ରେ ପହଞ୍ଚିବାରେ କୋହଲି ଦୁନିଆର ପ୍ରଥମ କ୍ରିକେଟର୍ ହୋଇଛନ୍ତି।
ପର୍ତ୍ତୁଗାଲର ଷ୍ଟାର୍ ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଏହି ତାଲିକାରେ ନମ୍ବର-୧ରେ ରହିଛନ୍ତି। ଇନଷ୍ଟାଗ୍ରାମରେ ରୋନାଲ୍ଡୋଙ୍କ ଫଲୋଅର୍ସ ସଂଖ୍ୟା ୨୬୫ ମିଲିୟନ୍ ରହିଛି। ତାଙ୍କ ପଛକୁ ଜଣାଶୁଣା ହଲିଉଡ୍ ସିଙ୍ଗର୍ ଆରିଆନା ଗ୍ରାଣ୍ଡେଙ୍କର ୨୨୪ ମିଲିୟନ୍ ଓ ଅବସରପ୍ରାପ୍ତ WWE ସୁପର୍ ଷ୍ଟାର୍ ଡ୍ୱେନ୍ ଜନସନ୍ ୨୨୦ ମିଲିୟନ୍ ଫଲୋଅର୍ସ ସହ ତୃତୀୟରେ ରହିଛନ୍ତି।
କ୍ରୀଡ଼ାବିତଙ୍କ ମଧ୍ୟରେ ଆର୍ଜେଣ୍ଟିନା ଫୁଟବଲ୍ ଟିମ୍ କ୍ୟାପଟେନ୍ ଓ ବାର୍ସିଲୋନା ଷ୍ଟାର୍ ଲିଓନେଲ୍ ମେସିଙ୍କର ୧୮୬ ମିଲିୟନ୍ ଏବଂ ବ୍ରାଜିଲ୍ ଷ୍ଟାର ନେମାରଙ୍କର ୧୪୭ ମିଲିୟନ ଫଲୋଅର୍ସ ରହିଛି। କୋହଲିଙ୍କର ଏହି ବିଶେଷ ଉପଲବ୍ଧି ପାଇଁ ତାଙ୍କୁ ଆଇସିସି ମଧ୍ୟ ଅଭିନନ୍ଦନ ଜଣାଇଛି। ଭାରତୀୟଙ୍କ ମଧ୍ୟରେ କୋହଲି ଏହି ତାଲିକାରେ ବଲିଉଡ୍ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ପ୍ରିୟଙ୍କାର ଇନଷ୍ଟାଗ୍ରାମ ଫଲୋଅର୍ସ ସଂଖ୍ୟା ୬୦ ମିଲିୟନ୍ ଏବଂ ଶ୍ରଦ୍ଧା କପୁରଙ୍କର ୫୮ ମିଲିୟନ୍ ରହିଛି।
ବର୍ତ୍ତମାନ କୋହଲି ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟ ପାଇଁ ଅହମ୍ମଦାବାଦରେ ପ୍ରସ୍ତୁତି କରୁଛନ୍ତି। ଚତୁର୍ଥ ଟେଷ୍ଟ ଆସନ୍ତା ୪ ତାରିଖରୁ ଆରମ୍ଭ ହେବ। ତୃତୀୟ ଟେଷ୍ଟ ଜିତି କୋହଲି ଘରୋଇ ମାଟିରେ ଭାରତର ସବୁଠାରୁ ସଫଳ କ୍ୟାପଟେନ୍ ହେବାର ଗୌରବ ଅର୍ଜନ କରିଥିଲେ। ବର୍ତ୍ତମାନ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜରେ ଟିମ୍ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଅନ୍ତିମ ଟେଷ୍ଟ ଜିତି ଭାରତ ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ସ୍ଥାନ ହାସଲ କରିବାକୁ ଲକ୍ଷ୍ୟ ରଖିଛି।
The post ପ୍ରଥମ ଭାରତୀୟ ଭାବେ ବଡ଼ କୀର୍ତ୍ତିମାନ କଲେ କୋହଲି appeared first on Odisha Reporter.
from Odisha Reporter https://ift.tt/3013doB
No comments:
Post a Comment