ଗୌହାଟୀ: ଆସାମରେ ପୁଣି କ୍ଷମତା ଦଖଲ ପାଇଁ ଶାସକ ବିଜେପି ଜୋରଦାର ପ୍ରୟାସ ଜାରି ରଖିଛି। ଆଉ କିଛି ଦିନ ପରେ ଏଠାରେ ଭୋଟ୍ ହେବାକୁ ଥିବା ବେଳେ ତା’ପୂର୍ବରୁ ଦଳ ଦେଇଛି ବଡ଼ ବୟାନ। ଆସାମରେ ଦଳର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ ନୁହେଁ ବରଂ ବଦ୍ରୁଦ୍ଦିନ ଅଜମଲଙ୍କ ଅଲ ଇଣ୍ଡିଆ ୟୁନାଇଟେଡ ଡେମୋକ୍ରାଟିକ ଫ୍ରଣ୍ଟ(ଏଆଇୟୁଡିଏଫ) ବୋଲି ବିଜେପି କହିଛି।
ଦଳର ହେଭିୱେଟ ନେତା ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଏହି ନିର୍ବାଚନରେ ବିଜେପି ଓ କଂଗ୍ରେସ-ଏଆଇୟୁଡିଏଫ ମଧ୍ୟରେ ଲଢ଼େଇ ହେବ। ଆଞ୍ଚଳିକ ଦଳଗୁଡ଼ିକ ରାଜ୍ୟବାସୀଙ୍କ ପାଖରେ ଯେଉଁମାତ୍ରେ ପହଞ୍ଚିବା କଥା ସେପରି କରିପାରି ନାହାନ୍ତି। ଆସାମ ଯେଉଁଭଳି ସ୍ଥାନ ସେଠାରେ ଅଜମଲ ସବୁବେଳେ ଗୋଟିଏ ବଡ଼ ଫ୍ୟାକ୍ଟର ହୋଇରହିବେ। ସେ ଆସାମର ସଂସ୍କୃତି ଓ ସଭ୍ୟତା ପ୍ରତି ବିପଦ ବୋଲି ଶ୍ରୀ ବିଶ୍ୱଶର୍ମା କହିଛନ୍ତି।
ସେହିପରି ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ଆସାମ ଇନଚାର୍ଜ ବୈଜୟନ୍ତ ପଣ୍ଡା କହିଛନ୍ତି, “ବର୍ତ୍ତମାନ କଂଗ୍ରେସ ଆସାମରେ ଏଆଇୟୁଡିଏଫ ସହ ମେଣ୍ଟ କରିଛି ଓ ପରିଚୟର ରାଜନୀତି କଥା କହୁଛି। ମୁଁ ଭାବୁଛି, କଂଗ୍ରେସ ନିଜକୁ ବଞ୍ଚାଇବା ଓ ବଞ୍ଚିବା କଥା ଚିନ୍ତା କରୁଛି। ସେମାନେ ଆସାମ ବାଞ୍ଚାଅ ପରିବର୍ତ୍ତେ କଂଗ୍ରେସ ବଞ୍ଚାଅ ଉପରେ ବେଶୀ ଫୋକସ କରିବା ଦରକାର।
ଦିବଂଗତ ତରୁଣ ଗୋଗୋଇ ଏଆଇୟୁଡିଏଫ ଓ ଅଜମଲ ସଂପ୍ରଦାୟିକ ରାଜନୀତି କରୁଥିବାରୁ ସେମାନଙ୍କ ସହ ସବୁ ସମ୍ପର୍କ ତୁଟାଇଥିଲେ। ବିଜେପି ସବୁବେଳେ ଭାରତୀୟତା ପାଇଁ ଛିଡ଼ା ହୋଇଛି। ଆମେ ଠିକ୍ ପକ୍ଷରେ ରହିଛୁ।”
ଆସାମରେ ମାର୍ଚ୍ଚ ୨୭ରୁ ୩ଟି ପର୍ଯ୍ୟାୟରେ ଭୋଟିଂ ହେବ। ଏଥର ବିଜେପି ନାଗରିକତା ସଂଶୋଧନ ଆଇନକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ କଂଗ୍ରେସ-ଏଆୟୁଇଡିଏଫ ମେଣ୍ଟ ବିରୋଧରେ ଲଢ଼େଇ କରୁଛି। ନିର୍ବାଚନ ବହୁ ଦିନ ପୂର୍ବରୁ ବିଜେପି ଏଆଇୟୁଡିଏଫକୁ ଟାର୍ଗେଟ କରି ଆସୁଛି।
ଗତ ମାସରେ ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ ଏଆଇୟୁଡିଏଫକୁ ମୋଗଲଙ୍କ ସହ ତୁଳନା କରିଥିଲେ। ସେ କହିଥିଲେ, କଂଗ୍ରେସ ଏବେ ବଦ୍ରୁଦ୍ଦିନ ଅଜମଲଙ୍କ କାଠପୁତୁଳି ଭାବେ କାର୍ଯ୍ୟ କରୁଛି। ଅଜମଲ ହେଉଛନ୍ତି ମୋଗଲଙ୍କର ଜଣେ ପ୍ରତିନିଧି। ଆମକୁ ସେମାନଙ୍କୁ ବିତାଡ଼ିତ କରିବାକୁ ହେବ। ନୂଆ ଆସାମ ଗଠନ ପାଇଁ ଆଗକୁ ଆସିବାକୁ ପଡ଼ିବ।
The post କଂଗ୍ରେସ ନୁହେଁ ଏହି ଦଳ ଆସାମରେ ବିଜେପିର ମୁଖ୍ୟ ପ୍ରତିଦ୍ୱନ୍ଦ୍ୱୀ appeared first on Odisha Reporter.
from Odisha Reporter https://ift.tt/3cmQsu5
No comments:
Post a Comment