ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରାକ୍ରାନ୍ତ ମନକୁ ହାଲକା କରିବାକୁ, ସୁନ୍ଦର, ଶାନ୍ତ ପରିବେଶରେ କିଛି କ୍ଷଣ ଅତିବାହିତ କରିବାକୁ ପାର୍କ ହେଉଛି ସମସ୍ତଙ୍କ ପ୍ରଥମ ପସନ୍ଦ। ହେଲେ ରାଜଧାନୀ ଛାତି ଉପରେ ଥିବା ଫରେଷ୍ଟ ପାର୍କରେ ଦେଖିବାକୁ ମିଳୁଛି ଭିନ୍ନ ଚିତ୍ର। ମୋବାଇଲ୍ ନିଶାରେ ରହୁଥିବା ଯୁବ ବର୍ଗ ଏଠାରେ କିନ୍ତୁ ଘଣ୍ଟା ଘଣ୍ଟା ଧରି ନିଜ ନିଜର ମନ ପସନ୍ଦର ବହି ପଢ଼ିବାରେ ବ୍ୟସ୍ତ ।
ସାଧାରଣ ଲୋକଙ୍କ ପାଇଁ ଏଠାରେ ଖୋଲାଯାଇଛି ଟ୍ରି ଲାଇବ୍ରେରୀ । ଠା କୁ ଠା ଛୋଟ ଛୋଟ ବାକ୍ସ । ଭିତରେ ରହିଛି ଭଳିକି ଭଳି ବହି। ସକାଳେ ଓ ସଂଧ୍ୟାରେ ଲୋକେ ଏଠାକୁ ବୁଲିବା ପାଇଁ ଆସିବା ବେଳେ ମନ ପସନ୍ଦର ବହି ଦେଖି ପଢ଼ିବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଫରେଷ୍ଟ ପାର୍କରେ ଖୋଲିଥିବା ଏହି ସ୍ୱତନ୍ତ୍ର ଲାଇବ୍ରେରୀ ବେଶ୍ ଆଦୃତି ଲାଭ କରିଥିବା ବେଳେ ଆଗାମୀ ଦିନରେ ରାଜଧାନୀ ଅନ୍ୟ ପାର୍କରେ ବି ଦେଖିବାକୁ ମିଳିବ ଏପରି ଚିତ୍ର।
ମୋବାଇଲ୍ ନିଶାରେ ପଡ଼ିଥିବା ଯୁବ ବର୍ଗଙ୍କ ସମୟର ସଦୁପଯୋଗ କରିବାକୁ ତଥା ବହି ପ୍ରତି ସେମାନଙ୍କୁ ଆକୃଷ୍ଟ କରିବା ପାଇଁ ବିଡିଏ ଏବଂ ବକୁଳ ଫାଉଣ୍ଡେସନର ମିଳିତ ସହଯୋଗରେ କରାଯାଇଛି ଏପରି ନିଆରା ପ୍ରୟାସ । ଏଥିନିମନ୍ତେ ଫରେଷ୍ଟ ପାର୍କରେ ଟ୍ରି ଲାଇବ୍ରେରି ଖୋଲି ଥିବା ବେଳେ ସୁନ୍ଦର ଶାନ୍ତ ପରିବେଶ ଭିତରେ ନିଜ ନିଜର ମନ ପସନ୍ଦର ବହି ପଢ଼ିବାରେ ବ୍ୟସ୍ତ ଯୁବ ବର୍ଗ । ଏଠାରେ ମାଗଣାରେ ଭଳିକି ଭଳି ପୁସ୍ତକ ପଢ଼ିବାର ସୁଯୋଗ ପାଉଛନ୍ତି ଲୋକେ ।
ଏହା ଏକ ବହୁତ ଭଲ ଚିନ୍ତାଧାରା। ଚାରିଆଡ଼େ ଗଛଲତା ଥିବା ବେଳେ ସୁନ୍ଦର ମନୋରମ ପରିବେଶରେ ଚାଲିଛି ପାଠପଢ଼ା। ଏହାଦ୍ୱାରା ବହୁ ଲୋକଙ୍କ ପାଠପଢ଼ା ପ୍ରତି ଆଗ୍ରହ ବଢ଼ିବ ବୋଲି କହିଛନ୍ତି କେଶବ ଶତପଥି ନାମକ ଛାତ୍ର।
ଲୋକଙ୍କ ମଧ୍ୟରେ ପାଠପଢ଼ା ପ୍ରତି ଆଗ୍ରହ ସୃଷ୍ଟି କରିବାକୁ ଏପରି ପଦକ୍ଷେପ ନିଆଯାଇଛି। ଆର୍ଥିକ ଅନଗ୍ରସର ପିଲାଙ୍କୁ ପାଠପଢ଼ା ସୁବିଧା ଯୋଗାଇ ଦେବାକୁ ପ୍ରୟାସ କରାଯାଉଛି ବୋଲି ବିଡିଏ ଉପାଧ୍ୟକ୍ଷ ପ୍ରେମଚନ୍ଦ୍ର ଚୌଧରୀ କହିଛନ୍ତି।
The post ପାର୍କରେ ଟ୍ରି ଲାଇବ୍ରେରୀ; ବୁଲିବା ସହ ପାଠପଢ଼ାର ମଜା appeared first on Odisha Reporter.
from Odisha Reporter https://ift.tt/3reAt6Y
No comments:
Post a Comment