କୋରାପୁଟ(ସୂର୍ଯ୍ୟ ନାରାୟଣ ପଣ୍ଡା): ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିବାକୁ ଯାଇଥିବା ମହିଳା । ଅପରେସନ ବେଳେ ପେଟରେ ଭାଙ୍ଗିଗଲା ଛୁଞ୍ଚି। ଫଳରେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳା ଏ ମେଡିକାଲରୁ ସେ ମେଡିକାଲ ହୋଇ ୪ଟି ମେଡିକାଲ ବୁଲିଥିଲେ। ଶେଷରେ କୋରାପୁଟରୁ ଆସି କଟକରେ ପହଞ୍ଚିଲେ। କଟକରେ ଅସ୍ତ୍ରୋପଚାର କରାଯାଇ ତାଙ୍କ ପେଟରୁ ଛୁଞ୍ଚି ବାହାର କରି ଦିଆଯାଇଥିବା ବେଳେ ଏବେ ବି ମହିଳାଜଣକ ଘରେ ପଡ଼ି ରହିଛନ୍ତି। ଏପରି ଘଟଣା ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲ୍ଲାରେ ହୋଇଥିବା ବେଳେ ମହିଳାଜଣକ ହେଉଛନ୍ତି ନନ୍ଦପୁର ବ୍ଲକ ପରଠା ଗାଁର ସାବିତ୍ରୀ ମାଝୀ।
କୋରାପୁଟ ଜିଲ୍ଲା ନନ୍ଦପୁର ବ୍ଲକ ପରଠା ଗାଁର ସାବିତ୍ରୀ ମାଝୀ । ଚାରି ଚାରିଟା ହସ୍ପିଟାଲ ବୁଲିବାକୁ ପଡ଼ିଲା । କାରଣ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ତାଙ୍କ ଗର୍ଭରେ ଛୁଞ୍ଚି ରହିଯାଇଥିଲା । ଏଥିପାଇଁ ଜୟପୁରରେ ଥିବା କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସେଠାରୁ କୋରାପୁଟ ମେଡିକାଲ କଲେଜ, ସେଠାରୁ ବ୍ରହ୍ମପୁର MKCG ହସ୍ପିଟାଲ ଓ କଟକ ବଡ଼ ମେଡିକାଲ ଯିବାକୁ ପଡ଼ିଲା । ଶେଷରେ କଟକରେ ଅପରେସନ ସଫଳ ହୋଇଛି ଏବଂ ସାବିତ୍ରୀଙ୍କ ଗର୍ଭରୁ ଛୁଞ୍ଚିଟି ବାହାର କରାଯାଇଛି ।
ଗତ ୧୬ ତାରିଖରେ ଜୟପୁରରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସାବିତ୍ରୀଙ୍କ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଯାଇଥିଲା । ଏହି ସମୟରେ ଛୁଞ୍ଚି ଭାଙ୍ଗି ଯାଇ ତାଙ୍କ ଗର୍ଭରେ ରହି ଯାଇଥିଲା । ଯେଉଁ ଡାକ୍ତର ଅପରେସନ କରିଥିଲେ, ସେ ଛୁଞ୍ଚି ବାହାର କରିବାକୁ ମନା କରି କୋରାପୁଟ ଯିବାକୁ କହିଥିଲେ। ଏହାପରେ ସେ କୋରାପୁଟ ମେଡିକାଲ କଲେଜ ମେଡିକାଲ କଲେଜ ଯାଇଥିବା ବେଳେ ସେଠାରୁ ବ୍ରହ୍ମପୁର MKCG ହସ୍ପିଟାଲକୁ ରେଫର କରାଯାଇଥିଲା। ମାତ୍ର ସେଠାରେ ମଧ୍ୟ ଏହି ଅପରେସନ ସମ୍ଭବ ନୁହେଁ କହି କଟକ ପଠାଇ ଦେଇଥିଲେ। ଏହାପରେ କଟକରେ ଅପରେସନ କରି ଛୁଞ୍ଚି ବାହାର କରାଯାଇଥିବା କହିଛନ୍ତି ସାବିତ୍ରୀଙ୍କ ପରିବାର ଲୋକ।
ଏନେଇ କୋରାପୁଟ ସିଡିଏମ୍ଓ କହିଛନ୍ତି, ଲାପ୍ରୋସ୍କୋପି ପଦ୍ଧତିରେ ଅପରେସନ କରାଯାଇଥିଲା। ହେଲେ ଷ୍ଟିଚିଂ ସମୟରେ ଛୁଞ୍ଚିଟି ଭାଙ୍ଗି ଯାଇଥିଲା। ଏହାପରେ ତାଙ୍କୁ କୋରାପୁଟ ପଠାଯାଇଥିଲା। ସେଠାରୁ ବ୍ରହ୍ମପୁର ଓ କଟକ ପଠାଯାଇଥିଲା। ଏବେ ମହିଳାଜଣକ ସୁସ୍ଥ ଅଛନ୍ତି।
ଏନେଇ ମହିଳାଜଣକ କହିଛନ୍ତି, ଅପରେସନ ପରଠୁ ପେଟରେ ଛୁଞ୍ଚି ରହିଯିବାରୁ ବହୁ କଷ୍ଟ ସହିଛି। ଏବେ ଛୁଞ୍ଚି ବାହାର କରାଯାଇଥିଲେ ମଧ୍ୟ ଉଠି ବସି ପାରୁନି।
The post ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ଯାଇଥିଲେ ମହିଳା, ଭୋଗିଲେ ଯମ ଯନ୍ତ୍ରଣା appeared first on Odisha Reporter.
from Odisha Reporter https://ift.tt/39cc5fV
No comments:
Post a Comment