କୋଲକାତା: ବିଧାନସଭା ନିର୍ବାଚନ ପୂର୍ବରୁ ପୁଣିଥରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ଧରଣର ଝଟକା ଲାଗିବାକୁ ଯାଉଛି। ଟିଏମସି ଛାଡ଼ି ବିଜେପିରେ ମିଶିଥିବା ବରିଷ୍ଠ ରାଜନେତା ଶୁଭେନ୍ଦୁ ଅଧିକାରୀଙ୍କ ବାପା ତଥା ଟିଏମସି ସାଂସଦ ଶିଶିର ଅଧିକାରୀ ୨୪ ମାର୍ଚ୍ଚରେ କଣ୍ଠିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରିବାକୁ ଥିବା ରାଲିରେ ଉପସ୍ଥିତ ରହିବେ। ଏପରି କି ସେ ବିଜେପିରେ ମିଶିବେ ବୋଲି ମଧ୍ୟ ଜଣାପଡ଼ିଛି।
ନନ୍ଦିଗ୍ରାମରୁ ମମତାଙ୍କ ବିରୋଧରେ ବିଜେପି ଟିକେଟରୁ ଲଢ଼େଇ କରୁଥିବା ଶୁଭେନ୍ଦୁ ଅଧିକାରୀ ଗୋଟିଏ ସାଧାରଣ ସଭାରେ କହିଛନ୍ତି, “୨୪ ତାରିଖ ପୂର୍ବରୁ ଅର୍ଥାତ ମାର୍ଚ୍ଚ ୨୧ରେ ମୁଁ ମୋ ବାପାଙ୍କୁ ଅମିତ ଶାହଙ୍କ ରାଲିକୁ ମଧ୍ୟ ପଠାଇବି।”
ଯଦି ଏହା ସତ ପ୍ରମାଣିତ ହେବ, ତା’ହେଲେ ମମତାଙ୍କୁ ବଡ଼ ଝଟକା ଲାଗିବ। କାରଣ ଟିଏମସି ଆରମ୍ଭରୁ ହିଁ ଶିଶିର ଅଧିକାରୀ ଦଳ ସହ ରହିଥିଲେ। ସେ ମମତାଙ୍କ ଅତ୍ୟନ୍ତ ଘନିଷ୍ଠ ମଧ୍ୟ। ଏବେ ସେ ଟିଏମସିର ଜଣେ ସାଂସଦ। ହେଲେ ଶୁଭେନ୍ଦୁ ଅଧିକାରୀ ଦଳ ଛାଡ଼ି ବିଜେପିରେ ମିଶିବା ପରେ ଟିଏମସିରେ ସେ ଅଣଦେଖା ହୋଇଯାଇଛନ୍ତି।
ବୁଧବାର କଣ୍ଠିରେ ଶିଶିର ଅଧିକାରୀ ଟିଏମସିକୁ ତେର୍ଚ୍ଛାବାଣ ମଧ୍ୟ ମାରିଥିଲେ। ସେ କହିଥିଲେ, “କିଏ କହୁଛି ମୁଁ ତୃଣମୂଳ କଂଗ୍ରେସରେ ଅଛି? କ’ଣ ତୃଣମୂଳ ଏପରି କହୁଛି କି? ଶୁଭେନ୍ଦୁ ଟିଏମସି ଛାଡ଼ିବା ଦିନଠାରୁ ସେମାନେ ମୋ ପରିବାର ଓ ପୂର୍ବପୁରୁଷଙ୍କୁ ନାନା ପ୍ରକାରର କଥା କହୁଛନ୍ତି।
କୋଲକାତାରୁ ଆସିଥିବା ଜଣେ ଜେଣ୍ଟିଲମ୍ୟାନ ଶୁଭେନ୍ଦୁକୁ ମୀର ଜାଫର ଓ ଦେଶଦ୍ରୋହୀ ବୋଲି କହିଛନ୍ତି। ଏପରି ସ୍ଥିତିରେ ମୁଁ ତୃଣମୂଳରେ ଅଛି କି ନାହିଁ, ସେକଥା ମୁଁ ନିଜେ ବି ଜାଣିନାହିଁ।”
କ’ଣ ସେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲିକୁ ଯିବେ କି ପ୍ରଶ୍ନର ଉତ୍ତରରେ କହିଛନ୍ତି, “ଯଦି ମୋତେ ସୁଯୋଗ ମିଳିବ, ତା’ହେଲେ ମୁଁ ନିଶ୍ଚିତ ରାଲିକୁ ଯିବି। ଏଥିରେ କୌଣସି ସମସ୍ୟା ଅଛି ବୋଲି ମୁଁ ଭାବୁନାହିଁ। ମୁଁ କରୋନା ଟିକାର ଦୁଇଟି ଯାକ ଡୋଜ୍ ନେଇ ସାରିଛି। ତେଣୁ ମୁଁ ବାହାରକୁ ବାହାରିବା ପାଇଁ ପ୍ରସ୍ତୁତ। ଯଦି ଶୁଭେନ୍ଦୁ କହିବ, ତା’ହେଲେ ମୁଁ ତା’ ପାଇଁ ପ୍ରଚାର ମଧ୍ୟ କରିବି।”
କୁହାଯାଉଛି ଯେ ଶୁଭେନ୍ଦୁଙ୍କ ପରି ତାଙ୍କ ବାପା ଶିଶିର ବିଜେପିରେ ମିଶିବେ। କିନ୍ତୁ ତାଙ୍କର ଆଉ ଜଣେ ପୁଅ ତଥା ଶୁଭେନ୍ଦୁଙ୍କ ଭାଇ ଦିବ୍ୟେନ୍ଦୁ ଏବେ ବି ଟିଏମସିରେ ଅଛନ୍ତି। ସେ ଟିଏମସିର ସାଂସଦ। ସେ ବିଜେପିରେ ମିଶିନାହାନ୍ତି।
The post ପୁଣି ଜଣେ ଭେଟରାନ ନେତାଙ୍କୁ ହରାଇବେ ମମତା appeared first on Odisha Reporter.
from Odisha Reporter https://ift.tt/3bX8rsd
No comments:
Post a Comment