ରାୟପୁର: ଦମଦାର ବ୍ୟାଟିଂ ପରେ ଶାଣିତ ବୋଲିଂ ବଳରେ ରୋଡ୍ ସେଫ୍ଟୀ ୱାର୍ଲ୍ଡ ସିରିଜର ପ୍ରଥମ ସେମିଫାଇନାଲରେ ବ୍ରାଏନ ଲାରାଙ୍କ ୱେଷ୍ଟଇଣ୍ଡିଜ ଲିଜେଣ୍ଡସ୍କୁ ହରାଇ ଫାଇନାଲରେ ପ୍ରବେଶ କରିଛି ସଚିନ ତେନ୍ଦୁଲକର ଭାରତୀୟ ଲିଜେଣ୍ଡ୍ସ। ବୁଧବାର ରାତିରେ ଅନୁଷ୍ଠିତ ରୋମାଞ୍ଚକର ସେମି ଫାଇନାଲ୍ରେ ଭାରତୀୟ ଲିଜେଣ୍ଡସ ୧୨ରେ ମ୍ୟାଚ୍ ଜିତି ଫାଇନାଲ୍ରେ ପ୍ରବେଶ କରିଛି।
ପ୍ରଥମେ ବ୍ୟାଟିଂ କରି ଭାରତୀୟ ଲିଜେଣ୍ଡସ ନିର୍ଦ୍ଧାରିତ ୨୦ ଓଭର୍ରେ ୩ ୱିକେଟ ହରାଇ ବିଶାଳ ୨୧୮ ରନ୍ କରିଥିଲା। ଏହାର ଜବାବରେ ଇଣ୍ଡିଜ ଲିଜେଣ୍ଡସ ଦମଦାର ବ୍ୟାଟିଂ କରିଥିଲା। ଏକଦା ଭାରତ ହାତରୁ ମ୍ୟାଚ୍ ଖସି ଯିବାକୁ ବସିଥିଲା। ହେଲେ ବିନୟ କୁମାର ଓ ଇରଫାନ ପଠାନଙ୍କ ଆକର୍ଷଣୀୟ ବୋଲିଂ ବଳରେ ୱେଷ୍ଟଇଣ୍ଡିଜ ଲିଜେଣ୍ଡସ ୬ ୱିକେଟ ହରାଇ ୨୦୨ ରନ୍ କରିବାକୁ ସକ୍ଷମ ହୋଇଥିଲା।
୨୧୯ ରନ୍ର ଟାର୍ଗେଟ ପିଛା କରୁଥିବା ଇଣ୍ଡିଜ୍ ଟିମ୍ ଭଲ ଆରମ୍ଭ କରିଥିଲା। ଏପରି କି ପ୍ରଥମ ଓଭର୍ରେ ଦଳ ଇରଫାନ ପଠାନଙ୍କ ଠାରୁ ୧୯ ରନ୍ ଆଦାୟ କରିଥିଲା। ତେବେ ଦ୍ୱିତୀୟ ଓଭର୍ରେ ମନପ୍ରୀତ ଗୋନି ୫ ବଲରେ ୯ ରନ୍ କରିଥିବା ୱିଲିୟମ୍ସ ପେରକିନ୍ସଙ୍କୁ ଆଉଟ କରି ଦଳକୁ ପ୍ରଥମ ଝଟକା ଦେଇଥିଲେ।
ଦ୍ୱିତୀୟ ୱିକେଟ ପାଇଁ ଡ୍ୱେନ୍ ସ୍ମିଥ୍ ଓ ନରସିଂହ ଡେଓନାରିନ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଉଭୟ ୯୯ ରନ୍ର ଭାଗିଦାରୀ କରି ଭାରତ ହାତକୁ ମ୍ୟାଚ୍ ନେଇଯିବାକୁ ବସିଥିଲେ। ହେଲେ ଦଳୀୟ ସ୍କୋର ୧୧୮ ଥିବା ବେଳେ ୩୬ ବଲ୍ରୁ ୬୩ ରନ୍ କରିଥିବା ସ୍ମିଥଙ୍କୁ ପଠାନ ଆଉଟ କରିଦେଇଥିଲେ।
ଏହାର ପରବର୍ତ୍ତୀ ଓଭର୍ରେ ଓଡ଼ିଆ ସ୍ପିନର ପ୍ରଜ୍ଞାନ ଓଝା ଖାତା ଖୋଲିବା ପୂର୍ବରୁ କ୍ରିକ୍ ଏଡୱାର୍ଡସଙ୍କୁ ପ୍ୟାଭିଲିୟନ ପଠାଇ ଦେଇଥିଲେ। ତେବେ ଗୋଟିଏ ପଟେ କ୍ରିଜ୍ରେ ଜମି ସାରିଥିବା ଡେଓନାରିନଙ୍କ ସହ ଅଧିନାୟକ ବ୍ରାଏନ ଲାରା ଭାରତୀୟ ଲିଜେଣ୍ଡସର ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ।
Match Day: India Legends Vs West Indies Legends #INDLvsWIL#UnacademyRoadSafetyWorldSeries pic.twitter.com/W5h2DCqyzW
— Road Safety World Series (@RSWorldSeries) March 17, 2021
ଉଭୟ ୪ର୍ଥ ୱିକେଟ ପାଇଁ ୬୦ ରନ୍ ଯୋଡ଼ିଥିଲେ। ଡେଓନାରିନ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଦଳକୁ ଜିତିବା ପାଇଁ ୧୮ ରନ୍ ଦରକାର ଥିବା ବେଳେ ୧୯ତମ ଓଭର୍ରେ ବିନିୟ କୁମାର ୨୮ ବଲ୍ରେ ୪୬ ରନ୍ କରିଥିବା ଲାରାଙ୍କୁ କ୍ଲିନ ବୋଲ୍ଡ କରିଦେଇଥିଲେ। ଏହି ଓଭର୍ରେ ସେ ଟିନୋ ବଷ୍ଟ(୨)ଙ୍କ ୱିକେଟ ମଧ୍ୟ ନେଇଥିଲେ।
ଶେଷ ଓଭର୍କୁ ଇଣ୍ଡିଜ୍ ଦଳକୁ ଜିତିବା ପାଇଁ ୧୭ ରନ୍ର ଆବଶ୍ୟକ ଥିଲା। କ୍ରିଜରେ ଡେଓନାରିନ ଥିବାରୁ ୱେଷ୍ଟଇଣ୍ଡିଜର ପଲ୍ଲା ଭାରି ଥିଲା। ହେଲେ ଇରଫାରନ ପଠାନ ଏପରି କରିବାକୁ ଦେଇ ନଥିଲେ। ସେ ଚମତ୍କାର ବୋଲିଂ କରି ଡେଓନାରିନଙ୍କୁ ବଡ଼ ଶଟ୍ ଖେଳିବାର ସୁଯୋଗ ଦେଇ ନଥିଲେ। ଫଳରେ ଶେଷ ଓଭର୍ର ୩ୟ ବଲ୍ରେ ଦୁଇ ରନ୍ ହାସଲ କରିବା ଲକ୍ଷ୍ୟରେ ସେ ରନ୍ ଆଉଟ ହୋଇଯାଇଥିଲେ।
ଆଉଟ ହେବା ପୂର୍ବରୁ ସେ ୪୪ ବଲ୍ରେ ୫୯ ରନ୍ର ଇନିଂସ ଖେଳିଥିଲେ। ଏହି ଇନିଂସ୍ରେ ସେ ୫ଟି ଚୌକା ଓ ୨ଟି ଛକା ମାରିଛନ୍ତି। ଡେଓନାରିନ ଆଉଟ୍ ହେବା ପରେ ପଠାନ୍ ଆଉ ଇଣ୍ଡିଜ୍କୁ କମବ୍ୟାକ୍ କରିବାର ସୁଯୋଗ ଦେଇ ନଥିଲେ। ଏଥିସହ ଦଳକୁ ୧୨ ରନ୍ର ରୋମାଞ୍ଚକର ବିଜୟ ଭେଟିଦେଇଥିଲେ।
ଏହା ପୂର୍ବରୁ ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ଲିଜେଣ୍ଡସ ପକ୍ଷରୁ ଅଧିନାୟକ ସଚିନ୍ ତେନ୍ଦୁଲକର ସର୍ବାଧିକ ୬୫ (୪୨ ବଲ୍) ରନର ଇନିଂସ୍ ଖେଳିଥିଲେ। ଏହି ଇନିଂସରେ ସେ ୬ଟି ଚୌକା ଓ ୩ ଛକା ମାରିଛନ୍ତି। ସଚିନ୍ ନିଜର ଓପନିଂ ପାର୍ଟନର୍ ବୀରେନ୍ଦ୍ର ସେହ୍ୱାଗଙ୍କ ସହ ମିଶି ପ୍ରଥମ ୱିକେଟ୍ ପାଇଁ ୫୬ ରନ୍ ଯୋଡ଼ିଥିଲେ।
ସେହ୍ୱାଗ ୧୭ ବଲରେ ୫ ଚୌକା ଓ ୧ ଛକା ସହ ୩୫ ରନ୍ କରିଛନ୍ତି। ମହମ୍ମଦ କୈଫ୍ ମଧ୍ୟ ୨୦ ବଲରେ ଦ୍ରୁତ ୨୭ (୨ ଚୌକା, ୨ ଛକା) ରନର ଯୋଗଦାନ କରିଥିଲେ। ତେବେ ସ୍ଲଗ୍ ଓଭରରେ ଯୁବରାଜ ସିଂହଙ୍କ ଭରପୂର ସାଥ୍ ଦେଇଥିଲେ ୟୁସୁଫ୍ ପଠାନ୍। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ୩୫ ବଲରେ ୭୮ ରନର ପାର୍ଟନରଶିପ୍ କରି ଭାରତର ସ୍କୋରକୁ ୨୧୮ ରନରେ ପହଞ୍ଚାଇଥିଲେ।
ଯୁବରାଜ ମାତ୍ର ୨୦ ବଲରେ ୪୯ ରନ୍ କରିଛନ୍ତି, ଯେଉଁଥିରେ ଗୋଟିଏ ଚୌକା ଓ ୬ଟି ଛକା ସାମିଲ୍ ଅଛି। ସେହିପରି ୟୁସୁଫ୍ ୨୦ ବଲର ସାମ୍ନା କରି ୨ ଚୌକା ଓ ୩ ଛକା ସହ ୩୭ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ଲିଜେଣ୍ଡସ୍ ପକ୍ଷରୁ ଟିନୋ ବେଷ୍ଟ ୨୫ ରନ୍ ଦେଇ ୨ଟି ୱିକେଟ୍ ନେଇଥିଲେ।
The post ଲାରାଙ୍କୁ ମାତ୍ ଦେଇ ଫାଇନାଲରେ ସଚିନଙ୍କ ଭାରତୀୟ ଲିଜେଣ୍ଡସ appeared first on Odisha Reporter.
from Odisha Reporter https://ift.tt/3tBLalD
No comments:
Post a Comment