କାବୁଲ: ରେକର୍ଡ ବୁକରେ ନିଜକୁ ସାମିଲ କରିଛନ୍ତି ଆଫଗାନିସ୍ତାନର ଅଧିନାୟକ ଅସଗର ଆଫଗାନ। ଆଫଗାନିସ୍ତାନରେ ଶୁକ୍ରବାର ଖେଳା ଯାଇଥିବା ଜିମ୍ବାୱେ ବିପକ୍ଷ ଦ୍ୱିତୀୟ ଟି-୨୦କୁ ୪୫ ରନ୍ରେ ଜିତିବା ପରେ ଅସଗର ଆଫଗାନ କିମ୍ବଦନ୍ତୀ କ୍ରିକେଟର ମହେନ୍ଦ୍ର ସିଂହ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇଛି। କିନ୍ତୁ ବିଜୟ ପ୍ରତିଶତରେ ଧୋନିଙ୍କ ଠାରୁ ଯଥେଷ୍ଟ ଆଗରେ ରହିଛନ୍ତି ଅସଗର।
କ୍ରିକେଟର ଟି-୨୦ ଫର୍ମାଟରେ ଉଭୟ ଧୋନି ଓ ଅସଗର ଅଧିନାୟକ ଭାବେ ୪୧ଟି ମ୍ୟାଚ୍ ଜିତିବାର ରେକର୍ଡ କରିଛନ୍ତି। ଭାରତୀୟ ଅଧିନାୟକ ଭାବେ ଧୋନି ୭୨ ଟି-୨୦ ମ୍ୟାଚ୍ରୁ ୪୧ଟିରେ ଜିତିଛନ୍ତି। ତାଙ୍କ ବିଜୟ ପ୍ରତିଶତ ୫୯.୨୮ ରହିଛି। ଅନ୍ୟପକ୍ଷରେ ଅସଗର ଆଫଗାନ ୫୧ଟି ମ୍ୟାଚ୍ରେ ଆଫଗାନିସ୍ତାନର ନେତୃତ୍ୱ ନେଇ ୪୧ଟିରେ ବାଜିମାତ କରିଛନ୍ତି। ତାଙ୍କ ବିଜୟ ପ୍ରତିଶତ ୮୧.୩୭ ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ପାଇଁ ୨୦୦୭ରେ ଟି-୨୦ ବିଶ୍ୱକପ ଜିତିଥିଲା।
ଶୁକ୍ରବାର ମ୍ୟାଚ୍କୁ ବିଚାରକୁ ନେଲେ, ଆଫଗାନିସ୍ତାନ ଜିମ୍ବାୱେ ବିପକ୍ଷ ୩ଟିକିଆ ଟି-୨୦ ସିରିଜ୍କୁ ୨-୦ରେ ଜିତି ନେଇଛି। ଏହି ମ୍ୟାଚ୍ରେ ଦୁଇ ଆଇପିଏଲ ଷ୍ଟାର ମହମ୍ମଦ ନବି ଓ ରଶିଦ ଖାନ୍ ଦମଦାର ପ୍ରଦର୍ଶନ କରିଛନ୍ତି। ପ୍ରଥମେ ବ୍ୟାଟିଂ କରି ଆଫଗାନିସ୍ତାନ ୨୦ ଓଭରରେ ୧୯୩ ରନ୍ କରିଥିଲା। ଏହାପରେ ଦଳ ବୋଲିଂରେ କମାଲ ଦେଖାଇ ଜିମ୍ବାୱେକୁ ୧୭.୧ ଓଭର୍ରେ ୧୪୮ ରନ୍ରେ ଅଲଆଉଟ କରିଦେଇଥିଲା।
The post ଧୋନିଙ୍କ ସମକକ୍ଷ ହେଲେ ଏହି ଆଫଗାନ ଖେଳାଳି appeared first on Odisha Reporter.
from Odisha Reporter https://ift.tt/3cU6IDh
No comments:
Post a Comment