ବାରିପଦା(ମାଣିକଲାଲ ପାଣି): ଗତ ୧୦ ଦିନ ହେଲା ଜଳୁଛି ଓଡ଼ିଶାର ଫୁସ୍ଫୁସ୍ ଭାବେ ପରିଚିତ ଶିମିଳିପାଳ ଅଭୟାରଣ୍ୟ। ଆଉ ଜଳି ଯାଉଛି ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା। ହେଲେ ଦୀର୍ଘ ଦିନ ପର୍ଯ୍ୟନ୍ତ ନିଆଁକୁ ଲିଭାଇବାକୁ କୌଣସି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ବେଳେ ଟ୍ୱିଟ କରି କ୍ଷୋଭ ଓ ଅସନ୍ତୋଷ ପ୍ରକାଶ କରିଥିଲେ ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଏମ୍.ଭଞ୍ଜଦେଓ। ଏହାପରେ ଆକ୍ସନ ମୁଡକୁ ଚାଲି ଆସିଛନ୍ତି ଦୀର୍ଘ ଦିନ ଧରି ଚୁପ୍ ରହିଥିବା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର। ତେବେ ନିଆଁଲିଭା ଆକ୍ସନ ନୁହେଁ, ଅନୁଧ୍ୟାନ ରିପୋର୍ଟ ଉପରେ ଗୁରୁତ୍ୱ ଦେଉଛନ୍ତି ସରକାର। ପରେ ଦମକଳ ପଠେଇବେ କି ହେଲିକପ୍ଟର ସ୍ଥିର ହେବ, ହେଇ ବି ନପାରେ!
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗତକାଲି ଟ୍ୱିଟ୍ କରି ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଥିଲେ। ଏହାପରେ ନିଆଁକୁ ଆୟତ୍ତ କରିବା ନେଇ ତୁରନ୍ତ ପଦକ୍ଷେପ ନେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ପ୍ରକାଶ ଜାଭଡେକର ନିର୍ଦ୍ଦେଶ ଦେଇଛନ୍ତି। ଘଟଣା ସମ୍ପର୍କରେ ତାଙ୍କୁ ଅତିଶ୍ରୀଘ୍ର ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ଜାଭଡେକର।
ଏନେଇ ବିଭାଗୀୟ ମନ୍ତ୍ରୀ ବିକ୍ରମ ଆରୁଖ କହିଛନ୍ତି, ଘଟଣାର ଅନୁଧ୍ୟାନ ପାଇଁ ପିସିସିଏଫ୍ ଓ୍ୱାଇଲ୍ଡ ଲାଇଫ୍ ସମେତ ଏକ ଟିମ୍ ଶିମିଳିପାଳକୁ ଯାଇଛନ୍ତି। କିପରି ଓ କାହିଁକି ନିଆଁ ଲାଗିଲା ସେନେଇ ଅନୁଧ୍ୟାନ କରି ପଦକ୍ଷେପ ନେବେ ପିସିସିଏଫ୍। ଏଥିସହ ଏ ନେଇ ଆସନ୍ତା କାଲି ପିସିସିଏଫ୍ ରିପୋର୍ଟ ଦେବେ ବୋଲି କହିଛନ୍ତି ମନ୍ତ୍ରୀ ଆରୁଖ।
କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଶିମିଳିପାଳରେ ନିଆଁ ଲାଗିବାକୁ ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଏହା ଏସିଆ ମହାଦେଶ ପାଇଁ ଭଲ ସଂକେତ ନୁହେଁ ବୋଲି ସେ ଟ୍ୱିଟ କରିବା ସହ ଜାତୀୟ ଓ ଅନ୍ତର୍ଜାତୀୟ ଗଣମାଧ୍ୟମର ଦୃଷ୍ଟି ଆକର୍ଷଣ କରିଛନ୍ତି। ସପ୍ତାହେ ଧରି ନିଆଁ ଲାଗିଥିଲେ ବି ଜାତୀୟ ଗଣମାଧ୍ୟମ ଏନେଇ ଖବର ପ୍ରସାରଣ ନ କରିବା ଦୁଃଖଦାୟକ ବୋଲି ସେ ଟ୍ୱିଟରେ ଉଲ୍ଲେଖ କରିଛନ୍ତି। ଏହାସହ ସେ କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ୍ଷେପ ନେବାକୁ ନିବେଦନ କରିଛନ୍ତି।
ସୂଚନାଯୋଗ୍ୟ, ଏହାପୂର୍ବରୁ ଗତକାଲି ଶିମିଳିପାଳରେ ନିଆଁ ବ୍ୟାପିବାକୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟ୍ୱିଟ କରି ଉଦ୍ବେଗ ପ୍ରକାଶ କରିଥିଲେ। ନିଆଁ ଲିଭା ଉପରେ ତୁରନ୍ତ ଦୃଷ୍ଟି ଦେବାକୁ କେନ୍ଦ୍ର ପରିବେଶ ଓ ଜଙ୍ଗଲ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ ଜରିଆରେ ଧର୍ମେନ୍ଦ୍ର ପ୍ରଧାନ ନିବେଦନ କରିଥିଲେ। ଶିମିଳିପାଳ ଦେଶର ଏକ ପ୍ରମୁଖ ଜୈବମଣ୍ଡଳ ହୋଇଥିବାରୁ ତାର ସୁରକ୍ଷା ପାଇଁ ମଧ୍ୟ ସେ ଅନୁରୋଧ କରିଥିଲେ।
ଶିମିଳିପାଳ ଅଭୟାରଣ୍ୟରେ ଲାଗିଥିବା ନିଆଁକୁ ନେଇ ଉଦ୍ବେଗ ପ୍ରକାଶ କରିବା ସହ ଜାତୀୟ ସ୍ତରର ଗଣମାଧ୍ୟମ ଏଥିପ୍ରତି ଦୃଷ୍ଟି ଦିଅନ୍ତୁ ବୋଲି ମୟୂରଭଞ୍ଜ ରାଜକୁମାରୀ ଅକ୍ଷିତା ଏମ୍.ଭଞ୍ଜଦେଓ ପ୍ରଥମେ ଟ୍ୱିଟ କରିଥିଲେ। ମୟୂରଭଞ୍ଜ ଓଡ଼ିଶାର ବହୁତ ବଡ଼ ଜିଲ୍ଲା। ଶିମିଳିପାଳ ଦେଶର ସବୁଠୁ ବଡ଼ ଅଭୟାରଣ୍ୟ ମଧ୍ୟରୁ ଅନ୍ୟତମ। ଗତ ୧୦ ଦିନ ହେଲା ଏହି ନିଆଁ ଲାଗିଥିବା ବେଳେ ଏହାକୁ ଲିଭାଇବା ନିମନ୍ତେ ତତ୍ପରତା ପ୍ରକାଶ ପାଉ ନାହିଁ।
ସୂଚନାଯୋଗ୍ୟ, ଶିମିଳିପାଳ ଅଭୟାରଣରେ ରହିଛି ୨୧ଟି ରେଞ୍ଜ। ସେଥିରୁ ୮ ରେଞ୍ଜରେ ଏବେ ନିଆଁ ଜଳୁଛି। ସେଗୁଡ଼ିକ ହେଲା- ଚନ୍ଦନ ଚତୁରୀ, ଦିଗ୍ବିଗା, ଦୁକୁରା, ପୋଡ଼ାଡିହା, ଠାକୁରମୁଣ୍ଡା, ବରେହିପାଣି ଓ ଅସ୍ତକୁଆଁର। ଗତ ୧୦ ଦିନ ହେଲା ଏହି ସବୁ ରେଞ୍ଜରେ ନିଆଁ ଜଳୁଛି। ଯାହାଫଳରେ ବହୁ ମୂଲ୍ୟବାନ ଔଷଧୀୟ ଗୁଳ୍ମଲତା ପୋଡ଼ି ପାଉଁଶ ହୋଇ ଯାଇଥିବା ବେଳେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି। ଏନେଇ ଅଭିଯୋଗ ହେବା ପରେ ବନ ବିଭାଗ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛି। ହେଲେ ନିଆଁ ଗୋଟିଏ ସ୍ଥାନରେ ଲିଭିଗଲେ ଆଉ କେଉଁଠି ଜଳୁଛି। ଗରମ ଦିନରେ ଶୁଖିଲା ପତ୍ରରେ ଲାଗିଥିବା ନିଆଁ ଲିଭାଇବା ବନ ବିଭାଗ ପାଇଁ କାଠିକର ପାଠ ହେଉଛି।
ଅଭିଯୋଗ ଅନୁସାରେ ବର୍ତ୍ତମାନ ମହୁଲ ଓ ଶାଳ ଫୁଲ ଅମଳ ସମୟ। ତେଣୁ ଲୋକମାନେ ଶୁଖିଲା ପତ୍ରରେ ନିଆଁ ଲଗାଇ ଦେଉଛନ୍ତି। ଶୁଖିଲା ପତ୍ର ପୋଡ଼ିଗଲେ ମହୁଲ ଓ ଶାଳ ଫୁଲ ଗୋଟାଇବା ସହଜ ହେବ। ତେବେ ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ ଶିକାର ଉଦ୍ଦେଶ୍ୟରେ କୌଣସି ଖଳ ପ୍ରକୃତିର ଲୋକ ଜଙ୍ଗଲରେ ନିଆଁ ଲଗାଇ ପାରନ୍ତି।
The post ୧୦ ଦିନ ହେଲା ଜଳୁଛି ଶିମିଳିପାଳ, ନିଆଁ ଲିଭେଇବାକୁ ଉଦ୍ୟମ ନାହିଁ! appeared first on Odisha Reporter.
from Odisha Reporter https://ift.tt/3rfNgqk
No comments:
Post a Comment