ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ସିଲ୍ ହେଲା ଭୁବନେଶ୍ୱରର ମୈତ୍ରୀ ବିହାର ସ୍ଥିତ ଆଲେନ୍ ଇନ୍ଷ୍ଟିଚ୍ୟୁଟ୍। ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଏହି ଇନ୍ଷ୍ଟିଚ୍ୟୁଟ୍କୁ ସିଲ୍ କରିଛି। ଏଠାରୁ ୨୦ରୁ ଅଧିକ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ବିଏମ୍ସି ଏହାକୁ ସିଲ୍ କରିଥିବା ଜଣାପଡ଼ିଛି।
ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଆଲେନ୍ ଇନ୍ଷ୍ଟିଚ୍ୟୁଟ୍କୁ ସିଲ୍ କରାଯାଇଥିବା ବେଳେ କିଛି କଟକଣା ମଧ୍ୟ ଜାରି କରିଛି ବିଏମ୍ସି। ଏହି କୋଚିଂ ସେଣ୍ଟର ଏବଂ ଏହାର ହଷ୍ଟେଲ/ମେସ୍ ଭିତରକୁ କେହି ଯାଇପାରିବେ ନାହିଁ। ସେହିପରି ଏହା ଭିତରୁ କେହି ବାହାରି ପାରିବେ ନାହିଁ। କେବଳ ବିଏମ୍ସିର ସ୍ୱୀକୃତିପ୍ରାପ୍ତ କର୍ମଚାରୀ ଏହା ଭିତରକୁ ଯା’ଆସ କରିପାରିବେ।
ଆଲେନ୍ ଇନ୍ଷ୍ଟିଚ୍ୟୁଟ୍ର ହଷ୍ଟେଲ୍/ମେସ୍ରେ ଥିବା ବିଦ୍ୟାର୍ଥୀମାନେ ତା’ଭିତରେ ହିଁ ରହିବେ। ଔଷଧ ସହିତ ଯଦି ଅନ୍ୟ କୌଣସି ଜିନିଷ ସେମାନଙ୍କର ଆବଶ୍ୟକ ହେବ, ତା’ହେଲେ ଇନ୍ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ତାହା ଯୋଗାଇ ଦେବେ।
ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି, ସେମାନଙ୍କୁ ହଷ୍ଟେଲ୍/ମେସ୍ର ଗୋଟିଏ ରୁମ୍ରେ ଆଇସୋଲେସନ୍ କରି ରଖାଯିବ। ସେମାନଙ୍କ ଉପରେ ଇନ୍ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ କଡ଼ା ନଜର ରଖିବେ। କୋଭିଡ୍ ନିୟମ ମାନି ଇନ୍ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷ ସେମାନଙ୍କ ପାଇଁ ଖାଦ୍ୟପେୟର ବ୍ୟବସ୍ଥା କରିବେ।
ପରବର୍ତ୍ତୀ ସମୟରେ ଯଦି ଅନ୍ୟ କୌଣସି ବିଦ୍ୟାର୍ଥୀ ବା କର୍ମଚାରୀ କରୋନା ପଜିଟିଭ୍ ଚିହ୍ନଟ ହେବେ, ସେମାନଙ୍କୁ ମଧ୍ୟ ସେହି ହଷ୍ଟେଲ୍ ରୁମ୍ରେ ରଖାଯିବ। ପଜିଟିଭ୍ ଚିହ୍ନଟ ବିଦ୍ୟାର୍ଥୀ/କର୍ମଚାରୀଙ୍କ ବାଦ୍ ଅନ୍ୟମାନଙ୍କ ପାଖରେ କୌଣସି ଲକ୍ଷଣ ଦେଖାଦେଲେ ସଙ୍ଗେ ସଙ୍ଗେ ବିଏମ୍ସିକୁ ଜଣାଇବାକୁ ଇନ୍ଷ୍ଟିଚ୍ୟୁଟ୍ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ପଜିଟିଭ୍ଙ୍କ ମଧ୍ୟରୁ କାହାକୁ ଡାକ୍ତରଖାନା ନେବା ଆବଶ୍ୟକ ପଡ଼ିଲେ କର୍ତ୍ତୃପକ୍ଷ ତୁରନ୍ତ ବିଏମ୍ସିକୁ ଅବଗତ କରାଇବେ ବୋଲି କୁହାଯାଇଛି।
ଏହା ପୂର୍ବରୁ ଭୁବନେଶ୍ୱର ସ୍ଥିତ ଘରୋଇ ମ୍ୟାନ୍ଜେମେଣ୍ଟ ଇନ୍ଷ୍ଟିଚ୍ୟୁଟ୍ XIMBରୁ ୪୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏହା ସହିତ ରାଉରକେଲ୍ ଏନ୍ଆଇଟି ଓ ରେଭେନ୍ସା ବିଶ୍ୱବିଦ୍ୟାଳୟ ସହିତ ରାଜ୍ୟର ଆଉ କିଛି କଲେଜରୁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଗତକାଲି ଝାରସୁଗୁଡ଼ା ଇଞ୍ଜିନିୟରିଂ ସ୍କୁଲରୁ ୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେହିପରି ସୁବର୍ଣ୍ଣପୁର ଜିଲ୍ଲା ବିନିକା ବାଳକ ହାଇସ୍କୁଲରେ ୬ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି।
The post ଭୁବନେଶ୍ୱର ସ୍ଥିତ ଆଲେନ୍ ଇନ୍ଷ୍ଟିଚ୍ୟୁଟ୍ ସିଲ୍ appeared first on Odisha Reporter.
from Odisha Reporter https://ift.tt/3w9e0vQ
No comments:
Post a Comment