କଟକ ପାଇଁ ରୋଜଗାର ଅନୁକୂଳ ବାତାବରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, March 22, 2021

କଟକ ପାଇଁ ରୋଜଗାର ଅନୁକୂଳ ବାତାବରଣ

ସୁଧାଂଶୁ ରଞ୍ଜନ ଦାସ

ହଜାର ହଜାର ମାଇଲ ଦୂରରେ ଥିବା ରାଜ୍ୟରୁ ବ୍ୟବସାୟୀମାନେ ଆସି କଟକରେ ବଡ଼ ବଡ଼ ବ୍ୟବସାୟ କରି ଧନୀ ହୋଇପାରିଛନ୍ତି। କିନ୍ତୁ କଟକର ସାହିବାସିନ୍ଦାମାନେ ଓଡ଼ିଶାର ଏହି ଅର୍ଥନୈତିକ ରାଜଧାନୀର କୌଣସି ଫାଇଦା ନେଇପାରି ନାହାନ୍ତି। ଅଳସୁଆମି, ବଦଖର୍ଚ୍ଚ, ଅନୁଶାସନର ଅଭାବ ଓ ପରଶ୍ରୀକାତରତା କଟକବାସୀଙ୍କ ଆର୍ଥିକ ଅଧୋପତନର ମୂଳ କାରଣ ହୋଇଛି। ଯେଉଁ ରାଜ୍ୟର ଲୋକେ ବ୍ରିଟିଶ ଜାହାଜ ସମୁଦ୍ରରେ ପ୍ରବେଶ କରିବାର ହଜାର ହଜାର ବର୍ଷପୂର୍ବେ ସମୁଦ୍ର ଲହଡ଼ି ଉପରେ ରାଜ କରୁଥିଲେ ସେ ରାଜ୍ୟର ଲୋକେ ଆଜି ସ୍ୱଳ୍ପ ବେତନରେ ବାହାର ରାଜ୍ୟରୁ ଆସିଥିବା ବ୍ୟବସାୟୀଙ୍କ ପାଖରେ କାମ କରୁଛନ୍ତି। କଟକରେ ଅର୍ଥନୈତିକ ଗତିବିଧିର ପୁନଃସଂଚାରଣ ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହେଲେ ଅନେକ ଓଡ଼ିଆ ଯୁବକ କଟକର ବ୍ୟବସାୟ ଗତିବିଧିକୁ ନିୟନ୍ତ୍ରଣ କରିପାରିବେ।

ଉଚ୍ଚମାନର ରାସ୍ତାଗୁଡିକ ଅର୍ଥନୈତିକ ଗତିବିଧିରେ ସାହାଯ୍ୟ କରିଥାଏ ଓ ଖରାପ ରାସ୍ତାଗୁଡିକ ଆର୍ଥିକ ଗତିବିଧିକୁ ବାଧାଦେବା ସଂଗେ ସଂଗେ ଲୋକଙ୍କର ମୂଲ୍ୟବାନ ସମୟକୁ ନଷ୍ଟ କରିଥାଏ। କୋଡିଏ ବର୍ଷ ପୂର୍ବେ କଟକର ଗଳିକନ୍ଦିରେ ପିଚୁରାସ୍ତା ଥିଲା। ଏବେ ଏହା କଂକ୍ରିଟ ହୋଇଯାଇଛି। କିନ୍ତୁ ନିମ୍ନମାନର କଂକ୍ରିଟ ରାସ୍ତା ହୋଇଥିବାରୁ ଏହା ଅନେକ ଜାଗାରେ ଫାଟି ଆଁ କରିଥିବାର ଦେଖିବାକୁ ମିଳେ। ଏ ରାସ୍ତାକୁ ବାରମ୍ବାର ଖୋଳି ନାଳ କାମ ଓ କେବୁଲ ଇତ୍ୟାଦି ପକାଇବାରୁ ଏଥିରେ ଅନେକ ଫାଟ ସୃଷ୍ଟିହୋଇ ବାହନ ଉପଯୋଗୀ ହେଉନାହିଁ। ଲୋକସଂଖ୍ୟା ସାଙ୍ଗକୁ ଯାନବାହାନର ବୃଦ୍ଧି ହେବା ଦ୍ୱାରା ଏହି ରାସ୍ତାଗୁଡିକରେ ଯିବାଆସିବା କରିବା ନିରାପଦ ମନେହେଉନାହିଁ। ଓଡ଼ିଶା ଆରଟିଓ ରୋଡ଼ ଟିକସ ଓ ଫାଇନ ଲୋକଙ୍କଠୁ ଆଦାୟ କରିବା ପୂର୍ବରୁ ରାସ୍ତାଗୁଡିକ ଯାନବାହନ ଚଳାଚଳ  ପାଇଁ ଉପଯୁକ୍ତ ବୋଲି ସାର୍ଟିଫିକେଟ ଦେବା ନିତ୍ୟାନ୍ତ ଆବଶ୍ୟକ।

ଷ୍ଟେସନ-ରାଣୀହାଟ-ବକ୍ସି ବଜ଼ାର ରାସ୍ତା, ରାଣୀହାଟ- ବାଦାମବାଡ଼ି ରାସ୍ତା, ଦୋଳମୁଣ୍ଡାଇ – ଚୌଧୁରୀ ବଜ଼ାର ରାସ୍ତା, ବକ୍ସି ବଜ଼ାର – ଚାନ୍ଦିନୀ ଚୌକ ରାସ୍ତା, ମାରୁଆଡ଼ିପଟି – ପୁରୀଘାଟ ରାସ୍ତା ଓ ନୟାସଡ଼କ – ହାଇ କୋର୍ଟ ରାସ୍ତାଗୁଡିକୁ ତୁରନ୍ତ ଜବରଦାଖଲରୁ ମୁକ୍ତ କରାଯିବା ଦରକାର। ରାସ୍ତାଗୁଡିକରୁ ଯାନବାହାନର ଭାର କମାଇବା ପାଇଁ ସରକାର ଇ-ରିକ୍ସା ଓ ବ୍ୟାଟେରୀ ଚାଳିତ ଛୋଟ ଛୋଟ ଟାଉନ ବସର ପ୍ରାବଧାନ କରିବା ଉଚିତ। ଏଥିରେ କଟକର  ଅନେକ ବସ୍ତିବାସିନ୍ଦା ରୋଜଗାର ପାଇପାରିବେ। କଟକର ବିସ୍ତାର ଓ ବିକାଶର ଫାଇଦା ବସ୍ତିବାସିନ୍ଦାମାନଙ୍କ ପାଖରେ ପହଂଚିବା ଦରକାର। ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାପାଇଁ ସରକାର ରିଂ ବନ୍ଧର କଡ଼େ କଡ଼େ ଦୋକାନ କରିବାକୁ ପ୍ରଥମେ ସୁଯୋଗ ଦେବା ଦରକାର।

ବସ୍ତିବାସିନ୍ଦାମାନେ କିଭଳି ଓଡ଼ିଶାର ଆର୍ଥିକ ରାଜଧାନୀ କଟକରେ ବ୍ୟବସାୟ କରିପାରିବେ ସେଥିପାଇଁ ସେମାନଙ୍କୁ ପ୍ରଥମେ ତାଲିମ ଦିଆଯି ଦରକାର। ନିଜ ନିଜ ଭିତରେ ସହଯୋଗ, ବ୍ୟାଙ୍କ ଋଣର ଉପଯୁକ୍ତ ବିନିଯୋଗ, କଠିନ ପରିଶ୍ରମ, ଶୃଙ୍ଖଳିତ ଜୀବନ, ବ୍ୟକ୍ତିଗତ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ଓ ବ୍ୟାପାର କୌଶଳ ଇତ୍ୟାଦିରେ ଜ୍ଞାନ ସାହିବାସିନ୍ଦାମାନଙ୍କୁ କଟକରେ ବିଭିନ୍ନ ଆର୍ଥିକ ଗତିବିଧି କରିବାରେ ସାହାଯ୍ୟ କରିବ।

କଟକର ସାହିବାସିନ୍ଦାମାନେ ଅତି ଉଚ୍ଚକୋଟିର ମୃତ୍ତିକା କାମ, ଶିଙ୍ଘକାମ, ଜରିକାମ ଓ ସୁନା ରୂପା ଗହଣାକାମ କରିପାରନ୍ତି। ସରକାର ସେମାନଙ୍କ ପାଇଁ ଏକ ସ୍ୱତନ୍ତ୍ର ହସ୍ତଶିଳ୍ପ ମଣ୍ଡିର ବ୍ୟବସ୍ଥା କରିବା ଉଚିତ ଯାହାଫଳରେ କାରିଗରମାନେ କାହା ଉପରେ ନିର୍ଭର ନକରି ନିଜେ ତିଆରିକରିଥିବା ଦ୍ରବ୍ୟଗୁଡିକୁ ସେଠାରେ ବିକ୍ରୀ କରିପାରିବେ। ବ୍ୟାଙ୍କ ଓ ସରକାର ପ୍ରକୃତ ଉଦ୍ୟୋଗୀ ଯୁବକମାନଙ୍କ ପାଇଁ ବ୍ୟବସାୟ କରିବାର ପ୍ରତିକୂଳ ପରିବେଶ ସୃଷ୍ଟିକଲେ ବସ୍ତି ବାସିନ୍ଦାମାନେ ନିଜ ନିଜର ବ୍ୟବସାୟ ଆରମ୍ଭ କରିପାରିବେ। ଏଥିରେ ସାହି ମୁରବୀ, ବୁଦ୍ଧିଜୀବୀ ଓ ମିଡ଼ିଆର ସହଯୋଗ ସାଙ୍ଗରେ ରାଜନୈତିକ ନେତାମାନଙ୍କର ଓଡ଼ିଶା ପ୍ରେମ ଓ ପାରଦର୍ଶିତା ନିହାତି ଆବଶ୍ୟକ। ଅନୁଶାସନ ଓ ଏକ ଉନ୍ନତ କର୍ମ ସଂସ୍କୃତିର ବିକାଶ କଟକବାସୀଙ୍କ ଜୀବନମାନରେ ପରିବର୍ତ୍ତନ ଆଣିପାରିବ।

ସାମଜିକ ପରିବେଶରେ ଗୁଣାତ୍ମକ ପରିବର୍ତ୍ତନ ଲୋକଙ୍କୁ କର୍ମନିପୁଣ କରିଦେଇଥାଏ। କଟକର ଅନେକ ବସ୍ତିବାସିନ୍ଦା ମାଦକ ଦ୍ରବ୍ୟ ସେବନ କରି ନିଜକୁ ଓ ନିଜ ପରିବାରକୁ ଘୋର ଅସୁବିଧା ଭିତରକୁ ଟାଣିନିଅନ୍ତି। କେତେକ କୁଜି ରାଜନୈତିକ ନେତାମାନେ ଭୋଟ ପାଇଁ ଏହି ଯୁବପୀଡ଼ିଙ୍କର ମାନସିକତାକୁ ନଷ୍ଟ କରିଦେଇଥିବାର ଦେଖାଯାଏ।  ଅନେକ ଜାଗାରେ ଏହି ବସ୍ତିବାସିନ୍ଦାମାନେ ମଦର କୁପ୍ରଭାବରେ ଅକାଳ ମୃତ୍ୟ ବରଣ କରି ନିଜର ପରିବାରକୁ ଅସହାୟ ଅବସ୍ଥାରେ ଛାଡ଼ି ଦେଇଥାନ୍ତି। କଟକରେ ମଦ ପିଇ   ନିଜର ଆର୍ଥିକ ଅବନତିକରି ଅନେକ ସ୍ଥାନୀୟ ଲୋକେ ତାଙ୍କର ଭିଟାମାଟିକୁ ଅଣଓଡ଼ିଆ ବ୍ୟବସାୟୀଙ୍କୁ ବିକ୍ରୀ କରିଦେଉଥିବାର ଦେଖାଯାଉଛି। କଟକର ବସ୍ତିଗୁଡିକୁ ମଦମୁକ୍ତ କରିବାପାଇଁ କଟକର ରାଜନୈତିକ ନେତା , ବୁଦ୍ଧିଜୀବୀ ଓ ଯୁବଗୋଷ୍ଠୀ  ସମସ୍ତ ପଦକ୍ଷେପ ନେବା ଉଚିତ। କଟକରେ ଆବାସ ସ୍ଥାନରେ ଅବ୍ୟବସ୍ଥିତ ଭାବରେ ରାସ୍ତା ଅବରୋଧ କରୁଥିବା ଥିବା ଉଠା କ୍ୟାବିନଗୁଡିକୁ ଛୋଟ ଛୋଟ ମାର୍କେଟ କଂପ୍ଲେକ୍ସ ତିଆରି କରି ସେଠାକୁ ସ୍ଥାନାନ୍ତରଣ କରିଦେବା  ଦରକାର। ମହାରାଷ୍ଟ୍ରର ରାଲେଗାଓଁସିଦ୍ଧି ଗାଁର ମେଗାସେସେ ପୁରସ୍କାର ପ୍ରାପ୍ତ ନେତା ଶ୍ରୀ ଆନ୍ନା ହାଜାରେ ନିଜ ଗ୍ରାମରେ ଚାଳିଶରୁ ଅଧିକ ମଦ ଦୋକାନ ଗ୍ରାମବାସୀଙ୍କ ସହାୟତାରେ ବନ୍ଦ କରିଦେଇ ଗାଁଲୋକଙ୍କ ପାଇଁ ଆର୍ଥିକ ଗତିବିଧି କରିବାପାଇଁ ଅନେକ ସୁଯୋଗ ସୃଷ୍ଟି କରିଥିଲେ। ଏହି ଗାଁର ଉନ୍ନତ ପରିବେଶ ଦେଖିବା ପାଇଁ ଭାରତ ଓ ଭାରତ ବାହାରୁ ଅନେକ ପର୍ଯ୍ୟଟକ ରାଲେଗାଓଁସିଦ୍ଧିକୁ ଆସିଥାନ୍ତି। କଟକର ବୁଦ୍ଧିଜୀବୀ, ରାଜନେତା ଓ ସାଇ ମୁରବୀମାନେ ଯଦି ନିଜ ଇଲାକାର ସାମାଜିକ ଓ ସାଂସ୍କୃତିକ ପରିବେଶକୁ ନସୁଧାରିବେ ତେବେ ସେମାଙ୍କର ପିଲାମାନେ ହିଁ ଏହି  କୁସଂସ୍କୃତିର ଶିକାର ହୋଇ ଅସାମାଜିକ କାମରେ ଲିପ୍ତ ରହିବେ। ସାମାଜିକ ପରିବେଶ ବିଗିଡ଼ିଗଲେ ପାଠପଢା ଚାକିରୀବାକିରି କରିଥିବା  ପିଲାମାନେ ବାଧ୍ୟ ହୋଇ ନିଜର ପୈତୃକ ସମ୍ପତିକୁ ବିକିଦେଇ ଅନ୍ୟରାଜ୍ୟକୁ ଚାଲିଯିବେ।

କଟକର ସାହିବାସିନ୍ଦାମାନେ ଅନେକ କିସମର ମିଷ୍ଟାନ୍ନ ସହିତ ବରା, ଆଳୁଚପ, ସିଙ୍ଗଡ଼ା, ପକୁଡ଼ି, ବାଇଗଣୀ, ଦହିବରା ଆଳୁଦମ ଓ ଚାଟ ଆଦି ତିଆରି କରିବାରେ ସିଦ୍ଧହସ୍ତ। ଆଜି ଭାରତର ପ୍ରତ୍ୟେକ ସହରରେ ଓଡ଼ିଆ କାରିଗରଙ୍କ ଦ୍ୱାରା ତିଆରି ସୁସ୍ୱାଦୁ ଖାଦ୍ୟ ହୋଟେଲଗୁଡିକରେ ପରଷା ଯାଉଛି। ଯଦି ସେମାନେ ସାରା ଭାରତରେ ନିଜକୁ ଭଲ ରୋଷେଇୟା ବୋଲି ସିଦ୍ଧ କରିଛନ୍ତି ତେବେ ସେମାନେ ନିଜ ଜାଗାରେ କାହିଁକି ବ୍ୟବସାୟ କରି ତିଷ୍ଠିବେନି? ଦକ୍ଷିଣ ଭାରତର ଉଡ଼ୁପି ଓ କାମାଥ ହୋଟେଲ ସାରା ଭାରତରେ ଦେଖିବାକୁ ମିଳେ। ଓଡ଼ିଶାର ଲୋକେ ଏତେ କିସମର ସୁସ୍ୱାଦୁ ଖାଦ୍ୟ ତିଆରି ଜାଣିଥିଲେ ମଧ୍ୟ ନିଜର ବ୍ରାଣ୍ଡ କରିପାରୁନାହାନ୍ତି। ଏକ ସୁପରିକଳ୍ପିତ ଯୋଜନାକୁ ନେଇ କାମକଲେ କଟକର ଫୁଡ଼ ବ୍ରାଣ୍ଡ ସାରା ଭାରତରେ ପ୍ରସିଦ୍ଧି ଲାଭ କରିବ।
କଟକର ପଥର ବନ୍ଧ, ବାରବାଟୀ ଦୁର୍ଗ, ପ୍ରାଚୀନ ମନ୍ଦିର, ଗୁରୁଦ୍ୱାର, ଆଦିମାନବ କାଳର ପ୍ରସ୍ତର ଚିତ୍ର, ହସ୍ତ ଶିଳ୍ପ ଓ ଉନ୍ନତ ଲୋକକଳା କଟକର ପର୍ଯ୍ୟଟନ କ୍ଷେତ୍ରରେ ଅନେକ ରୋଜଗାର ସୃଷ୍ଟି କରିପାରିବ। ଏହିସବୁ ପ୍ରାଚୀନ କୀର୍ତ୍ତିଗୁଡିକର ସୁରକ୍ଷା ଓ ଏହାର ପରିବେଶରେ ଉନ୍ନତି ହେଲେ କଟକର ସ୍ଥାୟୀବାସିନ୍ଦାମାନେ ରୋଜଗାରର ସୁବିଧା ପାଇପାରିବେ। ଏଥିପାଇଁ ସାହି ମୁରବୀମାନେ ନିଜ ସାହିରେ ଥିବା ଧର୍ମସ୍ଥାନଗୁଡିକର ପରିବେଶରେ କିଭଳି ଉନ୍ନତି ହେବ ସେଥିପାଇଁ ଧ୍ୟାନ ଦେବା ଦରକାର। କଟକବାସୀଙ୍କ ସହମତିରେ କଟକ ଉପଯୋଗୀ ପ୍ରକଳ୍ପର ନିର୍ମାଣ ଏବଂ ସହରବାସୀଙ୍କ ନିଷ୍ଠା, ପରିଶ୍ରମ ଓ ସହଯୋଗରେ  କଟକ ପ୍ରକୃତରେ ଏକ ସିଲଭର ନଗରରେ ପରିଣତ ହୋଇପାରିବ।

ଇମେଲ୍‌- sudhansuranjandas2007@gmail.com

The post କଟକ ପାଇଁ ରୋଜଗାର ଅନୁକୂଳ ବାତାବରଣ appeared first on Odisha Reporter.



from Odisha Reporter https://ift.tt/313iqGf

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages