ନୂଆଦିଲ୍ଲୀ: ଏପ୍ରିଲ ୧ରୁ ଦେଶରେ ଆରମ୍ଭ ହେବ ତୃତୀୟ ପର୍ଯ୍ୟାୟ ଟିକାକରଣ। ଏହି ପର୍ଯ୍ୟାୟରେ ୪୫ କିମ୍ବା ତା’ଠାରୁ ଅଧିକ ବର୍ଷ ବୟସ୍କଙ୍କୁ କରୋନାର ରକ୍ଷା କବଚ କୁହାଯାଉଥିବା ଟିକା ପ୍ରଦାନ କରାଯିବ। ଆଜି କେନ୍ଦ୍ର କ୍ୟାବିନେଟ ଏହି ନିଷ୍ପତ୍ତି ଉପରେ ମୋହର ମାରିଛି।
ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର ସୂଚନା ଦେଇ କହିଛନ୍ତି, ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯାଇଥିଲା। ଏହାପରେ ୬୦ ବର୍ଷ ବୟସରୁ ଅଧିକ ଓ ୪୫ ବର୍ଷରୁ ଅଧିକ ବୟସ୍କ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ କରୋନା ଟିକାର ଡୋଜ୍ ଦିଆଯାଇଛି। ଏବେ ଅର୍ଥାତ ଏପ୍ରିଲ ୧ରୁ ଦେଶରେ ରହୁଥିବା ସମସ୍ତ ୪୫ କିମ୍ବା ତା’ଠାରୁ ଅଧିକ ବୟସ୍କ ଲୋକଙ୍କର ଟିକାକରଣ କାର୍ଯ୍ୟକ୍ରମ ହେବ।
ତେଣୁ ମୁଁ ଏହି ବର୍ଗରେ ଥିବା ଲୋକଙ୍କୁ ପଞ୍ଜୀକରଣ କରି ଟିକା ନେବାକୁ ଅନୁରୋଧ କରୁଛି। ୪୫ ବର୍ଷ କିମ୍ବା ତା’ରୁ ଅଧିକ ବୟସ୍କଙ୍କ ଟିକାକରଣ କରିବାକୁ କରୋନା ଭାଇରସ ଟ୍ୟାକ୍ସ ଫୋର୍ସ ଓ ବିଶେଷଜ୍ଞମାନେ ପ୍ରସ୍ତାବ ଦେଇଥିଲେ। ଏହା ଉପରେ କେନ୍ଦ୍ର କ୍ୟାବିନେଟ ମୋହର ମାରିଥିବା ସେ ସୂଚନା ଦେଇଛନ୍ତି। ତାଙ୍କ ସୂଚନା ଅନୁଯାୟୀ, ଏବେ ସୁଦ୍ଧା ଦେଶରେ ୪.୮୫ କୋଟି ଲୋକଙ୍କୁ କରୋନା ଟିକାର ପ୍ରଥମ ଡୋଜ୍ ଦିଆଯାଇଛି। ଦ୍ୱିତୀୟ ଡୋଜ୍ ନେଇଥିବା ଲୋକଙ୍କ ସଂଖ୍ୟା ୮୦ ଲକ୍ଷ ରହିଛି।
ଭାରତରେ ବର୍ତ୍ତମାନ ସୁଦ୍ଧା ଦୁଇଟି ଟିକାକୁ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି। ଗୋଟିଏ ହେଲା କୋଭାକ୍ସିନ ଓ ଆଉ ଗୋଟିଏ ହେଲା କୋଭିସିଲ୍ଡ। କୋଭାକ୍ସିନର ଟିକାର ପ୍ରଥମ ଡୋଜ୍ ନେବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ୍ ନେବାକୁ ପଡ଼ିବ। ହେଲେ କୋଭିସିଲ୍ଡ ଟିକାର ପ୍ରଥମ ଡୋଜ୍ ଓ ଦ୍ୱିତୀୟ ଡୋଜ୍ ମଧ୍ୟରେ ବ୍ୟବଧାନ ୬ରୁ ୮ ସପ୍ତାହ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କରେ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ଅବଗତ କରାଯାଇଛି।
ଅନ୍ୟପକ୍ଷରେ ଦେଶରେ ଏବେ କରୋନାର ଦ୍ୱିତୀୟ ଲହର ଦେଖାବାକୁ ମିଳିଲାଣି। କ୍ରମାଗତ ଭାବେ ଦେଶରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତ ୨୪ ଘଣ୍ଟାରେ ୪୦ ହଜାରରୁ ଅଧିକ ଲୋକ ଏହି ପ୍ରାଣଘାତୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ସେହିପରି ୧୯୯ ଜଣଙ୍କ ମୁଣ୍ଡ ମଧ୍ୟ ଯାଇଛି।
The post ଏପ୍ରିଲ ୧ରୁ ୪୫ ବର୍ଷ ବୟସ୍କଙ୍କୁ ମିଳିବ କରୋନା ଟିକା appeared first on Odisha Reporter.
from Odisha Reporter https://ift.tt/3rmffUR
No comments:
Post a Comment