ମୁମ୍ବାଇ: ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ପାଖରୁ ବିସ୍ଫୋରକ ଖଚିତ କାର ଜବତ ହେବା ଘଟଣାରେ ମୁମ୍ବାଇ ପୁଲିସ୍ର ଗିରଫ ଅଧିକାରୀ ସଚିନ ବାଜେଙ୍କ ଅଡ଼ୁଆରେ ବଢ଼ିବାରେ ଲାଗିଛି। ଅମ୍ବାନୀଙ୍କ ଘର ପାଖରୁ ମିଳିଥିବା ବିସ୍ଫୋରକ ଖଚିତ ଗାଡ଼ିର ମାଲିକ ମନସୁଖ ହିରନଙ୍କ ସନ୍ଦେହଜନକ ମୃତ୍ୟୁ ପଛରେ ସଚିନଙ୍କ ହାତ ଥିବା କୁହାଯାଉଛି।
ଏବେ ସାମ୍ନାକୁ ଆସିଥିବା ସିସିଟିଭି ଫୁଟେଜରୁ ନୂଆ ତଥ୍ୟ ମିଳିଛି। ଫେବୃଆରୀ ୧୭ରେ ସଚିନ ବାଜେ ଗାଡ଼ି ମାଲିକ ମନସୁଖଙ୍କୁ ୧୦ ମିନିଟ୍ ପାଇଁ ଭେଟିଥିଲେ। ଏଥିସହ ଗିରଫ ସଚିନ ବାଜେ ବ୍ୟବହାର କରୁଥିବା ଆଉ ଦୁଇଟି କାର୍କୁ ମଧ୍ୟ ଜାତୀୟ ତଦନ୍ତକାରୀ ସଂସ୍କା(ଏନଆଇଏ) ଗୁରୁବାର ଜବତ କରିଛି।
ଜବତ ଦୁଇଟି ଗାଡ଼ି ମଧ୍ୟରୁ ଗୋଟିଏ ରତ୍ନଗିରିର ଶିବସେନା କାର୍ଯ୍ୟକର୍ତ୍ତା ବିଜୟ କୁମାର ଗନପତ ଭୋସେଲଙ୍କ ନାଁରେ ପଞ୍ଜୀକରଣ ହୋଇଥିବା ଏନଆଇଏ କହିଛି। ଅନ୍ୟ ଗାଡ଼ିଟି ହେଲା ମର୍ସିଡିଜ ବେଞ୍ଜ। ୩ଦିନ ପୂର୍ବରୁ ଆଉ ଏକ ମର୍ସିଡିଜ୍କୁ ଏନଆଇଏ ଜବତ କରିଥିଲା।
ଅମ୍ବାନୀଙ୍କ ଘର ଆଗରୁ ମିଳିଥିବା ସ୍କର୍ପିଓର ମାଲିକ ମନସୁଖ ହିରାନଙ୍କ ମୃତ୍ୟୁ ମାମଲାର ତଦନ୍ତ ରାଜ୍ୟ ଆଣ୍ଟି ଟେରୋରିଜିମ ସ୍କ୍ୱାଡ କରୁଛି। ଏବେ ଏଟିଏସ୍ ସଚିନଙ୍କୁ ନିଜ ହେପାଜତକୁ ନେଇ ଜେରା କରିବାକୁ ଯୋଜନା କରିଛି। ଆଜି ଥାନେ ସେସନ୍ସ କୋର୍ଟରେ ସଚିନଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ହେବ। ଏହି ସମୟରେ ଏଟିଏସ୍ ତାଙ୍କୁ ରିମାଣ୍ଡରେ ନେବାକୁ ଲକ୍ଷ୍ୟ ରଖିଛି।
ଅନ୍ୟପକ୍ଷରେ ପୂରା ଘଟଣାର ତଦନ୍ତ କରୁଥିବା ଏନଆଇଏ ଓ ଏଟିଏସି ହାତରେ ନୂଆ ସିସିଟିଭି ଫୁଟେଜ ଲାଗିଛି। ଫେବୃଆରୀ ୧୭ରେ ସଚିନ ବାଜେ ଫୋର୍ଟର ଜିପିଓ ଠାରେ ଥିବା ଏକ ମର୍ସିଡିଜ୍ ନିକଟରେ ମନସୁଖଙ୍କ ସହ ୧୦ ମିନିଟ୍ କାଳ କଥା ହେଉଥିବା ଦେଖିବାକୁ ମିଳିଛି।
ମନସୁଖ ଗୋଟିଏ ଓଲା କ୍ୟାବ୍ରେ ଦକ୍ଷିଣ ମୁମ୍ବାଇକୁ ସେଠାରୁ ଯାଇଥିଲେ। ଯିବା ପୂର୍ବରୁ ତାଙ୍କ ସ୍କର୍ପିଓ ମୁଲୁନ୍ଦ-ଏରୋଲି ରାସ୍ତାରେ ଖରାପ ହୋଇଯାଇଥିବା ସଚିନଙ୍କୁ ଜଣାଇଥିଲେ। ସଚିନ ମଧ୍ୟ ମର୍ସିଡିଜ୍ରେ ମୁମ୍ବାଇ ପୁଲିସ୍ ମୁଖ୍ୟାଳୟକୁ ଚାଲି ଯାଇଥିଲେ। ତାଙ୍କ ଗାଡ଼ି ପୁଣିଥରେ ସିଏସଏମଟିର ମୁଖ୍ୟ ଟ୍ରାଫିକ୍ ସିଗ୍ନାଲରେ ଦେଖିବାକୁ ମିଳିଥିଲା।
ସିଗ୍ନାଲରେ ଗାଡ଼ିରେ ରହିଥିଲେ ହେଁ ଗ୍ରୀନ ଲାଇଟ୍ ସତ୍ତ୍ୱେ ଏହା ଆଗକୁ ଯାଇ ନଥିଲା। ସଚିନ ବାଜେ ପାର୍କିଂ ଲାଇଟ୍ ଦେଇ ଗାଡ଼ିଟିକୁ ସେହିଠାରେ ହିଁ ରଖିଥିଲେ। କିଛି ସମୟରେ ମନସୁଖ ରାସ୍ତା ଅତିକ୍ରମ କରି ସେଠାରେ ପହଞ୍ଚିଥିଲେ ଓ ମର୍ସିଡିଜ୍ରେ ବସିଥିଲେ। କ୍ୟାମେରାରରୁ ଜଣାପଡ଼ିଛି ଯେ ଜିପିଓର ବିପରୀତ ଦିଗରେ ମର୍ସିଡିଜ୍ଟି ପୁଣିଥରେ ଛିଡ଼ା ହୋଇଥିଲା। ୧୦ ମିନିଟ୍ କାଳ ଗାଡ଼ିଟି ସେଠାରେ ରହିବା ପରେ ମନସୁଖ ଏହା ମଧ୍ୟରୁ ବାହାରିଥିଲେ ଓ ଏହାପରେ କାର୍ଟି ପୁଲିସ୍ ମୁଖ୍ୟାଳୟକୁ ଯାଇଥିଲା।
ମନସୁଖ ଯେଉଁ ଓଲା କ୍ୟାବ୍ରେ ସିଏସ୍ଏମଟି ଯାଇଥିଲେ ତା’ର ଡ୍ରାଇଭରଙ୍କୁ ମଧ୍ୟ ଠାବ କରାଯାଇଛି। ସେ କହିଛନ୍ତି, ମନସୁଖ କାର୍ରେ ଥିବା ବେଳେ ତାଙ୍କ ପାଖକୁ ୫ଟି ଫୋନ କଲ ଆସିଥିଲା। କୁହାଯାଉଛି ଯେ ସଚିନ ହିଁ ତାଙ୍କୁ ଫୋନ କରିଥିଲେ ଓ ପୁଲିସ୍ ମୁଖ୍ୟାଳୟର ବିପରୀତ ଦିଗରେ ଥିବା ରୂପମ ଶୋ’ରୁମ ପାଖରେ ଭେଟିବାକୁ କହିଥିଲେ। ତେବେ ଶେଷ ମୁହୂର୍ତ୍ତରେ ଏହି ଭେଟଘାଟର ସ୍ଥାନକୁ ସିଏସ୍ଏମଟିକୁ ବଦଳାଇ ଦିଆଯାଇଥିଲା।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଫେବୃଆରୀ ୧୭ରେ ହିଁ ମନସୁଖ ତାଙ୍କ ସ୍କର୍ପିଓ ଚୋରି ହୋଇଯାଇଥିବା ପୁଲିସ୍ରେ ଅଭିଯୋଗ କରିଥିଲେ। ଯଦି ଗାଡ଼ି ଚୋରି ହୋଇଯାଇଥିଲା, ତା’ହେଲେ ସେ କାହିଁକି ଏହା ଖରାପ ହୋଇଯାଇଥିଲା ବୋଲି ସଚିନ ବାଜେଙ୍କୁ କହିଥିଲେ? ସେ ବିଭିନ୍ନ ସ୍ଥାନରେ ସଚିନଙ୍କୁ କାହିଁକି ଭେଟୁଥିଲେ? ସଚିନ ଓ ମନସୁଖଙ୍କ ମଧ୍ୟରେ କ’ଣ ସବୁ ଆଲୋଚନା ହୋଇଥିଲା? ଏଭଳି ଅନେକ ପ୍ରଶ୍ନ ଏବେ ଲୋକଙ୍କ ମନରେ ଉଙ୍କି ମାରିବା ଆରମ୍ଭ ହୋଇଛି।
The post ଫେବୃଆରି ୧୭ରେ ମନସୁଖଙ୍କୁ ୧୦ ମିନିଟ୍ ପାଇଁ ଭେଟିଥିଲେ ସଚିନ ବାଜେ, ଜାଣନ୍ତୁ କାରଣ appeared first on Odisha Reporter.
from Odisha Reporter https://ift.tt/2P7R3Yy
No comments:
Post a Comment