କଟକ(ଓଡ଼ିଶା ରିପୋର୍ଟର): ବହୁ ଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ପୀଡ଼ିତା ଅଞ୍ଜନା ମିଶ୍ରଙ୍କ ସହ ଗତକାଲି ଆଲୋଚନା ପରେ ସିବିଆଇ ଟିମ୍ ଘଟଣାର ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳ ଘର ଉପରେ ଚଢ଼ାଉ କରିଛି । ଗତକାଲି ବାରଙ୍ଗ ପୁଲିସ୍ ଓ ସିବିଆଇର ୩ ଜଣିଆ ଟିମ୍ ଚଢ଼ଉ କରିବା ସହ ବିବନଙ୍କ ପରିବାର ସଦସ୍ୟଙ୍କୁ ପଚରାଉଚରା କରିଛି। ଏଥିସହ ସିବିଆଇ ଟିମ୍ ବିବନ ଘରୁ ବହୁ କାଗଜପତ୍ର ମଧ୍ୟ ଜବତ କରିଛି ।
ବିବନ ମୁମ୍ବାଇରେ ଲୁଚି ରହିବା ପଛରେ କାହାର ହାତ ଥିଲା, ସେନେଇ ଖୋଳତାଡ଼ କରୁଛି ସିବିଆଇ । ତା ଛଡ଼ା ସେ ବ୍ୟାଙ୍କ ମାଧ୍ୟମରେ ନିଜ ଘରକୁ ପଠାଉଥିବା ଟଙ୍କା ସଂପର୍କରେ ଅଧିକ ଯାଞ୍ଚ କରୁଛି ସିବିଆଇ । ଘଟଣାର ସତ୍ୟାସତ୍ୟ ଜାଣିବା ପାଇଁ ସିବିଆଇ ଟିମ୍ ପରିବାର ଲୋକଙ୍କ ସମେତ ଗାଁର କିଛି ଲୋକଙ୍କୁ ମଧ୍ୟ ପଚରାଉଚରା କରିଛି ।
ସୂଚନାଯୋଗ୍ୟ, ୨ ଜଣିଆ ସିବିଆଇ ଟିମ୍ ଗତକାଲି ଅଞ୍ଜନା ମିଶ୍ରଙ୍କ ଘରେ ପହଞ୍ଚି ସେହି କାଳ ରାତିରେ ଘଟିଥିବା ଘଟଣା ସମ୍ପର୍କରେ ଆଲୋଚନା କରିଥିଲେ। ଖୁବ୍ ଶୀଘ୍ର ଏହି ମାମଲାର ଚାର୍ଜସିଟ୍ ଦାଖଲ କରାଯିବ ବୋଲି ସିବିଆଇ କହିଥିବା ଜଣାପଡ଼ିଛି।
ଅଞ୍ଜନା ମିଶ୍ରଙ୍କୁ ୧୯୯୯ ମସିହା ଜାନୁଆରୀ ୯ ତାରିଖ ରାତିରେ କଟକ-ବାରଙ୍ଗ ଥାନା ଅଞ୍ଚଳର ଗଣଦୁଷ୍କର୍ମ କରାଯାଇଥିଲା। ଏହି ଜଘନ୍ୟକାଣ୍ଡ ବିବନ ବିଶ୍ୱାଳ, ପ୍ରଦୀପ ସାହୁ ଓ ଧିରେନ୍ଦ୍ର ମହାନ୍ତି ଘଟାଇଥିବା ଅଭିଯୋଗ ହୋଇଥିଲା। ଘଟଣାର ୧୭ ଦିନ ପରେ ପ୍ରଦୀପ ଓ ଧିରେନ୍ଦ୍ରଙ୍କୁ ଗିରଫ କରାଯାଇଥିଲା। ମାତ୍ର ମୁଖ୍ୟ ଅଭିଯୁକ୍ତ ବିବନ ଫେରାର ହୋଇଯାଇଥିଲା। ପୁଲିସ ବିବନଙ୍କ ପତ୍ତା ପାଇନଥିଲା। ଏହି ଘଟଣା ସେହି ସମୟରେ ସମଗ୍ର ଦେଶରେ ଆଲୋଡନ ଖେଳାଇ ଦେଇଥିଲା। ଏହି ଲୋମହର୍ଷଣକାରୀ ଘଟଣାକୁ ନେଇ ରାତାରାତି ବଦଳି ଯାଇଥିଲା ରାଜ୍ୟରେ ରାଜନୈତିକ ଚିତ୍ର। ଘଟଣାର କିଛି ଦିନ ପରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କୁ ପଦ ଛାଡ଼ିବାକୁ ପଡ଼ିଥିଲା।
ଦୀର୍ଘ ୨୨ ବର୍ଷ ପରେ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାର ମୁଖ୍ୟ ଅଭିଯୁକ୍ତ ବିବନକୁ ଧରିବା ପାଇଁ ଭୁବନେଶ୍ୱର କମିଶନରେଟ୍ ପୁଲିସ ଆରମ୍ଭ କରିଥିଲା ଅପରେସନ୍ ‘ସାଇଲେଣ୍ଟ ଭାଇପର’। ତା’ପରେ ତାକୁ ନଭି ମୁମ୍ବାଇରୁ ଧରିବାରେ ସଫଳ ହୋଇଥିଲା। ସେ ସେଠାରେ ନାଁ ବଦଳାଇ ରହୁଥିଲା। ଏ ସମ୍ପର୍କରେ କମିଶନରେଟ୍ ପୁଲିସ ଜାଣିପାରି ତାକୁ କାବୁ କରି ଭୁବନେଶ୍ୱର ଆଣିଥିଲା।
ଏହାପରେ ମୁଖ୍ୟ ଅଭିଯୁକ୍ତ ବିବନକୁ ଚିହ୍ନିବା ପାଇଁ ଝାରପଡ଼ା ଜେଲ ପରିସରରେ ହୋଇଥିଲା TI ପରେଡ୍। JMFC ସୃଜାଲିନ ମହାନ୍ତିଙ୍କ ତତ୍ତ୍ୱାବଧାନରେ ହୋଇଥିବା TI ପରେଡ୍ରେ ଅଭିଯୁକ୍ତ ବିବନକୁ ଅଞ୍ଜନା ଚିହ୍ନିଥିଲେ। ଏହାଛଡ଼ା ସେହି କାଳ ରାତ୍ରୀରେ ଗାଡ଼ି ଚଳାଇଥିବା ଡ୍ରାଇଭର ମଧ୍ୟ ବିବନକୁ ଚିହ୍ନିଥିବା ସୂଚନା ମିଳିଥିଲା।
The post ବିବନ ଘରେ ସିବିଆଇ ଚଢ଼ାଉ, କାଗଜପତ୍ର ଜବତ appeared first on Odisha Reporter.
from Odisha Reporter https://ift.tt/3lUlPkd
No comments:
Post a Comment