ସମ୍ବଲପୁର (ଓଡ଼ିଶା ରିପୋର୍ଟର): ବୁର୍ଲା ଭିସୁଟରେ ଲାଗିଥିବା କଣ୍ଟେନମେଣ୍ଟ କଟକଣା ପ୍ରତ୍ୟାହାର ହୋଇଛି। ସମସ୍ତ ୨୫ ଛାତ୍ରଙ୍କ କରୋନା ରିପୋର୍ଟ ଭୁଲ ଥିବା ଜଣାପଡିବା ପରେ ଏହି କଟକଣା ଉଠାଇନେଇଛି ପ୍ରଶାସନ।
ସୂଚନାଯୋଗ୍ୟ ଯେ, ଫେବ୍ରୁଆରୀ ୨୭ରେ ଭିସୁଟ୍ର ମୋଟ ୨୫ ଛାତ୍ର କରୋନାରେ ଆକ୍ରାନ୍ତ ହୋଇଥିବା ଖବର ସାମ୍ନାକୁ ଆସିଥିଲା। ଏହା ପରେ ଜିଲ୍ଲା ପ୍ରଶାସନ ତତ୍ପରତା ଦେଖାଇଥିଲା। ତା’ପର ଦିନ ଅର୍ଥାତ ୨୮ ତାରିଖରେ ଭିସୁଟ୍କୁ ଶଟଡାଉନ ଘୋଷଣା କରାଯାଇଥିଲା। ଅନ୍ୟାଦେଶ ପର୍ଯ୍ୟନ୍ତ ଏହି ଅନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଥିଲେ।
ଏହାପରେ ଭିସୁଟ୍ର ୧୧ଟି ହଷ୍ଟେଲକୁ ମାଇକ୍ରୋ କଣ୍ଟେନ୍ମେଣ୍ଟ୍ ଜୋନ୍ ଘୋଷଣା କରାଯାଇଥିଲା। ‘ପୁଲହ’ ହଷ୍ଟେଲର ପାର୍ଶ୍ୱବର୍ତ୍ତୀ ଅଞ୍ଚଳକୁ ‘ବଫର୍ ଜୋନ୍’ ଘୋଷଣା କରାଯାଇଥିଲା। ଅଫଲାଇନରେ ହେବାକୁ ଥିବା ପରୀକ୍ଷା ସ୍ଥଗିତ ରଖାଯାଇଥିଲା। ସମସ୍ତ ଅଫଲାଇନ୍ କ୍ଲାସକୁ ଅନଲାଇନ୍ କରିବାକୁ କୁଳପତି ଘୋଷଣା କରିଥିଲେ।
ପରେ ବୁର୍ଲା ସ୍ଥିତ ଭିସୁଟର କୌଣସି ଛାତ୍ର କରୋନାରେ ଆକ୍ରାନ୍ତ ହୋଇ ନଥିବା କଥା ସାମ୍ନାକୁ ଆସିଥିଲା। କିଟ ଖରାପ ଥିବା ଯୋଗୁଁ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। ଭିସୁଟରେ ୨୫ରୁ ଅଧିକ ଛାତ୍ରଙ୍କ କରୋନା ରିପୋର୍ଟ ପଜିଟିଭ ଆସିବା ପରେ ଏଭଳି କିଛି ସ୍ପଷ୍ଟିକରଣ ରଖିଥିଲେ ରାଜ୍ୟ ସ୍ୱାସ୍ଥ୍ୟ ସଚିବ ।
ସେ କହିଥିଲେ, ପ୍ରଥମେ ଭିସୁଟରେ କିଛି ଛାତ୍ରଙ୍କ ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା। ସେଥିରେ ସେମାନଙ୍କ ରିପୋର୍ଟ ପଜିଟିଭ ଆସିଥିଲା। କିନ୍ତୁ ପରେ ଆରଟିପିସିଆର୍ ଟେଷ୍ଟରେ ସମ୍ପୃକ୍ତ ଛାତ୍ରଙ୍କ ରିପୋର୍ଟ ପଜିଟିଭ ଆସିନାହିଁ। ପୂର୍ବରୁ ଟେଷ୍ଟ କରାଯାଇଥିବା କିଟ୍ ଖରାପ ଯୋଗୁଁ ରିପୋର୍ଟ ପଜିଟିଭ ଆସିଥିବା ସେ କହିଥିଲେ।
The post ଭିସୁଟରୁ ଉଠିଲା କଣ୍ଟେନମେଣ୍ଟ କଟକଣା appeared first on Odisha Reporter.
from Odisha Reporter https://ift.tt/3bcZIBG
No comments:
Post a Comment